କନକ ବ୍ୟୁରୋ: ଚେକ୍ ବାଉନ୍ସ ସମସ୍ୟାକୁ ସୁଧାରିବାକୁ ଅର୍ଥ ମନ୍ତ୍ରଣାଳୟ ଚଳାଇଛନ୍ତି ନୂଆ ଯୋଜନା । ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକରେ ଏନେଇ କଡା ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା ହୋଇଛି । ଯଦି ଏହି ନିୟମ ଲାଗୁ ହୁଏ ତେବେ ଚେକ୍ ବାଉନ୍ସ ମାମଲାରେ ଚେକ୍ ଧାରକଙ୍କୁ ତଣ୍ଡ ଗଣିବାକୁ ପଡିବ ।

Advertisment

ଏଣିକି ଚେକ୍ କାଟିବା ପୂର୍ବରୁ ଧ୍ୟାନ ରଖନ୍ତୁ । କାରଣ ଚେକ୍ ବାଉନ୍ସ ହେଲେ ଚେକଧାରୀଙ୍କ ଉପରେ ଲାଗୁ ହେବ ନୂଆ ନିୟମ । ଏହ ନିୟମ ଅନୁଯାୟୀ, ଯଦି ଚେକ୍ ବାଉନ୍ସ ହୁଏ ତେବେ ଚେକ୍ ଧାରୀଙ୍କ ଦ୍ୱିତୀୟ ଆକାଉଣ୍ଟରୁ ଟଙ୍କା କଟିଯାଇପାରେ । ଏହାସହ ଚେକ୍ ବାଉନ୍ସ ମାମଲାରେ ସମ୍ପୃକ୍ତ ବ୍ୟକ୍ତି ବା ଗ୍ରାହକ ବ୍ୟାଙ୍କରେ ନୂଆ ଆକାଉଣ୍ଟ ମଧ୍ୟ ଖୋଲିପାରିବେ ନାହିଁ । ସେହି ବ୍ୟାଙ୍କରୁ ତାଙ୍କୁ ଋଣ ବି ମିଳିପାରିବ ନାହିଁ । ଖାଲି ଏତିକି ନୁହେଁ ଚେକ୍ ଦାତାଙ୍କୁ ନିଜ ଆକାଉଣ୍ଟରେ ୧୫ ଦିନରେ ଟଙ୍କା ଜମା କରି ଏହି ସମସ୍ୟାକୁ ସମାଧାନ କରିବାକୁ ପଡିବ । ନଚେତ୍ ନୂଆ ଆଇନ୍ ଅନୁସାରେ ଚେକ୍ ଦାତାଙ୍କ ଉପରେ ଚେକ୍ ଅର୍ଥର ୨ ଗୁଣା ଜରିମାନା ଲାଗିପାରେ । କିମ୍ବା ଆବଶ୍ୟକ ପଡିଲେ ୨ବର୍ଷ ଜେଲ ହେବାର ପ୍ରସ୍ତାବନା ରହିଛି । ଏ ପ୍ରସଙ୍ଗରେ ଅର୍ଥ ମନ୍ତ୍ରଣାଳୟର ବୈଠକରେ ଅନେକ ପ୍ରସ୍ତାବନା ଆସିଥିଲେ ବି ଏହି ଏହି ପ୍ରସ୍ତାବନାକୁ ଗୁରୁତ୍ୱ ଦିଆଯାଇଥିବା ଜଣାପଡିଛି ।

ଅର୍ଥମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକରେ ଚେକ୍ ବାଉନ୍ସ ମାମଲାକୁ କିପରି ରୋକାଯାଇପାରିବ ଏବଂ ଏହି ସମ୍ପର୍କୀତ ଆଇନଗତ ବୋଝକୁ ହାଲକା କରିବାକୁ ଏପରି ଯୋଜନା ପ୍ରସ୍ତୁତ କରାଯାଉଛି । ଅବଶ୍ୟ ଏହି ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ବିଭିନ୍ନ ସ୍ତରରେ ଏନେଇ ଆଲୋଚନା ପର୍ଯ୍ୟାଲୋଚନା ହେବ । ହେଲେ ଯଦି ମନ୍ତ୍ରଣାଳୟର ପ୍ରସ୍ତାବିତ ଆଇନ୍ ଲାଗୁ ହୁଏ ତେବେ ଅର୍ଥ ପାଇବାକୁ ଥିବା ବ୍ୟକ୍ତିଙ୍କୁ ଆଉ ସମସ୍ୟା ହେବ ନାହିଁ । ଚେକ୍ ବାଉନ୍ସ ମାମଲାକୁ ଆଉ କୋର୍ଟ ଯାଏଁ ନେବାକୁ ପଡିବ ନାହିଁ । ଏହାସହ ବ୍ୟବସାୟ କରିବା ମଧ୍ୟ ସହଜ ହେବ ।

ସୂଚନା ମୁତାବକ, ଅର୍ଥମନ୍ତ୍ରଣାଳୟର ବୈଠକରେ ଚେକ୍ ବାଉନ୍ସ ସମସ୍ୟାକୁ ନେଇ ବିଶେଷଜ୍ଞମାନେ ଏକାଧିକ ପ୍ରସ୍ତାବ ଦେଇଥିଲେ । ଏହି ସମସ୍ୟାକୁ ଋଣ ସମସ୍ୟା ଭଳି ଗ୍ରହଣ କରାଯାଇଛି । ଫଳରେ ଜାଣିଶୁଣି ଚେକ୍ ବାଉନ୍ସ କରୁଥିବା ବ୍ୟକ୍ତିକୁ ଜବତ କରାଯାଇପାରିବ । ଏହି ଯୋଜନା ବିଭିନ୍ନ ବ୍ୟାଙ୍କର ଡାଟା ଇଣ୍ଟିଗ୍ରେସନ୍ ମାଧ୍ୟମରେ ଲାଗୁ କରାଯିବ ।

ଚେକ୍ ବାଉନ୍ସ କ’ଣ?
ଯଦି ଆପଣଙ୍କୁ କେହି ଚେକ୍ ମାଧ୍ୟମରେ ପେମେଣ୍ଟ କରିବାକୁ ଚାହୁଁଛି ତାକୁ କ୍ୟାସରେ ଭଙ୍ଗାଇବାକୁ ବ୍ୟାଙ୍କ ଯିବେ । ତେଣୁ ଏହା ଜରୁରୀ କି ଚେକ୍ ଦେଇଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ ଚେକରେ ଲେଖାହୋଇଥିବା ପରିମାଣ ବା ତାଠାରୁ ଅଧିକ ପରିମାଣର ଅର୍ଥ ଜମା ଥିବା ଦରକାର । ଯଦି ଚେକଦାତାଙ୍କ ଖାତାରେ ସେତିକି ଟଙ୍କା ନାହିଁ ତାହେଲେ ଆପଣ ନେଇଯାଇଥିବା ଚେକକୁ ଡିସଅନର୍ କରିଦିଆଯିବ । ଏହାକୁ ଚେକ୍ ବାଉନ୍ସ ବୋଲି କୁହାଯାଏ । ଚେକ୍ ବାଉନ୍ସ ହେଲେ ବ୍ୟାଙ୍କ ପକ୍ଷରୁ ଆପଣଙ୍କୁ ଏକ ସ୍ଲିପ୍ ଦିଆଯିବ । ଏଥିରେ ଚେକ୍ ବାଉନ୍ସ ହେବାର କାରଣ ଉଲ୍ଲେଖ ଥିବ ।

ଯଦି କୌଣସି କାରଣରୁ ଚେକ୍ ବାଉନ୍ସ ହେଉଛି ତେବେ ଏହାକୁ ୧୫ ଦିନ ଭିତରେ ସମାଧାନ କରିବା ବୁଦ୍ଧିମତାର କଥା । ନଚେତ୍ ସରକାର ଚିନ୍ତା କରିଥିବା ଆଇନରେ ପଡି ଅଯଥା ହଇରାଣ ହେବାକୁ ପଡିପାରେ ।