ନଭେମ୍ବର ୧ରୁ ନୂଆ ନିୟମ । ଆପଣଙ୍କ ପକେଟ୍ ଉପରେ ପଡିବ ସିଧାସଳଖ ପ୍ରଭାବ । ଦେଖନ୍ତୁ, ବଦଳିବ କେଉଁ କେଉଁ ନିୟମ?

563

କନକ ବ୍ୟୁରୋ: ଆରମ୍ଭ ହେବାକୁ ଯାଉଛି ନଭେମ୍ବର ମାସ । ପ୍ରତି ମାସର ଆରମ୍ଭରୁ କିଛି ନିୟମ ବଦଳିବା ଭଳି, ନଭେମ୍ବର ମାସରେ ମଧ୍ୟ କିଛି ନୂଆ ନିୟମ ଆସିବାକୁ ଯାଉଛି । ଯାହାର ସିଧାସଳଖ ପ୍ରଭାବ ଲୋକଙ୍କ ପକେଟ୍ ଉପରେ ପଡିପାରେ । ଗ୍ୟାସ ସିଲିଣ୍ଡର ଦାମ ବଦଳିବା ହେଉ, ଅବା ଇନସ୍ୟୁରାନ୍ସ ନିୟମରେ ପରିବର୍ତନ, ନଭେମ୍ବର ପହିଲାରୁ ଅନେକ କିଛି ପରିବର୍ତ୍ତନ ହେୃବାକୁ ଯାଉଛି । ଯାହା ବିଷୟରେ ଆପଣ ଜାଣିରଖିବା ନିହାତି ଆବଶ୍ୟକ…

ନଜର ପକାନ୍ତୁ, ନଭେମ୍ବର ୧ ତାରିଖରୁ କେଉଁ କେଉଁ କ୍ଷେତ୍ରରେ କଣ କଣ ପରିବର୍ତ୍ତନ ହେବାକୁ ଯାଉଛି…

ବଦଳିବ ଗ୍ୟାସ୍ ସିଲିଣ୍ଡର ଦାମ

ପ୍ରତି ମାସର ଆରମ୍ଭରୁ ପେଟ୍ରୋଲିୟମ କମ୍ପାନୀମାନେ ନୂଆ ଦର ଘୋଷଣା କରିଥାନ୍ତି । ଏହିକ୍ରମରେ ନଭେମ୍ବର ମାସ ଆରମ୍ଭରୁ ମଧ୍ୟ ଗ୍ୟାସ ଦରରେ ପରିବର୍ତନ ହେବ । ତେବେ ଗ୍ୟାସ ଦର ବଦଳିବା ଫଳରେ ଏହାର ସିଧାସଳଖ ପ୍ରଭାବ ଲୋକଙ୍କ ପକେଟ୍ ଉପରେ ପଡିପାରେ, ଆଉ ଯଦି ଗ୍ୟାସ ଦର ଶସ୍ତା ହୁଏ ତେବେ ଲୋକମାନେ ପୂର୍ବ ଅପେକ୍ଷା ଅଧିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି । ତେବେ ମିଳିଥିବା ସୂଚନା ମୁତାବକ, ଅକ୍ଟୋବର ମାସ ଅପେକ୍ଷା ନଭେମ୍ବର ମାସରେ ଗ୍ୟାସ ଦର ଅଧିକ ମହଙ୍ଗା ହୋଇପାରେ

ଇନସ୍ୟୁରାନ୍ସ ନିୟମରେ ଆସିବ ପରିବର୍ତ୍ତନ

ନଭେମ୍ବର ପହିଲାରୁ ଇନସ୍ୟୁରାନ୍ସ ନିୟମରେ ମଧ୍ୟ କିଛିଟା ପରିବର୍ତନ ହେବାକୁ ଯାଉଛି । ପୂର୍ବରୁ ନନ୍ ଲାଇଫ୍ ଇନସ୍ୟୁରାନ୍ସ ପଲିସି କରିବା ସମୟରେ ବୀମାକର୍ତାଙ୍କୁ କୌଣସି କେୱାଇସି ଡିଟେଲ୍ସ ଦେବାକୁ ପଡୁନଥିଲା । ହେଲେ ନଭେମ୍ବର ମାସରୁ ଏହି ନିୟମ ବଦଳିବାକୁ ଯାଉଛି । ପୁରୁଣା ବୀମାଧାରୀଙ୍କ ସହ ଏବେ ନୂଆ ବୀମାଧାରୀ ବି ନନ୍ ଲାଇଫ୍ ଇନସ୍ୟୁରାନ୍ସ ପାଇଁ କେୱାଇସି ଦାଖଲ କରିବେ । ଯଦିି କୌଣସି ବୀମାଧାରୀ କେୱାଇସି ଦାଖଲ ନକରିବେ, ତେବେ ଇନସ୍ୟୁରାନ୍ସ କ୍ଲେମ୍ କରିବା ସମୟରେ ତାଙ୍କ କ୍ଲେମକୁ ରଦ୍ଦ କରିଦିଆଯାଇପାରେ ।

ନଭେମ୍ବରରୁ ବଦଳିବ ଟ୍ରେନ୍ ଟାଇମ୍

ନଭେମ୍ବର ୧ ତାରିଖରୁ ଦେଶର ହଜାରରୁ ଅଧିକ ଟ୍ରେନରେ ସମୟ ପରିବର୍ତନ ହେବାକୁ ଯାଉଛି । ମିଡିଆ ରିପୋର୍ଟ ମୁତାବକ, ଭାରତୀୟ ରେଳ ଏକାଧିକ ଟ୍ରେନର ଯିବା ଆସିବା ସମୟରେ ପରିବର୍ତନ କରିପାରେ । ତେଣୁ ଆପଣ ଯଦି ଟ୍ରେନରେ ଯାତ୍ରା କରିବାକୁ ପ୍ଲାନ୍ କରୁଛନ୍ତି, ତେବେ ନୂଆ ଲିଷ୍ଟ ଜାରି ହେବା ପରେ..ଏହା ଉପରେ ଥରେ ନଜର ପକାଇ ନିଅନ୍ତୁୁ । ନଚେତ୍ ଟ୍ରେନ୍ ଯାତ୍ରା କରିବାକୁ ହେଲେ, ଆପଣ ଅସୁବିଧାର ସାମ୍ନା କରିପାରନ୍ତି । ଅକ୍ଟୋବର ୧ ତାରିଖରେ ଏହି ନିୟମ ଲାଗୁ ହେବାକୁ ଥିବାବେଳେ, ଏବେ ଏହାକୁ ନଭେମ୍ବର ୧ ତାରିଖକୁ ଘୁଂଚାଇ ଦିଆଯାଇଥିଲା ।

ଓଟିପି ଦେଲେ ମିଳିବ ଗ୍ୟାସ ସିଲିଣ୍ଡର

ନୂଆ ମାସ ଆରମ୍ଭରୁ ଘରୋଇ ଗ୍ୟାସ କିଣିବା ନିୟମରେ ମଧ୍ୟ ପରିବର୍ତନ ହେବାକୁ ଯାଉଛି । ନୂଆ ନିୟମ ଅନୁସାରେ, ଏଣିକି ଗ୍ୟାସ ଡେଲିିଭରୀ ପାଇଁ ଓଟିପି ବାଧ୍ୟତାମୂଳକ ହେବ । ବିନା ଓଟିପିରେ କୌଣସି ଗ୍ରାହକଙ୍କୁ ଗ୍ୟାସ ଡେଲିଭରୀ କରାଯିବ ନାହିଁ । ତେବେ ଏହି ନିୟମ ପୂର୍ବରୁ ଥିବାବେଳେ, ନଭେମ୍ବର ମାସରୁ ଏହାକୁ କଡାକଡି ଭାବେ ପାଳନ କରାଯିବ । ତେଣୁ ଆପଣ ଗ୍ୟାସ ବୁକ୍ କରି ଗ୍ୟାସ୍ ଆଣିବାକୁ ଯିବା ସମୟରେ, ନିଜର ରେଜିଷ୍ଟର ମୋବାଇଲ୍ ନମ୍ବର ନେବାକୁ ଭୁଲନ୍ତୁ ନାହିଁ ।

ନଭେମ୍ବରରୁ ବଦଳିବ ଜିଏସଟି ନିୟମ

ଜିଏସଟି ରିଟର୍ଣ୍ଣ ନିୟମରେ ମଧ୍ୟ ନଭେମ୍ବରରୁ ପରିବର୍ତନ ହେବାକୁ ଯାଉଛି । ଏଣିକି ୫ କୋଟି ଟଙ୍କାରୁ କମ ଟଙ୍କାର ଟର୍ଣ୍ଣ ଓଭରରେ କରଦାତାଙ୍କୁ ଚାରି ଅଙ୍କ ବିଶିଷ୍ଟ ଏଚଏସଏନ୍ କୋଡ୍ ଦେବାକୁ ହେବ । ଏହି ନିୟମକୁ ଏବେ ବାଧ୍ୟତାମୂଳକ କରାଯାଇଛି । ତେବେ ପୂର୍ବରୁ କରଦାତାଙ୍କୁ ଏଥିପାଇଁ କେବଳ ଦୁଇ ଅଙ୍କ ବିଶିଷ୍ଟ କୋଡ୍ ଦେବାକୁ ପଡୁଥିଲା ।

ନଭେମ୍ବର ଆରମ୍ଭରୁ ଏହି ସବୁ ନିୟମରେ ପରିବର୍ତନ ହେବାକୁ ଯାଉଛି । ଯାହା ବିଷୟରେ ଆପଣ ଜାଣିରଖିବା ନିହାତି ଆବଶ୍ୟକ । ତେଣୁ ନିୟମ ଜାଣିରଖିବା ସହିତ, ଏଥିପ୍ରତି ସତର୍କ ଆଉ ସଚେତନ ରହିଲେ ଆପଣ କୌଣସି ଅସୁବିଧାର ସାମ୍ନା କରିବେ ନାହିଁ ।