ନୂଆବର୍ଷରୁ ଆସିଲା ନୂଆ ନିୟମ । ଏସବିଆଇ ଠାରୁ ଆରମ୍ଭ କରି ରେଲୱେ ପର୍ଯ୍ୟନ୍ତ ସବୁଠି ବଦଳିଲା ନିୟମ, ଥରେ ଦେଖି ନିଅନ୍ତୁ ନୂଆବର୍ଷର ନୂଆ ନିୟମ ।

1,485

ପୁରୁଣା ବର୍ଷ ବିଦାୟ ନେଲା, ନିୟମ ବଦଳିଲା । ନୂଆବର୍ଷରୁ ନୂଆ ନିୟମ । ୨୦୨୦ର ପ୍ରଥମ ଦିନରୁ ଏହି ନୂଆ ନିୟମ ଲାଗୁ କରାଯାଇଛି । ସାଧାରଣ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ କ୍ଷେତ୍ରରେ ଏହି ନିୟମ ଲାଗୁ କରାଯାଇଛି । ଅନଲାଇନ ଟ୍ରାଞ୍ଜାକସନ ଠାରୁ ଆରମ୍ଭ କରି ଟିଭି ରିଚାର୍ଜ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସାଧାରଣ ଲୋକଙ୍କୁ ଖୁସି କରିବାକୁ ଆସିଛି ନୂଆ ନିୟମ ।

ବଦଳିଲା ଏସବିଆଇ ଏଟିଏମରୁ ଟଙ୍କା ଉଠାଣ ନିୟମ:
ନୂଆବର୍ଷରୁ ଏସବିଆଇ ଏଟିଏମରୁ ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ ହୋଇଛି । ୧୦ ହଜାରରୁ ଅଧିକ ଟଙ୍କା ଉଠାଇବାକୁ ଓଟିପି ସୁବିଧା ଆରମ୍ଭ କରିଛି ଏସବିଆଇ । ରାତି ୮ଟାରୁ ସକାଳ ୮ଟା ମଧ୍ୟରେ ଏଟିଏମରୁ ୧୦ ହଜାରରୁ ଅଧିକ ଟଙ୍କା ଉଠାଇବାକୁ ହେଲେ ଆକାଉଣ୍ଟଧାରୀଙ୍କୁ ଓଟିପି ଦେବାକୁ ପଡିବ । ଏଟିଏମରେ ଟଙ୍କା ଉଠାଇବା ବିକଳ୍ପ ବାଛିବା ପରେ ଆକାଉଣ୍ଟଧାରୀଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ଏହି ଓଟିପିି ଆସିବ । ଏହାଦ୍ୱାରା ଏଟିଏମ ଠକେଇକୁ ରୋକାଯାଇପାରିବ ।

ଏସବିଆଇର ହୋମ ଲୋନ :
ଏସବିଆଇରୁ ଗୃହ ଋଣ ନେବାକୁ ଇଚ୍ଛା କରୁଥିବା ଗ୍ରାହକଙ୍କ ପାଇଁ ଖୁସିଖବର । ୧ ଜାନୁଆରୀରୁ ଏସବିଆଇ ଗୃହ ଋଣ ଉପରେ ଇବିଆର ଦର ୦.୨୫ ପ୍ରତିଶତ ଯାଏଁ ହ୍ରାସ କରିଛି । ନୂଆ ନିୟମ ଅନୁଯାୟୀ, ଏସବିଆଇର ଗୃହ ଋଣ ଉପରେ ସର୍ବନିମ୍ନ ସୁଧ ହ୍ରାସ ପାଇ ୭.୯୦ ପ୍ରତିଶତରେ ପହଞ୍ଚିଛି ।

ଟ୍ରାଇ ଦେଲା ଖୁସିଖବର :
ନୂଆବର୍ଷରେ ସାଧାରଣ ଲୋକଙ୍କୁ ବଡ ଉପହାର ଦେଇଛି ଟ୍ରାଇ । ଏଣିକି ୧୩୦ ଟଙ୍କାରେ ଦେଖି ପାରିବେ ୨୦୦ ଚ୍ୟାନେଲ । ଏହାପୂର୍ବରୁ ୧୩୦ ଟଙ୍କାରେ କେବଳ ୧୦୦ଟି ଫ୍ରି ଟୁ ଏୟାର ଚ୍ୟାନେଲର ମଜା ନେଇ ପାରୁଥିଲେ ଦର୍ଶକ । ଯେଉଁଥିରେ ୨୬ଟି ଚ୍ୟାନେଲ କେବଳ ପ୍ରସାର ଭାରତୀର ରହିଥିଲା । ଏପରିକି ମନପସନ୍ଦର ଚ୍ୟାନେଲ ଦେଖିବାକୁ ହେଲେ ଅତିରିକ୍ତ ଟଙ୍କା ଦେବାକୁ ପଡୁଥିଲା । ଏହି ନୂଆ ନିୟମ ଆସନ୍ତା ମାର୍ଚ୍ଚ ପହିଲାରୁ ଲାଗୁ ହେବ ।

ରେଲୱେରେ ଗୋଟିଏ ହେଲ୍ପଲାଇନ :
ନୂଆବର୍ଷରେ ଭାରତୀୟ ରେଳୱେ ମଧ୍ୟ ପୁରୁଣା ନିୟମରେ କିଛିଟା ପରିବର୍ତ୍ତନ ଆଣିଛି । ଯେପରିକି ରେଲୱେ ହେଲ୍ପଲାଇନ । ୧ ଜାନୁଆରୀରୁ ଭାରତୀୟ ରେଲୱେ ଅନେକ ଗୁଡିଏ ହେଲ୍ପଲାଇନ ବଦଳରେ କେବଳ ୧୩୯ ନମ୍ବରରେ ହେଲ୍ପଲାଇନ ସେବାକୁ ସକ୍ରିୟ ରଖିଛି । ତେଣୁ ଯାତ୍ରୀ ନିଜର ସମସ୍ୟା ଜଣାଇବା ପାଇଁ ଭିନ୍ନ ଭିନ୍ନ ନମ୍ବରରେ କଲ କରିବା ବଦଳରେ କେବଳ ୧୩୯ ନମ୍ବରରେ କଲ କରିପାରିବେ ।

ଅନଲାଇନ ଟ୍ରାଞ୍ଜାକସନରେ ସୁବିଧା :
୧ ଜାନୁଆରୀରୁ ଏନଇଏଫଟି ଜରିଆରେ ହେଉଥିବା ଟ୍ରାଞ୍ଜାକସନକୁ ପୂରା ମାଗଣା କରାଯାଇଛି । ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହେଉଥିବା ଟ୍ରାଞ୍ଜାକସନକୁ ମାଗଣା କରାଯାଇଛି । ସପ୍ତାହର ସାତ ଦିନ ଏହି ସୁବିଧା ପାଇପାରିବେ ଗ୍ରାହକ । ସେହିଭଳି ରୁପେ କାର୍ଡ ଓ ୟୁପିଆଇ ଡିଜିଟାଲରେ ପେମେଣ୍ଟ କରୁଥିଲେ ଗ୍ରାହକଙ୍କୁ ଦେବାକୁ ପଡିବନି ଏମଡିଆର ଦେୟ ।

ରିଜର୍ଭ ବ୍ୟାଙ୍କର ମନି ଆପ୍ ଲଞ୍ଚ :
ଦୃଷ୍ଟିବାଧିତ ଲୋକଙ୍କ ସୁବିଧା ପାଇଁ ରିଜର୍ଭ ବ୍ୟାଙ୍କ ଲଞ୍ଚ କରିଛି ମନି ଆପ୍ । ଯାହାଦ୍ୱାରା ଏହି ଆପକୁ ବ୍ୟବହାର କରି ଦୃଷ୍ଟିହୀନ ବ୍ୟକ୍ତି ମାନେ ବ୍ୟାଙ୍କ ନୋଟକୁ ସହଜରେ ଚିହ୍ନିପାରିବେ । ଏହି ଆପ ଅଫଲାଇନରେ ମଧ୍ୟ କାମ କରିବ । ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ଆପକୁ ଡାଉନଲୋଡ କରିପାରିବେ ।

ୱାନ୍ ନେସନ ୱାନ ରାସନ କାର୍ଡ :
ଆଗାମୀ ଜୁନରେ ପୂରା ଦେଶରେ ‘ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ’ ଲାଗୁ ହେବାକୁ ଯାଉଛି । ତେବେ ଏହାପୂର୍ବରୁ ୧ ଜାନୁଆରୀରୁ ଦେଶର ୧୨ଟି ରାଜ୍ୟରେ ଏହି ଯୋଜନା ଲାଗୁ କରିଛନ୍ତି କେନ୍ଦ୍ର ସରକାର । ଏହି ଯୋଜନା ମାଧ୍ୟମରେ ଦେଶରେ ଯେକୌଣସି ରାଜ୍ୟରେ ଥିଲେ ମଧ୍ୟ ପିଡିଏସ ସାମଗ୍ରୀ ପାଇବାରୁ ବଞ୍ଚିତ ହେବେନି ଉପଭୋକ୍ତା । ସାଧାରଣ ଲୋକଙ୍କ ସୁବିଧା ପାଇଁ ନୂଆବର୍ଷରୁ ଦେଶରେ ଏଭଳି କିଛି ନିୟମରେ ପରିବର୍ତ୍ତନ କରାଯାଇଛି ।