ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ବଡ ଖବର । ଏଣିକି ସିମକାର୍ଡ ପୋର୍ଟିଂ କଲେ ୭ ଦିନ କରିବାକୁ ପଡିବ ଅପେକ୍ଷା ।

209

କନକ ବ୍ୟୁରୋ : ଦୈନନ୍ଦିନ ଜୀବନରେ ଏବେ ମୋବାଇଲ ବେଶ ଗୁରୁତ୍ୱପୂର୍ଣ୍ଣ । ବିନା ମୋବାଇଲରେ ଘଣ୍ଟାଏ ସମୟ ବିତାଇବା କଷ୍ଟକର ହୋଇପଡୁଛି । ଏସବୁ ଭିତରେ ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ବଡ ଖବର ଆସିଛି । ଏଣିକି ମୋବାଇଲରେ ବ୍ୟବହାର କରୁଥିବା ସିମ୍ ବଦଳାଇବାକୁ ଚାହୁଁଥିଲେ. ନୂଆ ନିୟମ ମାନିବାକୁ ପଡିବ । ସିମ୍ ପୋର୍ଟିଂ ପାଇଁ ଆଜିଠାରୁ ସାରା ଦେଶରେ ଲାଗୁ ହୋଇଛି ନୂଆ ନିୟମ ।

ଏଣିକି ମୋବାଇଲ୍ ନମ୍ବରକୁ ପୋର୍ଟ କରିବାକୁ ଚାହୁଁଥିଲେ ୭ ଦିନର ଅପେକ୍ଷା କରିବାକୁ ପଡିବ । ସିମ୍ କାର୍ଡ ଜରିଆରେ ହେଉଥିବା ଠକେଇ ଉପରେ ଲଗାମ ଲଗାଇବା ପାଇଁ ଏହି ନିୟମ କଡାକଡି କରାଯାଇଛି । କୌଣସି ଗ୍ରାହକ ନିଜ ନମ୍ବରକୁ ରଖି, ଯଦି ଅପରେଟର ବଦଳାଇବାକୁ ଚାହାନ୍ତି, ତେବେ ବାଧ୍ୟତାମୂଳକ ଭାବେ ୭ ଦିନ ଅପେକ୍ଷା କରିବାକୁ ପଡିବ । ଆବଶ୍ୟକୀୟ ପ୍ରମାଣପତ୍ର ଓ ଓଟିପି ଦେଇ ଭେରିଫିକେସନ୍ ପାଇଁ ମଧ୍ୟ ଅପେକ୍ଷା କରିବାକୁ ପଡିବ । ନିୟମରେ ସଂଶୋଧନ କରି ସ୍ୱତନ୍ତ୍ର ପୋର୍ଟିଂ କୋର୍ଡ ପାଇଁ ୭ ଦିନ ଭିତରେ ଅନୁରୋଧ କରିବେ ଗ୍ରାହକ । ପୂର୍ବରୁ ଏହି ସମୟ ୧୦ ଦିନ ଥିଲା । ଟେଲିଯୋଗାଯୋଗ ମୋବାଇଲ ନମ୍ବର ପୋର୍ଟେବିଲିଟି ନିୟମ ୨୦୨୪ରେ ପରିବର୍ତନ କରି ୭ ଦିନ କରାଯାଇଛି । ଅଂଶୀଦାରଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି । କିଛି ଅଂଶୀଦର ୧୦ ଦିନ ପ୍ରତୀକ୍ଷା ଅବଧିକୁ ସମର୍ଥନ କରୁଥିଲେ । ଏବଂ ଅନ୍ୟ କିଛି ପକ୍ଷ ତାକୁ ୪ ଦିନ ହ୍ରାସ କରି ୬ ଦିନ କରିବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ ଅର୍ଥାତ୍ ଟ୍ରାଇ ତାକୁ ୭ ଦିନ ଧାର୍ଯ୍ୟ କରିଛନ୍ତି । ସିମ୍ ଫ୍ରଡ୍ ଓ ଗ୍ରାହକଙ୍କ ଡାଟା ସୁରକ୍ଷିତ ରଖିବା ପାଇଁ ଟ୍ରାଇ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଏହି ନୂଆ ନିୟମ ଗତ ମାର୍ଚ୍ଚ ମାସରୁ ଡ୍ରାଫ୍ଟ ହୋଇସାରିଥିଲା । ଆଜି ଠାରୁ ବିଧିବଦ୍ଧ ଭାବେ ଲାଗୁ ହୋଇଛି ।