ଏଲଆଇସି ଖାତାଧାରକଙ୍କ ପାଇଁ ବଡ ଖବର । ଏଣିକି ସପ୍ତାହକୁ ମାତ୍ର ୫ ଦିନ ଖୋଲିବ ଏଲଆଇସି ଅଫିସ । ଜାଣନ୍ତୁ କେବେ ରହିବ ଖୋଲା ଓ କେବେ ରହିବ ବନ୍ଦ?

330

କନକ ବ୍ୟୁରୋ : ଏଣିକି ସପ୍ତାହକୁ ମାତ୍ର ୫ ଦିନ ଖୋଲିବ ଏଲଆଇସି ଅଫିସ । ସପ୍ତାହର  ଶେଷ ଦୁଇ ଦିନ ଶନିବାର ଓ ରବିବାର ବନ୍ଦ ରହିବ ଏଲଆଇସି ଅଫିସ୍ । ଅଥାର୍ତ ଯଦି ଆପଣ ଶୁକ୍ରବାର ସୁଦ୍ଧା ଏଲଆଇସି ଅଫିସରେ କାମ ନ ସାରିଛନ୍ତି ତେବେ ଆପଣଙ୍କୁ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିପାରେ । ମେ’ ୧୦ ଅଥାର୍ତ ଆଜିଠାରୁ ଏହି ନୂଆ ନିୟମ ଲାଗୁ ହୋଇଛି ।

ଏଲଆଇସି ପକ୍ଷରୁ ଏନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ନୋଟିସରେ କୁହାଯାଇଛି ଯେ, ଏଣିକି ପ୍ରତ୍ୟେକ ଶନିବାର ଓ ରବିବାର କାର୍ଯ୍ୟାଳୟ ବନ୍ଦ ରହିବ । ତେବେ ଏଲଆଇସି ଅଫିସ ସୋମବାରରୁ ଶୁକ୍ରବାର ଦିନ ୧୦ଟାରୁ ସନ୍ଧ୍ୟା ୫.୩୦ ଯାଏଁ ଖୋଲା ରହିବ । ପୂର୍ବରୁ ରବିବାର ବ୍ୟତୀତ କେବଳ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଏଲଆଇସି ଅଫିସ ବନ୍ଦ ରହୁଥିଲା । କିନ୍ତୁ ଏବେ ସବୁ ଶନିବାର କାର୍ଯ୍ୟାଳୟ ବନ୍ଦ ରହିବ । ତେବେ ଶନିବାରକୁ ଛୁଟି ଘୋଷଣା କରାଯାଇଥିବା ବେଳେ ସୋମବାରରୁ ଶୁକ୍ରବାର ଅଫିସ ସମୟକୁ ବୃଦ୍ଧି କରାଯାଇଛି ।

ଏନେଇ ବିଭିନ୍ନ ବିଜ୍ଞାପନ ମାଧ୍ୟରେ ଲୋକମାନଙ୍କୁ ସୂଚିତ କରାଯାଇଛି । ଯାହାଦ୍ୱାରା କୌଣସି ଖାତାଧାରକ ଯେପରି ଛୁଟିଦିନରେ ଆସି ଅଫିସରୁ ଫେରି ଯିବ ନାହିଁ । କରୋନା କାଳରେ ଘରେ ରହିବାକୁ ପରାମର୍ଶ ଦିଆଯାଉଥିବା ବେଳେ ଏଲଆଇସି ପକ୍ଷରୁ ମଧ୍ୟ ଗ୍ରାହକଙ୍କୁ ଅନଲାଇନ ସୁବିଧା ଯୋଗାଇ ଦେବା ଉପରେ ଜୋର ଦିଆଯାଉଛି । ଏଲଆଇସିର ଅଧିକାରୀକ ୱେବସାଇଟକୁ ଯାଇ ଖାତାଧାରକ ମାନେ ନିଜର ସମସ୍ତ କାମ ଘରୁ ବସି କରିପାରିବେ ।

ସେହିଭଳି କରୋନା ସଙ୍କଟ ସମୟରେ ଗ୍ରାହକଙ୍କ ପାଇଁ କିଛି କ୍ଷେତ୍ରରେ ସର୍ତ୍ତ କୋହଳ କରିଛି ଏଲଆଇସି । ଯେପରି ଡେଥ୍ କ୍ଲେମ ଟଙ୍କା ପାଇବା ପାଇଁ ନିୟମରେ କିଛି କୋହଳ କରାଯାଇଛି । ମହାମାରୀ ସମୟରେ ଯଦି କୌଣସି ଖାତାଧାରକଙ୍କର ମୃତ୍ୟୁ ହୁଏ ତେବେ ମୃତ୍ୟୁ ପ୍ରମାଣପତ୍ର, ଡିସଚାର୍ଜ ରିପୋର୍ଟ, ମୃତ୍ୟୁର ସମୟ ଏବଂ ତାରିଖ , ଅନ୍ତିମ ସଂସ୍କାର ପ୍ରମାଣପତ୍ର ଦେଖାଇ କ୍ଲେମ କରିପାରିବେ । ଯାହା ଗ୍ରାହକଙ୍କ ଆବେଦନ ସମସ୍ୟାକୁ ଆହୁରି ସରଳ କରିଛି ।