ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ବଦଳିଲା ନିୟମ! ଯବାନଙ୍କ ଯାତାୟତ ସମୟରେ ପାଖ ମାଡିଲେ ଶତ୍ରୁ ବୋଲି ଧରିନିଆଯିବ

964

ଜମ୍ମୁ-କାଶ୍ମୀରର ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ପରେ ସୁରକ୍ଷାକର୍ମୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖାସକରି ଗୋଟିଏ ସମୟରେ ଏତେ ସଂଖ୍ୟକ ଯବାନଙ୍କ ଗାଡି କାହିଁକି ଯାତ୍ରା କରୁଥିଲେ ତାହାକୁ ନେଇ ପ୍ରଶ୍ନ ଉଠାଇଥିଲେ ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ଏପରିକି ଏକା ସଙ୍ଗରେ ସିଆରପିଏଫର ଏତେ ଗୁଡିଏ ଗାଡି ଯାତ୍ରା କରିବା କଥା ନୁହେଁ ବୋଲି କହିଛନ୍ତି ସତ୍ୟପାଲ ।

ପୂର୍ବରୁ ସିଆରପିଏଫ ଯବାନଙ୍କ ଗାଡିର ଯାତ୍ରା କରିବା ନେଇ ଯେଉଁ ନିୟମ ଥିଲା ସେଥିରେ ସିଆରପିଏଫ ଯବାନଙ୍କ କାରକେଡ ହାଇୱେ ଉପରେ ଯାତ୍ରା କରୁଥିବା ବେଳେ ସାଧାରଣ ଲୋକଙ୍କ ଗାଡିର ଯାତ୍ରା ଉପରେ ରୋକ ଲଗାଯାଇଥିଲା । କିନ୍ତୁ ସାଧାରଣ ଲୋକଙ୍କ ଚାପ ପଡିବା ପରେ ଏହି ନିୟମକୁ ବନ୍ଦ କରାଯାଇଥିଲା । ତେବେ ପୁଲୱାମା ଆକ୍ରମଣ ପରେ ଏହି ନିୟମକୁ ପୁଣିଥରେ ତର୍ଜମା କରାଯାଇ ଯବାନଙ୍କ ଯାତାୟତ ପାଇଁ ନୂଆ ଏସଓପି ପ୍ରସ୍ତୁତ କରାଯାଇଛି । ନୂଆ ନିୟମ ଅନୁଯାୟୀ,
– ଯବାନଙ୍କ ଗାଡି କୌଣସି ସ୍ଥାନରେ ନ ଅଟକି ଯାତାୟତ କରିପାରିବ
– ଯବାନଙ୍କ ଗାଡି ଯାତାୟତ କରୁଥିବା ସମୟରେ ସାଧାରଣ ଲୋକଙ୍କ ଗାଡିର ଯାତାୟତ ଉପରେ ରୋକ ଲଗାଯାଇଛି
– ସାଧାରଣ ଲୋକଙ୍କ ଗାଡିକୁ ଅଟକାଇବା ଦାୟିତ୍ୱ ପୋଲିସ ଉପରେ ନ୍ୟସ୍ତ କରାଯାଇଛି
– ଯବାନଙ୍କ ଗାଡି ଉପରେ ଲାଲ୍ ରଙ୍ଗର ପତାକା ଲଗାଯିବ ଯାହାଫଳରେ କୌଣସି ବ୍ୟକ୍ତି ଉକ୍ତ ଗାଡିକୁ ଯେପରି କ୍ରସ ନ କରନ୍ତି
– ଲାଲ ପତାକା ଲାଗିଥିବା ଗାଡିକୁ କ୍ରସ କରୁଥିବା ଗାଡିକୁ ଶ୍ରତୁପକ୍ଷର ଗାଡି ବୋଲି ଧରି ନିଆଯିବ
– ଯବାନଙ୍କ ଗାଡିର ଯାତାୟତ ସମୟରେ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଟ୍ରାଫିକକୁ ବ୍ଲକ କରାଯିବ
– ସେନା, ପୋଲିସ ଓ ସିଆରପିଏଫ ମଧ୍ୟରେ ସମନ୍ୱୟ ରଖାଯାଇ ଯବାନ ମାନଙ୍କ ଯାତାୟତକୁ ସୁରକ୍ଷିତ କରାଯିବ ।
– ସେନାର ହାଇୱେ ଡୋମିନେସନ ଟିମ୍ ଯବାନ ମାନଙ୍କ ଗାଡିର ସମ୍ମୁଖ ଓ ପଛ ପାଶ୍ୱର୍ରୁ ସୁରକ୍ଷା ଦେବେ
– ନିୟମ ମାନୁନଥିବା କିମ୍ବା ଓଭରଟେକ୍ କରିବାକୁ ପ୍ରୟାସ କରୁଥିବା ବ୍ୟକ୍ତି କିମ୍ବା ଗାଡିକୁ ଶତ୍ରୁପକ୍ଷର ଗାଡି ବୋଲି ଧରି ନିଆଯିବ ।

ଏହାପୂର୍ବରୁ ମଙ୍ଗଳବାର ଲେଫ୍ଟଣ୍ଟାଟ ଜେନେରାଲ କେଜେଏସ ଢିଲ୍ଲନ କାଶ୍ମୀର ଲୋକଙ୍କୁ ଅପିଲ କରିବା ସହ କହିଥିଲେ, ଯେଉଁ ଘରର ଯୁବକ ମାନେ ହାତରେ ଅସ୍ତ୍ରଶସ୍ତ୍ର ଉଠାଉଛନ୍ତି, ସେମାନଙ୍କୁ ଆତ୍ମସର୍ମପଣ କରିବାକୁ ପରିବାରବର୍ଗ କୁହନ୍ତୁ । ନଚେତ ସେନା କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଇବ ନାହିଁ । ଏପରିକି ପଥରଫିଙ୍ଗାଳୀଙ୍କୁ ମଧ୍ୟ ଆତଙ୍କବାଦୀଙ୍କ ସହଯୋଗୀ ବୋଲି ଧରି ନିଆଯିବ । ଯଦି ସେମାନେ ପ୍ରର୍ଦଶନ କରିବାକୁ ଚାହୁଁଥାନ୍ତି ତେବେ ଅନ୍ୟ ଲୋକତାନ୍ତ୍ରିକ ଉପାୟ ମଧ୍ୟ ରହିଛି । କିନ୍ତୁ ଏନକାଉଣ୍ଟର ସାଇଡରେ ପ୍ରଦର୍ଶନକୁ ଗ୍ରହଣ କରାଯିବ ନାହିଁ ।