ଆଉ ରାସ୍ତା ମଝିରୁ ମନଇଚ୍ଛା ଯାତ୍ରୀ ଉଠାଇ ପାରିବେନି ଅଟୋ ଚାଳକ: ନିୟମ ଖିଲାପ କଲେ ଜରିମାନା ସହ ଜବତ ହେବ ଗାଡି; ରଦ୍ଦ ହେବ ଲାଇସେନ୍ସ

Advertisment
ଆଉ ରାସ୍ତା ମଝିରୁ ମନଇଚ୍ଛା ଯାତ୍ରୀ ଉଠାଇ ପାରିବେନି ଅଟୋ ଚାଳକ: ନିୟମ ଖିଲାପ କଲେ ଜରିମାନା ସହ ଜବତ ହେବ ଗାଡି; ରଦ୍ଦ ହେବ ଲାଇସେନ୍ସ

କନକ ବ୍ୟୁରୋ: ଆଉ ରାସ୍ତା ମଝିରୁ ଯାତ୍ରୀ ଉଠାଇ ପାରିବେନି ଅଟୋ ଚାଳକ। ଏକ ନିର୍ଦିଷ୍ଟ ଛକରୁ ଅଟୋ ବାହାରିବ, ଏକ ନିର୍ଦିଷ୍ଟ ଛକରେ ଅଟୋ ରହିବ। ମଝିରେ କେହି ଯାତ୍ରୀ ଉଠିପାରିବେ ନାହିଁ। ଏଥିପାଇଁ କମିସନରେଟ ପୁଲିସ ପକ୍ଷରୁ ରାଜଧାନୀର ୫ଟି ପ୍ରମୁଖ ଛକରେ ଅଟୋଷ୍ଟାଣ୍ଡ ଓ ବେ’ ଚିହ୍ନଟ ହୋଇଛି। ସେହି ଷ୍ଟାଣ୍ଡରେ ଅଟୋ ଚାଳକମାନେ ନିଜ ଗାଡ଼ି ପାର୍କ କରିବେ ଓ ବେ’ରୁ ଯାତ୍ରୀ ଉଠାଇବେ। କେହି ଅଟୋ ଚାଳକ ଏହି ନିୟମର ଖିଲାପ କଲେ କମିସନରେଟ ପୁଲିସ ତାଙ୍କଠାରୁ ଏକହଜାର ଟଙ୍କା ଜରିମାନା ଆଦାୟ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଆବଶ୍ୟକ ହେଲେ ଅଟୋ ଜବତ କରାଯିବା ସହ ଲାଇସେନ୍ସ ରଦ୍ଦ କରାଯିବ।

publive-image

ଅଟୋ ଚାଳକମାନଙ୍କ ବେପରୁଆ ଚାଳନା କାରଣରୁ ପ୍ରତିଦିନ ରାଜଧାନୀରେ ଟ୍ରାଫିକ ଜାମ ପରିସ୍ଥିତି ସୃଷ୍ଟି ହେଉଛି। ଯାହାକି ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଜାମ ପରିସ୍ଥିତିରୁ ରାଜଧାନୀବାସୀ କିଭଳି ତ୍ରାହି ପାଇବେ, ତାହାର ସମାଧାନ ପାଇଁ କମିସନରେଟ୍ ପୁଲିସ ଅଣ୍ଟା ଭିଡ଼ିଛି। ରାଜଧାନୀରେ ଏବେ ଅଟୋ ସଂଖ୍ୟା ବହୁ ମାତ୍ରାରେ ବଢ଼ିଛି। ୩୦ହଜାରରୁ ଅଧିକ ଅଟୋ ଚଳାଚଳ କରୁଛି। ଉପକଣ୍ଠରୁ ମଧ୍ୟ ଅଟୋ ରାଜଧାନୀକୁ ଆସୁଛି। କିନ୍ତୁ ଅଟୋ ଚାଳକମାନେ ମନଇଚ୍ଛା ପ୍ରତି ଛକରେ ଅଟୋ ପାର୍କିଂ କରୁଛନ୍ତି। କେବଳ ଛକ ନୁହେଁ ସିନେମା ହଲ୍, ମଲ୍, ଶିକ୍ଷାନୁଷ୍ଠାନ, ହସ୍ପିଟାଲ୍, ରେଳଷ୍ଟେସନ, ବସଷ୍ଟାଣ୍ଡ ଓ ମନ୍ଦିର ଭଳି ଜନଗହଳି ସ୍ଥାନରେ ଅଟୋ ଷ୍ଟାଣ୍ଡ କରି ମାଳମାଳ ଅଟୋ ପାର୍କିଂ କରୁଛନ୍ତି। ମଝି ରାସ୍ତାରେ ଅଟୋ ରଖି ଯାତ୍ରୀ ଉଠାଉଛନ୍ତି। ଫଳରେ ସେଠାରେ ଜାମ ପରିସ୍ଥିତି ଉପୁଜୁଛି। ସେମାନଙ୍କ ବେପରୁଆ ଗାଡ଼ିଚାଳନା ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। କିଛି ଦିନ ତଳେ ଟ୍ରାଫିକ ପୁଲିସ ପକ୍ଷରୁ ଧରପଗଡ଼ କରାଯାଇଥିଲା। କିନ୍ତୁ ପରିସ୍ଥିତିରେ କୌଣସି ସୁଧାର ଆସି ନ ଥିଲା।

publive-image

ଏବେ ଆଉ ସେଭଳି ହୋଇ ପାରିବ ନାହିଁ। କମିସନରେଟ୍ ପୁଲିସ ପକ୍ଷରୁ ଚିହ୍ନଟ କରାଯାଇଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ଅଟୋ ପାର୍କିଂ କରିବେ ଓ ଅଟୋ ବେ’ରୁ ଯାତ୍ରୀ ଉଠାଇବେ, ଛାଡ଼ିବେ। ପ୍ରଥମ ପର୍ଯ୍ୟାୟରେ ରାଜଧାନୀର ରାଜମହଲ, ବାଣୀବିହାର, କଳ୍ପନା ମ୍ୟୁଜିୟମ ଛକ, ଜୟଦେବବିହାର, ରସୁଲଗଡ଼ ଭଳି ୫ଟି ସ୍ଥାନରେ ଅଟୋ ପାର୍କିଂ ଓ ବେ ପାଇଁ ଚିହ୍ନଟ କରାଯାଇଛି। ଉକ୍ତ ଛକଗୁଡ଼ିକର ଚିହ୍ନଟ କରାଯାଇଥିବା ସ୍ଥାନରେ ହିଁ ଅଟୋ ପାର୍କିଂ ହେବ। ଯେଉଁମାନେ ନିୟମ ଉଲ୍ଲଂଘନ କରି ଚିହ୍ନଟ ହୋଇଥିବା ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ଅଟୋ ପାର୍କିଂ କରିବେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଏକ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି କହିଛନ୍ତି ଟ୍ରାଫିକ୍ ଡିସିପି । ତେବେ ଏହି ନିୟମକୁ ଖୁବଶୀଘ୍ର ଲାଗୁ କରାଯିବ ବୋଲି କହିଛନ୍ତି ଟ୍ରାଫିକ୍ ଡିସିପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe