ନିର୍ମାଣର ତିନି ଦିନ ବି ଗଲାନି ରାସ୍ତା: ଫଡା ଫଡା ହୋଇ ରାସ୍ତା ଉପରୁ ଉଠି ଯାଉଛି ପିଚୁ

105

କନକ ବ୍ୟୁରୋ: ରାଜ୍ୟରେ ଦୁର୍ନୀତି ପରିମାଣ କମିବା ବଦଳରେ ବଢୁଥିବା ଦେଖିବାକୁ ମିଳିଛି । ରାସ୍ତା କାମ ନାଁରେ ଉଭୟ ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀ ମିଳିମିଶି କୋଟି କୋଟି ଟଙ୍କା ଚଳୁ କରୁଛନ୍ତି । ଯାହାର ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଅଂଚଳରେ । ରାସ୍ତା ନିର୍ମାଣକୁ ତିନି ଦିନ ପୁରି ନ ଥିବା ବେଳେ ରସ୍ତାରୁ ଫଡା ଫଡା ହୋଇ ଉଠୁଚି ପିଚୁ ।

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ବାଲିପୁର ଛକକୁ ସଂଯୋଗ କରୁଥିବା ମାଟିଆପଲ୍ଲା ଛକ ଠାରୁ ମାଣିପୁର ଛକ ରାସ୍ତା । ରାସ୍ତା ମରାମତି ହେବାର ତିନି ଦିନ ନପୁରୁଣୁ ଫଡା ଫଡା ହୋଇ ରାସ୍ତାରୁ ଉଠିଯାଉଛି ପିଚୁ । କେବଳ ଏହି ଗୋଟିଏ ସ୍ଥ୍ାନ ନୁହେଁ ରାସ୍ତାର ଅନେକ ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ମାଟି ଉପରେ ପିଚୁ ଢାଳି ରାସ୍ତା ମରାମତି କରାଯାଇଥିବାରୁ ପିଚୁ ଉଠି ଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

୧ କୋଟି ୧୦ ଲକ୍ଷ ଟଙ୍କା ଖର୍ଚ୍ଚରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର ହେବା ପରେ ରାସ୍ତା ମରାମତି ହୋଇଛି । ହେଲେ ରାସ୍ତା ମରାମତି ପାଇଁ ଆସିଥିବା ଟଙ୍କାର ଖର୍ଚ ସଂପର୍କରେ ଫଳକ ନଲଗାଇ ଠିକାଦାର ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ ମିିଳିମିଶି ଅର୍ଥ ହଡପ କରିଥିବା ଅଭିଯୋଗ ହୋଇଛି । ସେପଟେ ବିଭାଗୀୟ ଜେଇ କହିଛନ୍ତି ଗ୍ରାମବାସୀ ଏବଂ ଠିକାଦାରଙ୍କ ମଧ୍ୟରେ ଭୁଲ ବୁଝାବଣା ଯୋଗୁଁ ଗାଁ ଲୋକେ ଜାଣିଶୁଣି ରାସ୍ତାରୁ ପିଚୁ ବାହାର କରି ଦେଉଛନ୍ତି ।

ରାସ୍ତାରୁ ପିଚୁ ଉଠୁଥିବା ବେଳେ କିଏ ସତ କହୁଛନ୍ତି, ଗ୍ରାମବାସୀ ନା ଠିକାଦାର ନା ବିଭାଗୀୟ ଅଧିକାରୀ ତାକୁ ନେଇ ଦ୍ୱନ୍ଦ ସୃଷ୍ଟି ଉଠିଛି । ବାସ୍ତବରେ କାମ ଠିକ୍ ହୋଇଛି କି ନାହିଁ ତାକୁ ଯାଂଚ କରିବାକୁ କେହି ନାହାଁନ୍ତି । ଏଭଳି ବିବାଦ ଭିତରେ ଯାତାୟତ ପାଇଁ ହଇରାଣ ହେଉଛନ୍ତି ସାଧାରଣ ଲୋକେ ।