କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ପାଇଁ କେନ୍ଦ୍ର ସରକାର ଜାରି କଲେ ନୂଆ ପ୍ରୋଟକଲ । ସୁସ୍ଥ ହେଉଥିବା ରୋଗୀଙ୍କୁ ଗରମ ପାଣି ସହ ଯୋଗ କରିବାକୁ ପରାମର୍ଶ

227

କନକ ବ୍ୟୁରୋ: କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ପାଇଁ କେନ୍ଦ୍ର ସରକାର ନୂଆ ପ୍ରୋଟକଲ ଜାରି କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସୁସ୍ଥ ହେବା ପରେ ରୋଗୀଙ୍କୁ ଖାସ, ଶରୀରପୀଡା ଓ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ପୋଷ୍ଟ କୋଭିଡ ମ୍ୟାନେଜମେଂଟ ପ୍ରୋଟକଲ ପ୍ରସ୍ତୁତ କରିଛି । ଏଥିରେ ଅନେକ ପରାମର୍ଶ ଦିଆଯାଇଛି । ବିଶେଷକରି ସୁସ୍ଥ ହେଉଥିବା ରୋଗୀଙ୍କୁ ଗରମ ପାଣି ସହ ଚ୍ୟବନପ୍ରାଶ ଖାଇବା ଓ ଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି କୋଭିଡ ନିୟମ ପାଳନ ମଧ୍ୟରେ ରହିଛି ସାମାଜିକ ଦୂରତା ରଖିବା, ମାସ୍କ ପନ୍ଧିବା ଓ ହାତକୁ ବାରମ୍ବାର ଧୋଇବା ।

ପର୍ଯ୍ୟାପ୍ତ ପରିମାଣର ଗରମ ପାଣି ପିଇବାକୁ ବି ପରାମର୍ଶ ଦେଇଛି ମନ୍ତ୍ରଣାଳୟ । ସେହିଭଳି ରୋଗପ୍ରତିଷେଧକ ବଢାଇବା ପାଇଁ ଆୟୁଷ ମନ୍ତ୍ରଣାଳୟର ଔଷଧ ବ୍ୟବହାର କରିବା, ଶୀଘ୍ର ହଜମ ହୋଇପାରୁଥିବା ଭଳି ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଛି । ପ୍ରୋଟକଲରେ ଆହୁରି କୁହାଯାଇଛି ଯେ, କରୋନାରେ ସୁସ୍ଥ ହୋଇଥିବା ରୋଗୀ ପର୍ଯ୍ୟାପ୍ତ ପରିମାଣର ବିଶ୍ରାମ ନିଅନ୍ତୁ । ଶରୀରର ତାପମାତ୍ରା, ରକ୍ତଚାପକୁ ନିୟମିତ ପରୀକ୍ଷା କରନ୍ତୁ । ଶରୀରରେ ଅମ୍ଲଜାନ କମ ହେଲେ, ଶ୍ୱାସକ୍ରିୟାରେ ସମସ୍ୟା ହେଲେ ଏବଂ ଅସହଜ ମନେକଲେ ଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ପ୍ରୋଟକଲରେ କୁହାଯାଇଛି ।