କନକ ବ୍ୟୁରୋ : ଅଜିତ ପାୱାର ଓ ଶରଦ ପାୱାରଙ୍କ କ୍ୟାମ୍ପ ମଧ୍ୟରେ ଏବେ ପୋଷ୍ଟର ୱାର ଆରମ୍ଭ ହୋଇଛି । ଗତକାଲି ଉଭୟ ନେତା ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଆଜି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡାକିଛନ୍ତି ଶରଦ ପାୱାର । ଦିଲ୍ଲୀରେ ଏହି ବୈଠକ ହେବ, ଏଥିପାଇଁ ଶରଦ ପାୱାର ଦିଲ୍ଲୀରେ ପହଞ୍ଚିଛନ୍ତି । ତେବେ ଏହି ବୈଠକ ପୂର୍ବରୁ ଦିଲ୍ଲୀର ଏନସିପି ପାର୍ଟି ଅଫିସ ସାମ୍ନାରେ ବାହୁବଳୀ ଫିଲ୍ମର ପୋଷ୍ଟର ଲଗାଯାଇଛି । ଯେଉଁ ପୋଷ୍ଟରରେ ଅଜିତ ପାୱାରଙ୍କୁ ଗଦ୍ଦାର ବୋଲି ଦର୍ଶାଯାଇଛି । ସେହିଭଳି ପୋଷ୍ଟରରେ ଅଜିତ ପାୱାରଙ୍କୁ ବାହୁବଳୀ ଫିଲ୍ମର କଟ୍ଟପାଙ୍କ ଭଳି ଶରଦ ପାୱାରଙ୍କୁ ପଛପଟୁ ଛୁରୀ ଭୁସୁଥିବାର ଦେଖିବାକୁ ମିଳୁଛି । ଆଉ ଏଭଳି ପୋଷ୍ଟର ଜରିଆରେ ଅଜିତ ପାୱାରଙ୍କ ଗୋଷ୍ଠୀକୁ ଲଗାତାର ଟାର୍ଗେଟ କରି ଆସୁଛି ଶରଦଙ୍କ ଗୋଷ୍ଠୀ ।

Advertisment

ଗତ ୨ ତାରିଖରେ ଶରଦ ପାୱାରଙ୍କ ସହ ବିଦ୍ରୋହ କରି ଅଜିତ ପାୱାର ଏନସିପିର ୮ ବିଧାୟକଙ୍କ ସହ ସିନ୍ଦେ ସରକାରରେ ସାମିଲ ହୋଇଥିଲେ । ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଅଜିତ ପାୱାର । ଏହାପରେ ଅଜିତ ଓ ଶରଦଙ୍କ ଗୋଷ୍ଠୀ ୨ ଭାଗରେ ବିଭକ୍ତ ହୋଇଥିଲା । ଆଉ ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ରାଜନୈତିକ ବୟାନବାଜି ଥମୁନଥିବା ବେଳେ ତୁ ତୁ ମେଁ ମେଁ ଆରମ୍ଭ ହୋଇଛି । ଆଉ ଏସବୁ ଭିତରେ ଏନସିପି କାର୍ଯ୍ୟାଳୟରୁ ପୁରୁଣା ପୋଷ୍ଟର ହଟାଇ ନୂଆ ପୋଷ୍ଟର ଲଗାଯାଇଛି । ପୁରୁଣା ପୋଷ୍ଟରରେ ଶରଦ ପାୱାରଙ୍କ ସହ ଅଜିତ ପାୱାର ଓ ପ୍ରଫୁଲ ପଟେଲଙ୍କ ଭଳି ନେତା ଥିଲେ  । ଯାହାକୁ ହଟାଇ ଦିଆଯାଇଛି । ସେହିଭଳି ନୂଆ ପୋଷ୍ଟରରେ ଶରଦ ପାୱାର ଓ ଝିଅ ସୁପ୍ରିୟା ସୁଲେଙ୍କୁ ଦେଖିବାକୁ ମିଳୁଛି ।

ଗତକାଲି ଉଭୟ ଗୋଷ୍ଠୀର ଶକ୍ତି ପ୍ରଦର୍ଶନ ପରେ ଏବେ ଦଳ ଓ ଦଳୀୟ ଚିହ୍ନ ପାଇଁ ଆରମ୍ଭ ହୋଇଛି ଲଢେଇ । ନିର୍ବାଚନ ଆୟୋଗଙ୍କ ନିକଟରେ ଉଭୟ ପକ୍ଷ ପହଞ୍ଚି ଏନସିପିକୁ ନିଜର ବୋଲି ଦାବି କରିଛନ୍ତି । ଅଜିତ ପାୱାରଙ୍କ ପକ୍ଷରୁ ଦାୟର ହୋଇଥିବା ଯାଚିକାରେ ଅଜିତଙ୍କୁ ଏନସିପିର ଅଧ୍ୟକ୍ଷ ଭାବେ ଦଳର କର୍ମକର୍ତ୍ତା ବାଛିଥିବା ଦର୍ଶାଇଛନ୍ତି । ସେହିଭଳି ଶରଦ ପାୱାରଙ୍କ ପକ୍ଷରୁ ଦାୟର କରାଯାଇଥିବା ଯାଚିକାରେ କୁହାଯାଇଛି ଯେ, କୌଣସି ଶୁଣାଣୀ ପୂର୍ବରୁ ନିର୍ବାଚନ ଆୟୋଗ ତାଙ୍କ ପକ୍ଷ ଶୁଣନ୍ତୁ । ସିନ୍ଦେ ସରକାରରେ ଶପଥ ନେଇଥିବା ୯ ମନ୍ତ୍ରୀଙ୍କୁ ନିର୍ବାଚନ ଆୟୋଗ ଅଯୋଗ୍ୟ ଘୋଷିତ କରନ୍ତୁ । କାରଣ ଏମାନେ ଦଳର ନୀତି ବିରୋଧରେ ଯାଇ ମନ୍ତ୍ରୀପଦ ଭାବେ ଶପଥ ନେଇଛନ୍ତି ।