କନକ ବ୍ୟୁରୋ: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ମହାମାରୀର କାୟା । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ଇତି ମଧ୍ୟରେ ଆଜି ବି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଗତ ୨୪ ଘଂଟା ଭିତରେ ସର୍ବାଧିକ ୧୮୩୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୨ ହଜାର ୫୫୦କୁ ବୃଦ୍ଧି ପାଇଛି । ସେପଟେ ଆଜି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୧ ଶହ ୧୮ ଜଣ ଆକ୍ରାନ୍ତ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୭୧୫ ଜଣ ଆକ୍ରାନ୍ତ ସ୍ଥାନୀୟ ଅଂଚଳରୁ ଠାବ ହୋଇଛନ୍ତି । ସେହିପରି ରାଜ୍ୟରେ ବର୍ତ୍ତମାନ ସଂକ୍ରିୟ ମାମଲା ୧୫ ହଜାର ୩୭୦ ରହିଥିବା ବେଳେ ୨୬ ହଜାର ୮୮୭ ଜଣ ଆକ୍ରାନ୍ତ କରୋନା ମହାମାରୀକୁ ମାତ୍ ଦେଇ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି ।
ବଡ କଥା ହେଉଛି ଆଜି ଚିହ୍ନଟ ହୋଇଥିବା ନୂଆ ୧୮୩୩ ଆକ୍ରାନ୍ତଙ୍କ ମଧ୍ୟରୁ ସଂକ୍ରମଣ ମାମଲାରେ ଗଂଜାମକୁ ଟପିଛି ଖୋର୍ଧା ଜିଲ୍ଲା । ଆଜି ଗଂଜାମ ଜିଲ୍ଲାରୁ ୨୭୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଖୋର୍ଧାରୁ ସର୍ବାଧିକ ୨୯୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୯, ବାଲେଶ୍ୱରରୁ ୬୯, ବରଗଡରୁ ୮, ଭଦ୍ରକରୁ ୫୦, ବଲାଙ୍ଗିରରୁ ୩୭, ବୌଦ୍ଧରୁ ୩୪, କଟକରୁ ୧୨୪, ଢେଙ୍କାନାଳରୁ ୪୩, ଗଜପତିରୁ ୩୫, ଝାରସୁଗୁଡାରୁ ୩୦, ଯାଜପୁରରୁ ୬୦,ଜଗତସିଂହପୁରରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହପରି କଳାହାଣ୍ଡିରୁ ୮୪, କନ୍ଧମାଳରୁ ୧୬, କେନ୍ଦ୍ରାପଡାରୁ ୩୪, କେନ୍ଦୁଝରରୁ ୧୬, କୋରାପୁଟରୁ ୪୭, ମାଲକାନଗିରିରୁ ୩୬, ମୟୂରଭଂଜରୁ ୩୪, ନବରଙ୍ଗପୁରୁ ୧୧, ନୟାଗଡରୁ ୬୧, ନୂଆପଡାରୁ ୧, ପୁରୀରୁ ୬୭, ରାୟଗଡାରୁ ୧୫୨, ସମ୍ବଲପୁରରୁ ୩୯, ସୋନପୁରରୁ ୩୩ ଏବଂ ସୁନ୍ଦରଗଡରୁ ୧୧୦ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି ।
Follow Us