ଆଉ ୨ ନୂଆ ଆକ୍ରାନ୍ତଙ୍କ ସହ ରାଜ୍ୟରେ ୫୦ ଛୁଇଁଲା କରୋନା ରୋଗୀଙ୍କ ସଂଖ୍ୟା: ସେପଟେ ସୁସ୍ଥ ହୋଇ ଫେରିଲେ ୧୦ ରୋଗୀ; ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା

3,538

କନକ ବ୍ୟୁରୋ: ରାଜ୍ୟରେ ଗତକାଲି ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇ ଜଣ ଆକ୍ରାନ୍ତ ନେଇ ଅଧିକ ସୂଚନା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇ ନାହିଁ । କିନ୍ତୁ ଶୁକ୍ରବାର ୨୯୮ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ୨ ଜଣଙ୍କ ପଜିଟିଭ୍ ଆସିଛି । ଏନେଇ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁଇ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୫୦ ଜଣ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ଏଯାଏଁ ରାଜ୍ୟରେ ୩ ହଜାର ୫୪୭ ନମୁନା ପରୀକ୍ଷା କରାଯାଇଛି ।

ସେପଟେ ରାଜ୍ୟବାସୀଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତିର ଖବର ବି ଆସିଛି । ରାଜ୍ୟରେ ସୁସ୍ଥ ହେଲେ ଆଉ ୧୦ଜଣ କରୋନା ଆକ୍ରାନ୍ତ । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରର ୫ ଜଣ, ଭଦ୍ରକର ୨ ଜଣ ସମେତ କଟକ, ପୁରୀ ଯାଜପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ମୋଟ ୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ଜଣ ସୁସ୍ଥ ହୋଇଛନ୍ତି । ଗତକାଲି ୧୦ଜଣ ସୁସ୍ଥ ହୋଇଥିବା ବେଳେ ପୂର୍ବରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି । ଅନ୍ୟପଟେ ଜଣଙ୍କର ମୃତ୍ୟୁ ହୋଇସାରିଛି । ଗତକାଲି ସୁସ୍ଥ ହୋଇଥିବା ୧୦ ଜଣ ଆକ୍ରାନ୍ତଙ୍କ ନମୁନା ନେଗେଟିଭ ଆସିଛି । ଏବେ ବି ୩୭ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।