ବ୍ରଜ ଓ ଖାରବେଳ ଗଢିଲେ ନୂଆ ସାମ୍ମୁଖ୍ୟ! ବିଜେଡି କହିଲା, ଶୀତ ଋତୁରେ ପକ୍ଷୀ ଆସିବା ସହ ସମାନ

171

କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ଆଜି ଏକ ନୂଆ ସାମ୍ମୁଖ୍ୟ ଗଠନ ହୋଇଛି । ଉତ୍କଳ ଭାରତ ସଭାପତି ଐର ଖାରବେଳ ସ୍ୱାଇଁ ଓ ସମତା କ୍ରାନ୍ତି ଦଳର ନେତା ବ୍ରଜକିଶୋର ତ୍ରିପାଠୀ ଏକାଠି ହୋଇ ଗଢିଛନ୍ତି ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ । ଉଭୟ ନେତା କହିଛନ୍ତି, ଏହି ସାମ୍ମୁଖ୍ୟ, ନବୀନ ସରକାରଙ୍କ ବିକଳ୍ପ ହେବ । ଯେଉଁ ଦଳ ଓ ନେତା ଓଡ଼ିଶାରେ ପରିବର୍ତନ ଚାହୁଁଛନ୍ତି ସେମାନେ ଏହି ସାମୁଖ୍ୟରେ ଯୋଗ ଦେବାକୁ ଆହ୍ୱାନ ଦେଇଛନ୍ତି ଦୁଇ ନେତା ।

୨୦୧୯ ନିର୍ବାଚନ ପୂର୍ବରୁ ବିଜେଡିକୁ ଟକ୍କର ଦେବା ପାଇଁ ଅଂଟା ଭିଡିଲେ ଉକ୍ରଳ ଭାରତ ସଭାପତି ଐର ଖାରବେଳ ସ୍ୱାଇଁ ଓ ସମତା କ୍ରାନ୍ତି ଦଳର ନେତା ବ୍ରଜକିଶୋର ତ୍ରିପାଠୀ । ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ ନାଁରେ ଗଠନ କରିଛନ୍ତି ନୂଆ ସାମ୍ମୁଖ୍ୟ । ଏହି ସାମ୍ମୁଖ୍ୟ ନବୀନ ସରକାରଙ୍କ ବିକଳ୍ପ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଖାରବେଳ । ଯେଉଁ ଦଳ ଓ ନେତା ଓଡ଼ିଶାରେ ପରିବର୍ତନ ଚାହୁଁଛନ୍ତି ସେମାନେ ଏହି ସାମୁଖ୍ୟରେ ଯୋଗ ଦେବାକୁ ଆହ୍ୱାନ ଦେଇଛନ୍ତି ଦୁଇ ନେତା ।

ନୂଆ ସାମ୍ମୁଖ୍ୟକୁ ବିଜେପି ସ୍ୱାଗତ କରିଥିବା ବେଳେ ବିଜେଡି ଏହାକୁ ବାଏଁ ବାଏଁ ଉଡାଇ ଦେଇଛି । ଦଳର ମୁଖପାତ୍ର ସମୀର ଦାଶ କହିଛନ୍ତି, ଶୀତ ଋତୁରେ ଚିଳିକାକୁ ପକ୍ଷୀ ଆସିବା ଯାହା, ନିର୍ବାଚନ ଆସିଲେ ନୂଆ ଦଳ, ନୂଆ ସାମ୍ମୁଖ୍ୟ ଗଠନ ହେବା ସେୟା । ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ଏହା କଂଗ୍ରେସ ପାଇଁ କୌଣସି ଫରକ ପକାଇବ ନାହିଁ । ଖାରବେଳ ଓ ବ୍ରଜ ଏକାଠି ହୋଇ ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ ଗଠନ କରିବା ପରେ ବିଧାୟକ ଦାମ ରାଉତଙ୍କ ଆଭିମୁଖ୍ୟ କ’ଣ ହେବ, ତାହା ଉପରେ ନଜର ରହିଛି । ସେପଟେ ଦାମ କହିଛନ୍ତି, ଯିଏ ନବୀନଙ୍କ ବିରୋଧରେ କହିବେ, ତାଙ୍କୁ ସେ ସମର୍ଥନ କରିବେ ।

ବିଜେଡିକୁ ଛାଡିଦେଲେ ସବୁ ଆଂଚଳିକ ଦଳ ଓଡ଼ିଶାରେ ଫେଲ ମାରିଛି । ଏବେ ପ୍ରଶ୍ନ ଉଠୁଛି, ନବୀନଙ୍କୁ ଚ୍ୟାଲେଂଜ ଦେବା ପାଇଁ କେଉଁଠୁ ଶକ୍ତି ଯୋଗାଡ କରିବେ ଖାରବେଳ ଓ ବ୍ରଜ? କ’ଣ ହେବ ନୂଆ ସାମ୍ମୁଖ୍ୟର ଭବିଷ୍ୟତ? କେଉଁ ଦଳ ସହ କରିବେ ମେଂଟ? ଆଉ କିଏ ନେବ ଏହାର ନେତୃତ୍ୱ?