ଦ୍ୱୈତ ନଗରୀର ପୋଲିସ କମିଶନର ଭାବେ ଆଜି ଦାୟିତ୍ୱ ନେବେ ସୌମେନ୍ଦ୍ର ପ୍ରିୟଦର୍ଶୀ : ଅପରାଧ ନିୟନ୍ତ୍ରଣ ହେବା ବଡ଼ ଆହ୍ୱାନ; ପ୍ରଶ୍ନ, କାର୍ଯ୍ୟକାରୀ ହେବ ତ ବିଦାୟୀ ସିପିଙ୍କ ଯୋଜନା

127

କନକ ବ୍ୟୁରୋ : କଟକ- ଭୁବନେଶ୍ୱର ଟ୍ୱିନ୍ ସିଟିର ନୂଆ ପୁଲିସ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିବେ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ । ଦିନ ୩ଟା ୩୦ରେ ଦାୟିତ୍ୱ ଗ୍ରହଣ କରିବେ ସୌମେନ୍ଦ୍ର ପ୍ରିୟଦର୍ଶୀ । ଅପରାଧ ନିୟନ୍ତ୍ରଣ ହେବା ବଡ଼ ଆହ୍ୱାନ । ନୂଆ ଦାୟିତ୍ୱ ନେଇଥିବାରୁ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ସୌମେନ୍ଦ୍ର । ୧୯୯୫ ବ୍ୟାଚର ଏହି ଆଇପିଏସ ଅଫିସର ବିଭିନ୍ନ ସମୟରେ ସରକାରଙ୍କ ପାଇଁ ସଙ୍କଟ ମୋଚକ ସାଜିଛନ୍ତି । ରଥଯାତ୍ରା ଭଳି ବଡ ଦାୟିତ୍ୱ ହେଉ, ନବକଳେବର ଭଳି ଆହୁରି ବଡ କାମ ହେଉ କିମ୍ବା ଫନି ଭଳି ବଡ ବାତ୍ୟା ପରେ ଉଦ୍ଧାର ଓ ପୁନଃନିର୍ମାଣ କାମ ହେଉ, ସବୁଥିରେ ଖୋଜାପଡନ୍ତି ସୌମେନ୍ଦ୍ର ।

ଚେନ୍ନାଇର ଆନ୍ନା ବିଶ୍ୱବିଦ୍ୟାଳୟରୁ ବିଟେକ୍ କରିବା ପରେ ଭାରତୀୟ ପୁଲିସ ସେବା ପରୀକ୍ଷାରେ ସଫଳତା ପାଇଥିଲେ ସୌମେନ୍ଦ୍ର ଏବଂ ଓଡିଶା କ୍ୟାଡରରେ ତାଙ୍କୁ ନିଯୁକ୍ତି ମିଳିଥିଲା । ବଡ କଥା ହେଉଛି, ସୌମେନ୍ଦ୍ର ସରକାରଙ୍କ ଜଣେ ବଡ କ୍ରାଇସିସ୍ ମ୍ୟାନେଜର । ପୁରୀରେ ଯେତେବେଳେ ମନ୍ଦିର ସେବାୟତ କିମ୍ବା ଶ୍ରୀଜିଉଙ୍କ ନୀତିକାନ୍ତିକୁ ନେଇ ସମସ୍ୟା ଦେଖାଦିଏ, ସେତେବେଳେ ସରକାର ସୌମେନ୍ଦ୍ରଙ୍କୁ ଖୋଜନ୍ତି । ଅଫିସର ଅନ୍ ସ୍ପେଶାଲ ଡ୍ୟୁଟିରେ ରହି ନବକଳେବର ଭଳି ଜଟିଳ ଏବଂ ସମ୍ବେଦନଶୀଳ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିଛନ୍ତି । କ୍ରାଇମବ୍ରାଂଚର ଏଡିଜି ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀ ହାଇପ୍ରୋଫାଇଲ ପ୍ରଦୀପ ପାଣିଗ୍ରାହୀ ଓ ଅଭୟ ପାଠକ ମାମଲାର ତଦନ୍ତ କରୁଥିଲେ । ଏହାଛଡା ବହୁ ଚର୍ଚ୍ଚିତ ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିଲା କ୍ରାଇମବ୍ରାଂଚ ।

ବିଦାୟୀ ସିପିଙ୍କ ଯୋଜନା କାର୍ଯ୍ୟକାରୀ ହେବ କି ନାହିଁ । ପୂର୍ବରୁ ମୁଖିଆ ବଦଳିଲେ ଯୋଜନା ବଦଳିବା ଯାଉଥିବାର ନଜିର ରହିଛି । ତେଣୁ ଏବେ ନୂଆ ମୁଖିଆ ଆସିବା ପରେ ବିଦାୟୀ ସିପିଙ୍କ ପୁରୁଣା ଯୋଜନା ଚାଲୁ ରହିବ କି ନାହିଁ ତା ଉପରେ ପ୍ରଶ୍ନ ଉଠୁଛି ।

– ୨୦୧୯ ମସିହା ଅଗଷ୍ଟ ୨୦ ତାରିଖରେ ପୋଲିସ କମିଶନର ଭାବରେ କାର୍ଯ୍ୟରେ ଯୋଗ ଦେଇଥିଲେ ଡ. ସୁଧାଂଶୁ ଷଡ଼ଙ୍ଗୀ
– ଠିକ ଦେଢ଼ ବର୍ଷ କାର୍ଯ୍ୟକାଳ ପରେ ତାଙ୍କର ବଦଳି ହୋଇଛି ।
– ଦେଢ଼ ବର୍ଷର କାର୍ଯ୍ୟକାଳ ଭିତରେ ମହାମାରୀ କରୋନା ସାଙ୍ଗକୁ ଦ୍ୱୈତନଗରୀ ଅନେକ ଜଘନ୍ୟ ଅପରାଧର ସାମ୍ନା କରିଛି ।
– ଏସବୁ ଆହ୍ୱାନର ସୁପରିଚାଳନା କରି ନିଜ ଛାପ ଛାଡ଼ିଛନ୍ତି ।
– ‘ଆସ୍କ ମି ଏନିଥିଙ୍ଗ’ ‘ଦାଦା ବଟିକୁ ନା’ ଭଳି ଅପରେସନ ଆରମ୍ଭ କରିଥିଲେ
– ୧୯୯୯ ମସିହା ବାରଙ୍ଗ ଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀକୁ ଧରିବା ପାଇଁ ଅପରେସନ ‘ସାଇଲେଂଟ ଭାଇପର’ କରି ସଫଳତା ପାଇଥିଲେ ।
– କୋଭିଡ଼ ସମୟରେ ‘ଡାଏଲ-୧୦୦’ ଓ ସାଇବର ସେଲ୍ ପ୍ରତିଷ୍ଠା ଭଳି ଅନେକ ଯୋଜନା ଆରମ୍ଭ କରିଥିଲେ ।
– ନୂଆ ସିପି ଏହି ଯୋଜନାକୁ ଚାଲୁ ରଖିବେ ନା ନୂଆ ରଣନୀତିରେ କାମ କରିବେ ତା ଉପରେ ନଜର ।