କନକ ବ୍ୟୁରୋ : ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ କିଏ ହେବେ? କାହାକୁ ଭରସା କରିବେ ସୁପ୍ରିମୋ? ଏହାକୁ ନେଇ ନିର୍ବାଚନମଣ୍ଡଳବାସୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢ଼ୁଥିବାବେଳେ, ସାମନାକୁ ଆସିଛି ଆଉ ଏକ ରୋଚକ ଖବର । ବିଜେଡି ଟିକେଟ ପାଇଁ ନେତା ନୂଆ କୌଶଳ ଆପଣାଇଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ମୋବାଇଲରୁ ମୋବାଇଲ ଘୁରି ବୁଲୁଥିବା କେତେକ ହ୍ୱାଟ୍ସଆପ୍ ଚାଟ୍ ଏହି ଚର୍ଚ୍ଚାକୁ ବଢ଼ାଇ ଦେଇଛି । ଭାଇରାଲ ହେଉଥିିବା ଚାଟରୁ ଜଣାପଡୁଛି, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ପୁଣି ଥରେ ଟିକେଟ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବା ପାଇଁ ଏସ୍ଏଚ୍ଜି ମହିଳାଙ୍କୁ କୁହାଯାଇଛି । ଏଥିସହ ହ୍ୱାଟ୍ସଆପରେ ମେସେଜ ଦେଇ, ଏସଏଚଜି ମହିଳାଙ୍କୁ ଆସନ୍ତାକାଲି ଅପରାହ୍ଣରେ ଲକ୍ଷ୍ମୀସାଗର ମେଲଣ ପଡିଆରେ ଏକାଠି ହେବାକୁ କୁହାଯାଇଛି । ଏପିରିକି ଯିଏ ନଯିବେ ତାଙ୍କୁ ଗ୍ରୁପରୁ ବହିଷ୍କାର କରାଯିବା ଓ ସବୁ ସୁବିଧାରୁ ବଂଚିତ କରାଯିବ ବୋଲି ଲେଖାଯାଇଥିବା ଦେଖିବାକୁ ମିଳିଛି । ସବୁ ସଂଘର ପ୍ରେସିଡେଂଟ ଓ ସେକ୍ରେଟାରୀ ଏହାକୁ ଗୁରୁତର ସହକାରେ ନେବାକୁ କୁହାଯାଇଛି । କିନ୍ତୁ ଭାଇରାଲ ହେଉଥିବା ଏହିସବୁ ଚାଟ କେତେ ସତ କେତେ ମିଛ ତାହା ସ୍ପଷ୍ଟ ହୋଇନାହିଁ । ହେଲେ, ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେଡି ଟିକେଟକୁ ନେଇ କନ୍ଦଳ ଚାଲିଥିବାରୁ, ସୁପ୍ରିମୋଙ୍କ ଉପରେ ଚାପ ପକାଇବାକୁ ନେତା ଏଭଳି ଉଦ୍ୟମ କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଭୁବନେଶ୍ୱର ମଧ୍ୟ ଆସନରୁ ଟିକେଟ ପାଇଁ ନେତାଙ୍କ ନୂଆ କୌଶଳ । ସୁପ୍ରିମୋଙ୍କ ଉପରେ ଚାପ ପକାଇବାକୁ ଏସଏଚଜି ମହିଳାଙ୍କ ଦ୍ୱାରା ବିଧାୟକ ଲବି କରୁଥିବା ଚର୍ଚ୍ଚା
/kanak/media/post_attachments/wp-content/uploads/2024/04/32-3.jpg)