କନକ ବ୍ୟୁରୋ: ଦେଶରେ ବଢୁଥିବା ଜାଲ ନୋଟ୍ କାରବାର ଉପରେ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ଜାଲ ଟଙ୍କା କାରବାରକୁ ଏଣିକି ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି ଧରାଯିବ । ଏହାସହିତ ସରକାରୀ କର୍ମଚାରୀଙ୍କୁ ଅପହରଣ କିମ୍ବା ଆକ୍ରମଣ ଭଳି ଅପରାଧ ମଧ୍ୟ ଆତଙ୍କବାଦ ଶ୍ରେଣୀରେ ସାମିଲ ହେବ । ପ୍ରସ୍ତାବିତ କ୍ରିମିନାଲ କୋଡରେ ଏଭଳି ଅପରାଧକୁ ସାମିଲ କରିବା ଲାଗି କେନ୍ଦ୍ର ସରକାର ‘ଆତଙ୍କବାଦ’ର ଆଇନଗତ ସଂଜ୍ଞାରେ ସଂଶୋଧନ କରିଛନ୍ତି । ଯେଉଁମାନେ ଆତଙ୍କବାଦୀ କାର୍ଯ୍ୟ ପାଇଁ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କୁ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବ । ଯେଉଁମାନେ ଏଭଳି ଅପରାଧ ପାଇଁ ଷଡ଼ଯନ୍ତ୍ର କରନ୍ତି କିମ୍ବା ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରନ୍ତି କିମ୍ବା ଜାଣିଶୁଣି କୌଣସି ଆତଙ୍କବାଦୀ କାର୍ଯ୍ୟ କରିବାରେ ସହାୟକ ହୁଅନ୍ତି, ସେମାନଙ୍କୁ ଅତି କମ୍ରେ ୫ ବର୍ଷରୁ ଆଜୀବନ କାରାଦଣ୍ଡ ଭୋଗିବାକୁ ପଡିପାରେ ।
ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୩ ଅନୁଯାୟୀ ଯେଉଁମାନେ ନକଲି ଭାରତୀୟ ନୋଟର ଉତ୍ପାଦନ କିମ୍ବା ଚୋରା ଚାଲାଣ କିମ୍ବା ପ୍ରଚଳନ ମାଧ୍ୟମରେ ଭାରତର ଆର୍ôଥକ ସ୍ଥିରତାକୁ କ୍ଷତି ପହଞ୍ଚାଉଛନ୍ତି ସେମାନଙ୍କ କାର୍ଯ୍ୟକୁ ଆତଙ୍କବାଦୀ କାର୍ଯ୍ୟ ଭାବେ ବିଚାର କରାଯିବ । ବିଏନଏସ୍ ଏବଂ ଅନ୍ୟ ଦୁଇଟି ବିଲ୍- ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମକୁ ପ୍ରଥମେ ଅଗଷ୍ଟ ମାସରେ ସଂସଦରେ ଉପସ୍ଥାପିତ କରାଯାଇଥିଲା ଏବଂ ଅଧିକ ଯାଞ୍ଚ ପାଇଁ ଏକ କମିଟିକୁ ପଠାଯାଇଥିଲା । କମିଟିର ଆଉ କେତେକ ସୁପାରିସକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହାକୁ ଚଳିତ ସପ୍ତାହରେ ପ୍ରତ୍ୟାହାର କରାଯାଇଥିଲା । ଗତକାଲି ସଂଧ୍ୟାରେ ଲୋକସଭାରେ ଏହି ତିନୋଟିର ସଂଶୋଧିତ ବିଲ୍ ଉପସ୍ଥାପନ କରାଯାଇଛି ।