୨୦୧୯ ପାଇଁ ନିରଞ୍ଜନଙ୍କ ସେନା ପ୍ରସ୍ତୁତ, ଘୋଷଣା ହେଲା ପିସିସିର ନୂଆ କମିଟି ।

35

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ପାଇଁ ଅଣ୍ଟା ଭିଡିଛି ରାଜ୍ୟ କଂଗ୍ରେସ । ଆଉ ଏହି କ୍ରମରେ ଆଜି ପିସିସିର ନୂଆ ଟିମ ଘୋଷଣା ହୋଇଛି । ଏପରିକି ଆଗାମୀ ୨୦୧୯ ନିର୍ବାଚନୀ ବୈତରଣୀ ନିରଞ୍ଜନଙ୍କ ନେତୃତ୍ୱରେ ଲଢିବାକୁ ନିଷ୍ପତି ନେଇଛି ଦଳ । ଆଉ ଏଥିପାଇଁ ଏକ ବଡ ଟିମର ଘୋଷଣା କରାଯାଇଛି । ଯେଉଁଥିରେ ଅସନ୍ତୁଷ୍ଟ ନେତା ମାନଙ୍କୁ ସାମିଲ କରିବାକୁ ଚେଷ୍ଟା କରାଯାଇଛି । ନିରଞ୍ଜନଙ୍କ ନୂଆ ଟିମରେ ୧୪ ଜଣ ଉପସଭାପତି, ଜଣେ କୋଷାଧ୍ୟକ୍ଷଙ୍କୁ ସାମିଲ କରାଯାଇଛି । ଏହାଛଡା ସନ୍ତୁଷ୍ଟି ଫର୍ମୁଲା ଅନୁଯାୟୀ ୨୪ ଜଣ ନେତାଙ୍କୁ ସାଧାରଣ ସଂପାଦକ ଭାବେ ନୂଆ ଦାୟିତ୍ୱ ମିଳିଛି । ଆଉ ଏହା ଉପରେ ମୋହର ମାରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।

ନୂଆ କରି ଯେଉଁ ପିସିସି ତାଲିକା ପ୍ରକାଶ ପାଇଛି ସେଥିରେ ସମସ୍ତ ଅସନ୍ତୁଷ୍ଟ ନେତା ମାନଙ୍କୁ ସାମିଲ କରିବାକୁ ପ୍ରୟାସ କରାଯାଇଛି । କାର୍ଯ୍ୟକାରୀ କମିଟିରେ ୨୭ ଜଣ ସଦସ୍ୟଙ୍କୁ ସ୍ଥାନ ଦିଆଯାଇଛି । ଏହାଛଡା କିଛି ଦିନ ପୂର୍ବେ ଦଳରେ ଯୋଗ ଦେଇଥିବା ସତ୍ୟ ନାୟକଙ୍କୁ ମିଡିଆ କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଛି । ସେହିଭଳି କିଛି ଦିନ ପୂର୍ବେ ଦଳରେ ମିଶିଥିବା ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କୁ ଉପସଭାପତି ଭାବେ ନୂଆ ଦାୟିତ୍ୱ ମିଳିଛି ।

ଅନ୍ୟପଟେ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କ ମଧ୍ୟରେ ୧୩ ନେତା ଓ ସମସ୍ତ ବିଧାୟକଙ୍କୁ ସ୍ଥାନ ମିଳିଛି । ଏହାଛଡା ହେମାନନ୍ଦ ବିଶ୍ୱାଳଙ୍କୁ ଶୃଙ୍ଖଳା କମିଟି ଅଧ୍ୟକ୍ଷ କରାଯାଇଛି । ଆଉ ଏହି କମିଟିରେ ମୋଟ ୭ ଜଣ ନେତାଙ୍କୁ ରଖିଛନ୍ତି ରାହୁଲ ଗାନ୍ଧି । ମୋଟାମୋଟି ଭାବେ କଂଗ୍ରେସର କୋର କମିଟିରେ ୪୨ ଜଣ ସଦସ୍ୟଙ୍କୁ ସାମିଲ କରାଯାଇଛି । କୋଷାଧ୍ୟକ୍ଷ ଭାବେ ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲଙ୍କୁ ଦାୟିତ୍ୱ ମିଳିଛି । ଆଉ ଏହାସହ ୬ଟି ଜିଲ୍ଲା ପାଇଁ କାର୍ଯ୍ୟକାରୀ ସଭାପତିଙ୍କୁ ଦାୟିତ୍ୱ ଦିଆଯାଇଛି । ପୂର୍ବଭଳି ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ଭକ୍ତ ଦାସଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଆବାହକ ଭାବେ ରଞ୍ଜୀବ ବିଶ୍ୱାଳ କମିଟିରେ ସ୍ଥ୍ାନ ପାଇଛନ୍ତି । ଏମାନଙ୍କ ସହ ୩୮ ନେତା ଓ ସମସ୍ତ ବିଧାୟକଙ୍କୁ ଏହି କମିଟିରେ ସ୍ଥାନ ଦିଆଯାଇଛି ।

କଂଗ୍ରେସର ପୁରୁଣା ରଣନୀତି ଭଳି ପୁଣିଥରେ ଏକ ବଡ କମିଟି ଗଠନ କରି ୨୦୧୯ ନିର୍ବାଚନ ମୈଦାନକୁ ଓହ୍ଳାଇବାକୁ ଲକ୍ଷ୍ୟ ରଖିଛି ଦଳ । କାରଣ ବଡ କମିଟି ଗଠନ କରି ସମସ୍ତ ନେତା ମାନଙ୍କୁ ସନ୍ତୁଷ୍ଟ କରିବାକୁ ଚାହିଁଛନ୍ତି ନିରଞ୍ଜନ । ଏପରିକି ଏହାଦ୍ୱାରା କଂଗ୍ରେସରେ ଲାଗି ରହିଥିବା ଗୋଷ୍ଠୀକନ୍ଦଳ ଦୂର ହେବ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ସବୁଠୁ ବଡ କଥା ହେଲା, ବେଶି ଲୋକରେ ମୂଷା ମରେ ନାହିଁ ନ୍ୟାୟରେ କଂଗ୍ରେସର ଏତେ ବଡ ଟିମ ଗଠନ ହେବା ଦ୍ୱାରା ୨୦୧୯ ନିର୍ବାଚନ ଉପରେ ଏହା କଣ ପ୍ରଭାବ ପକାଇବ ତାହା ଦେଖିବା ବାକି ରହିଲା ।