ଆସନ୍ତା ୧୦ ତାରିଖରେ ନୂତନ ସଂସଦ ଗୃହର ଭୂମିପୂଜନ । ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଦେଲେ ସୂଚନା…

191

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତମାସ ୧୦ ତାରିଖରେ ନୂତନ ସଂସଦଗୃହ ପାଇଁ ନିଅଁ ପକାଇବା ସହ ଭୂମିପୂଜନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସୂଚନା ଦେଇଛନ୍ତି ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା । ଶନିବାର ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭେଟ ହେବା ପରେ ଏକ ଜାତୀୟ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି ଶ୍ରୀ ବିର୍ଲା ।

ସୂଚନା ଥାଉକି ନୂଆ ସଂସଦ ଭବନ ନିର୍ମାଣ କରିବାର ଠିକା ଟାଟା ପ୍ରୋଜେକ୍ଟ ଲିମିଟେଡକୁ ମିଳିଛି । ପାଖାପାଖି ୯୬୧.୯୦ କୋଟି ଟଙ୍କା ବିନିଯୋଗରେ ଏହି ଗୃହର ନିର୍ମାଣ କରାଯିବ । ଏହି କୋଠା ବର୍ତମାନ ଥିବା ସଂସଦଭବନ ପାଖାପାଖି ଅଞ୍ଚଳରେ ନିର୍ମାଣ କରାଯିବ । ଏହି ଗୃହ ନିର୍ମାଣ କରିବାକୁ ଆନୁମାନିକ ୨୧ ମାସ ଲାଗିବ ବୋଲି ନିର୍ମାଣକାରୀ ସଂସ୍ଥା ଟାଟା ପ୍ରୋଜେକ୍ଟ ପକ୍ଷରୁ କୁହାଯାଇଛି । ଏହି ଗୃହ ନିର୍ମାଣ ସରିବା ପରେ ଏକ ସମୟରେ ୧୩୫୦ ଜଣ ସାଂସଦ ବସିପାରିବେ ବୋଲି କୁହାଯାଇଛି ।

କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗର ସୂଚନା ମୁତାବକ ଏହି ନୂତନ ସଂସଦ ଗୃହର ଆକାର ୬୫ ହଜାର ବର୍ଗମିଟର ହେବ । ଯାହା ମଧ୍ୟରେ ୧୬,୯୨୧ ବର୍ଗମିଟର ଅଞ୍ଚଳ ଭୂତଳରେ ରହିବ । ଏହାସହ ସମ୍ପୁର୍ଣ୍ଣ କୋଠାଟି ଗ୍ରାଉଣ୍ଡଫ୍ଲୋରକୁ ମିଶାଇ ଉପରକୁ ୨ ମହଲା ନିର୍ମାଣ କରାଯିବ। ଏହାସହ ଏହି କୋଠାରେ ଅନ୍ୟ କୋଠା ଭଳି ୪ କୋଣ ପରିବର୍ତ୍ତେ ୩ ଟି କୋଣ ବା ତ୍ରିକୋଣୀୟ ହେବ । ଏହି କୋଠାରେ ସୂର୍ଯ୍ୟାଲୋକ ପଡିଲେ ଜାତୀୟ ପତାକାରେ ଥିବା ୩ଟି ରଙ୍ଗ ପ୍ରସ୍ପୁଟିତ ହେବ ।

ସଂସଦଗୃହ ମଧ୍ୟରେ ସାଂସଦମାନେ ବସିବାକୁ ବେସ୍ ଆରାମ ଦାୟକ ବ୍ୟବସ୍ଥା କରାଯିବ । ଯେମିତି କି ଗୋଟିଏ ବେଞ୍ଚର ଲମ୍ବ ଅତିକମ୍ ରେ ୨ ମିଟର ହେବ । ହେଲେ ଏବେ ପ୍ରସ୍ତାବିତ କୋଠାର କିଛି ଅଦଳ ବଦଳ ହୋଇପାରେ ବୋଲି ଆଶା କରାଯାଉଛି । ଯେମିତି କି କୋଠା ପରିସରରେ ପ୍ରଧାନମନ୍ତ୍ରୀଙ୍କ ଆବାସ ରହିବ କି ନାହିଁ ? ଏହାସହ ଉପରାଷ୍ଟ୍ରପତିଙ୍କ ଭବନ ନର୍ଥ ବ୍ଲକ ପାଖକୁ ସ୍ଥାନାନ୍ତର ହେବାର ବି କାର୍ଯ୍ୟକ୍ରମ ରହିଛି ।