କନକ ବ୍ୟୁରୋ: ମେ’ ୨୮ ତାରିଖରେ ସଂସଦ ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅପରାହ୍ଣ ୧୨ଟା ବେଳେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ଏହା ପୂର୍ବରୁ ଅର୍ଥାତ୍ ସକାଳ ସାଢ଼େ ୭ଟାରୁ ହୋମଯଜ୍ଞ ଓ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଆରମ୍ଭ ହେବ । ପୂଜା ପାଇଁ ଗାନ୍ଧୀ ମୂର୍ତି ପାଖରେ ପେଣ୍ଡାଲ ହେବ । ଏହି ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷଙ୍କ ସମେତ କିଛି ମନ୍ତ୍ରୀ ଉପସ୍ଥିତ ରହିବେ । ସକାଳ ୭.୩୦ରୁ ୮.୩୦ ଯାଏ ହେବ ପୂଜା ଓ ଯଜ୍ଞ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ସୂଚନା ମିଳିଛି । ଏହା ପରେ ସାଢ଼େ ୮ଟାରୁ ୯ଟା ଯାଏଁ ଲୋକସଭା କକ୍ଷ ଭିତରେ ସେନଗୋଲ ସ୍ଥାପନା କରାଯିବ । ସକାଳ ସାଢ଼େ ୯ଟା ବେଳେ ପ୍ରାର୍ଥନା ସଭା ଆୟୋଜିତ ହେବ । ଏହି ପ୍ରାର୍ଥନା ସଭାରେ ଶଙ୍କରାଚାର୍ଯ୍ୟଙ୍କ ସମେତ ବଡ଼ ବଡ଼ ବିଦ୍ୱାନ ପଣ୍ଡିତ ଏବଂ ସାନ୍ଧୁସନ୍ଥ ଉପସ୍ଥିତ ରହିବେ ।
ଏହାବ୍ୟତୀତ ଭଗବାନ ଶିବ ଓ ଆଦି ଶଙ୍କରାଚାର୍ଯ୍ୟଙ୍କ ପୂଜାର ହେବାର ସମ୍ଭାବନା ରହିଛି । ଏହା ପରେ ଅପରାହ୍ଣ ୧୨ଟାରୁ ଜାତୀୟ ସଂଗୀତ ସହ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି ଅବସରରେ ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ରର ସ୍କ୍ରିନିଂ ହେବ । ଏହା ପରେ ରାଜ୍ୟସଭା ଉପାଧ୍ୟକ୍ଷ, ଉପରାଷ୍ଟ୍ରପତି ଓ ରାଷ୍ଟ୍ରପତିଙ୍କ ବାର୍ତା ଅଧ୍ୟୟନ କରିବେ । ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଖଡଗେ ବିରୋଧ ଦଳ ନେତା ପଦରୁ ଇସ୍ତଫା ଦେଇସାରିଛନ୍ତି, କିନ୍ତୁ ତାଙ୍କର ଇସ୍ତଫା ମଞ୍ଜୁର ହୋଇନାହିଁ । ଅନ୍ୟପକ୍ଷରେ କଂଗ୍ରେସ ଉଦଘାଟନ କାର୍ଯ୍ୟକ୍ରମ ବହିଷ୍କାର କରିବାକୁ ଘୋଷଣା କରିଛି । ଏପରି ସ୍ଥିତିରେ ବିରୋଧୀ ନେତାଙ୍କ ସମ୍ବୋଧନଙ୍କୁ ନେଇ ଆଶଙ୍କା ଦେଖାଦେଇଛି । ଶେଷରେ ପ୍ରଧାନମନ୍ତ୍ରୀ ସମ୍ବୋଧନ ଦେବେ ଏବଂ ଅପରାହ୍ଣ ସାଢ଼େ ୨ଟା ବେଳେ କାର୍ଯ୍ୟକ୍ରମ ଶେଷ ହେବ ।
Follow Us