ନୂଆ ସଂସଦ ଭବନ, ନୂଆ ରାଜନୀତି: କ’ଣ କହିଲେ ଜୟରାମ ରମେଶ? କଂଗ୍ରେସ ନେତାଙ୍କୁ ଜେପି ନଡ୍ଡାଙ୍କ ଜବାବ

99

କନକ ବ୍ୟୁରୋ: ନୂଆ ସଂସଦଭବନକୁ ନେଇ ବୟାନବାଜୀ । ସୋସିଆଲ ମିଡିଆ ଏକ୍ସରେ ଏକ ଲମ୍ବାଚଉଡା ଲେଖା ପୋଷ୍ଟ କରି ଏକାଧିକ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ । ନୂଆ ସଂସଦ ଭବନ ନାଁ ମୋଦୀ ମଲିଟିପ୍ଲେକସ ହେବା ଉଚିତ ବୋଲି କହିଛନ୍ତି ରମେଶ । ସେପଟେ ନୂଆ ସଂସଦଭବନର ନିର୍ମାଣ ଢାଂଚାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । କଂଗ୍ରେସ ନେତାଙ୍କ ଏହି ବୟାନକୁ ଏକ ନିଚ୍ଚ ଆଚରଣ ବୋଲି କହିଛି ବିଜେପି ।

ନୂଆ ସଂସଦ ଭବନକୁ ‘ମୋଦୀ ମଲଟିପ୍ଲେକସ’ ନାଁ ଦେବା ଉଚିତ । କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସୋସିଆଲ ମିଡିଆ ଏକ୍ସରେ ଲମ୍ବା ଚଉଡା ପୋଷ୍ଟ କରି କିଛି ଏଭଳି କହିଛନ୍ତି । ଜୟରାମ ଲେଖିଛନ୍ତି- ନୂଆ ସଂସଦ ଭବନକୁ ଆଡ଼ମ୍ବରପୂର୍ଣ୍ଣ ସହ ଉଦ୍ଘାଟନ କରିଛନ୍ତି ମୋଦୀ ସରକାର । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟକୁ ପୂରା କରିବା ପାଇଁ ଏହା ଉଦ୍ଦିଷ୍ଟ ଥିଲା । ଏହାର ନାଁ ମୋଦୀ ମଲଟିପ୍ଲେକସ୍ ବା ମୋଦୀ ମାରିୟଟ ହେବା ଉଚିତ । କେବଳ ସେତିକି ନୁହେଁ ପୁରୁଣା ଓ ନୂଆ ସଂସଦଭବନକୁ ତୁଳନା କରିଛନ୍ତି ଜୟରାମ ରମେଶ । ନୂଆ ସଂସଦଭବନର ନିର୍ମାଣ ଢାଂଚା ଉପରେ ଜୟରାମ ପ୍ରଶ୍ନ ଉଠାଇଛନ୍ତି । କୋଟି କୋଟି ଅର୍ଥ ବିନିଯୋଗରେ ନିର୍ମିତ ନୂଆ ସଂସଦଭବନରେ ଆଦୌ ଆରାମଦାୟକ ନୁହେଁ ବୋଲି ନିଜ ଲେଖାରେ ସେ କହିଛନ୍ତି । ନିଜ ପୋଷ୍ଟରେ ନୂଆ ସଂସଦଭବନରେ କି ତ୍ରୁଟି ରହିଛି ତାକୁ ନେଇ ଏକ ଲମ୍ବା ଅଭିଯୋଗର ଲେଖା ଲେଖିିଛନ୍ତି କଂଗ୍ରେସ ନେତା ।

ଜୟରାମ ରମେଶଙ୍କ ବୟାନ ଉପରେ ଜବାବ ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ନଡ୍ଡା କହିଛନ୍ତି । ଏଭଳି ବୟାନ କଂଗ୍ରେସର ନିଚ୍ଚ ମାନସିକତାକୁ ଦର୍ଶାଉଛି । କଂଗ୍ରେସ ଏକ ସଂସଦ ବିରୋଧୀ ଦଳ ଅଟେ । ଦେଶବାସୀଙ୍କୁ ମନୋଭାବନାକୁ ବାରମ୍ବାର ଆଘାତ ଦେଉଛି କଂଗ୍ରେସ ।

୨୦୨୦ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀ ନୂଆ ସଂସଭବନର ଆଧାରଶିଳା ରଖିଥିଲେ । ୩ବର୍ଷ ନିର୍ମାଣ କାମ ଶେଷ ପରେ ମେ ୨୮ରେ ଏହାର ଉଦଘାଟନ ହୋଇଥିଲା । ୬୪ହଜାର ୫ଶହ ବର୍ଗଫୁଟରେ ତ୍ରିକୋଣୀୟ ଆକାରରେ ନିର୍ମିତ ନୂଆ ସଂସନଦଭବନରେ ପ୍ରାୟ ୮୬୨କୋଟି ଟଙ୍କା ଖର୍ଚ୍ଚ ହୋଇଛି ।