ଏଣିକି ଜାମ୍ କଲେ ଜରିମାନା…ରାଜଧାନୀରେ ଲାଗୁ ହେଲା ନୂଆ ପାର୍କିଂ କଟକଣା: ଭୁବନେଶ୍ୱରର ଏହି ୬ଟି ଛକରେ ଏବେ ଗାଡି ରଖିଲେ ୫ଶହ ଟଙ୍କା ଫାଇନ ସାଙ୍ଗକୁ ହରାଇପାରନ୍ତି ଗାଡି

2,293

କନକ ବ୍ୟୁରୋ: ଏଣିକି ଅବୈଧ ଢଙ୍ଗରେ ଗାଡି ପାର୍କିଂ କଲେ ଦେବାକୁ ପଡିବ ଜରିମାନା । ଆଉ ସେ ପୁଣି ଶହେ କି ଦୁଇ ଶହ ନୁହେଁ ବରଂ ୫ ଶହ ଟଙ୍କା । ଆଉ ଯଦି ଗାଡି ଉଠାଇନେଲା ବେଳେ କ୍ରେନ ବ୍ୟବହାର କରାଯାଏ ତାହା ହେଲେ ସେ ବାବଦୀୟ ଖର୍ଚ୍ଚ ମଧ୍ୟ ପୃଥକ ଭାବେ ଭରଣା କରିବାକୁ ପଡିବ । ତେବେ ବେଆଇନ ପାର୍କିଂ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଆହୁରି କଡାକଡି କରିବାକୁ ନିଷ୍ପତି ନେବା ସହ ଏନେଇ ଆଜି ଏକ ବିଜ୍ଞପ୍ତି ପ୍ରକାଶ କରିଛି କମିଶନରେଟ୍ ପୁଲିସ ।

ନୂଆ ବିଜ୍ଞପ୍ତି ଅନୁସାରେ, ବେଆଇନ ଢଙ୍ଗରେ ଜନଗହଳିପୂର୍ଣ୍ଣ ରାସ୍ତାଗୁଡିକରେ ପାର୍କିଂ କରିବାକୁ ବାରଣ କରିଛି କମିଶନରେଟ୍ ପୁଲିସ । ଯଦି କୌଣସି ବ୍ୟକ୍ତି ଏହାକୁ ଉଲ୍ଲଘଂନ କରନ୍ତି ତେବେ ମୋଟର ଯାନ ଆଇନ ୨୦୧୯ ଧାରା ୧୭୭ ଅନୁସାରେ ୫ ଶହ ଟଙ୍କା ଜରିମାନା ବାବଦକୁ ତଣ୍ଡ ଗଣିବାକୁ ପଡିବ । ଏଥି ସହ ଯଦି ଅବାଧ ତରିକାରେ ପାର୍କିଂ ହୋଇଥିବା ଗାଡିକୁ ପୁଲିସ୍ ଉଠାଇ ନିଏ ତେବେ ବ୍ୟବହାର ହୋଇଥିବା କ୍ରେନ ବାବଦୀୟ ଖର୍ଚ୍ଚ ବି ମୋଟର ଯାନ ଆଇନର ଧାରା ୧୨୭ ଅନୁସାରେ ଉଲ୍ଲଂଘନକାରୀଙ୍କୁ ଅଲଗା ଭରଣା କରିବାକୁ ହେବ । ତେବେ ପ୍ରଥମ ପର୍ଯ୍ୟାୟରେ ଏହି ନିୟମକୁ ରାଜଧାନୀର ୬ଟି ପ୍ରମୁଖ ଛକରେ କଡାକଡି ଭାବେ ଲାଗୁ କରିବାକୁ ନିଷ୍ପତି ନେଇଛି କମିଶନରେଟ୍ ପୁଲିସ ।

ଏବେ ନଜର ପକାନ୍ତୁ ରାଜଧାନୀର କେଉଁ କେଉଁ ସ୍ଥାନରେ ଗାଡି ପାର୍କିଂ କଲେ ଲାଗିବ ଜରିମାନା

• ରାଜଭବନ ଛକରୁ କଳାରାହଙ୍ଗ (ପଟିଆ) ଛକ

• ଏୟାରପୋର୍ଟରୁ ନାଲକୋ ଛକ

• ଶିଶୁଭବନ ଛକରୁ ବାଣୀବିହାର

• ରସୁଲଗଡ ଛକରୁ ଜୟଦେବ ବିହାର

• ଶ୍ରୀୟା ଛକରୁ ପି.ଏଚ.ଡି କାର୍ଯ୍ୟାଳୟ

• ବାପୁଜୀନଗର

ତେବେ କମିଶନରେଟ୍ ପୁଲିସର କଟକଣା ଅନୁଯାୟୀ ଏଣିକି ରାଜଧାନୀ ଭୁବନେଶ୍ୱରର ଏହି ି ପ୍ରମୁଖ ଛକମାନଙ୍କରେ ଯଦି ଆପଣ ଗାଡି ପାର୍କିଂ କରନ୍ତି ତେବେ ଏଥିପାଇଁ ଆପଣଙ୍କୁ ୫ ଶହ ଟଙ୍କାର ତଣ୍ଡ ଗଣିବାକୁ ପଡିବ । ଏଠାରେ ଆମେ କହି ରଖୁଛୁ କି, ଗତ ସେପ୍ଟେମ୍ବର ୧ ତାରିଖରୁ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ ନିୟମ କଡାକଡି ହୋଇଯାଇଛି । ଏହି ନିୟମ ଅନୁଯାୟୀ ବିନା ହେଲମେଟରେ , ବିନା ଲାଇସେନ୍ସରେ, ସିଟ ବେଲ୍ଟ ନ ବାନ୍ଧି ଚାରିଚକିଆ ଗାଡି ଚଳାଇଲେ ମୋଟା ଅଙ୍କର ଜରିମାନା ରାଶି ଲାଗୁ ହୋଇଛି ।