କମିଶନରେଟ୍ ପୁଲିସର କଡ଼ା କଟକଣା ପରେ ଗାଡ଼ି ଚାଳକଙ୍କ ଭିତରେ ଭାଳେଣି । ଅଭିଯୋଗ, ସୂଚନା ନଦେଇ ଗାଡ଼ି ଉଠାଇ ନେଉଛି ପୋଲିସ୍ , କେଉଁଠି କରିବୁ ପାର୍କିଂ ?

224

କନକ ବ୍ୟୁରୋ: କମିଶନରେଟ୍ ପୋଲିସର ଟ୍ରାଫିକ୍ କଟକଣା ପରେ ଏବେ ମୁଖ୍ୟ ରାସ୍ତାର ପାଶ୍ୱର୍ରେ ଗାଡ଼ି ପାର୍କିଂ କଲେ ଚାଲାଣ କାଟିବ ସହ ଗାଡ଼ି ଉଠାଇ ନେଉଛି ପୋଲିସ୍ । ଆପୋଲୋ ହସପିଟାଲ୍ ସମ୍ମୁଖ ରାସ୍ତାର ଦୃଶ୍ୟ, ଭିତରେ ପାର୍କିଂ ଅଂଚଳରେ ଗାଡ଼ି ଭର୍ତି । ଉପାୟ ଶୁନ୍ୟ ହୋଇ ବାହାରେ ଗାଡ଼ି ରଖିଲେ ଗାଡ଼ି ଟେକି ନେଉଛି କମିସନରେଟ୍ ପୋଲିସ । ଇମର୍ଜେନ୍ସୀରେ ରୋଗୀଙ୍କୁ ନେଇ ହସପିଟାଲ୍ ଆସିଛନ୍ତି, ହେଲେ ଗାଡ଼ି କେଉଁଠି ରଖିବେ ଉପାୟ ନପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ ।

ରାସ୍ତା ଉପରେ ଗାଡି ପାର୍କିଂ କରାଯାଉଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଏସବୁକୁ ଦୃଷ୍ଟିରେ ରଖି ରାଜଧାନୀର ବିଭିନ୍ନ ସ୍ଥାନରେ ନୋ-ପାର୍କିଂ ଜୋନ ଘୋଷଣା କରିଛି ପୋଲିସ୍  । କେଉଁଠି ପାର୍କିଂ କରାନଯିବ ନିର୍ଦ୍ଦେଶନାମା ତ ଜାରି କରାଯାଇଛି, ହେଲେ କେଉଁଠି ପାର୍କିଂ କରାଯିବ, ଏ ନେଇ କାହା ପାଖରେ କିଛି ଉତର ନାହିଁ ।

ରାଜଧାନୀର ଅନେକ ରାସ୍ତାକଡ଼ରେ ଚାଲିଛି ଡ୍ରେନେଜ୍ କାମ । ରାସ୍ତାକୁ ଛାଡ଼ି ପାର୍କିଂ କରିବା ପାଇଁ ସ୍ଥାନର ଘୋର ଅଭାବ । ଆଉ ଅଧିକାଂଶ ପ୍ରତିଷ୍ଠାନ ବି ଛିଡ଼ା ହୋଇଛି ରାସ୍ତା କଡ଼ରେ । ଏଭଳି ସ୍ଥିତିରେ କ’ଣ କରାଯିବ, କେଉଁଠି ଗାଡ଼ି ରଖିବେ ବାଟ ପାଉନାହାନ୍ତି ଲୋକେ । ପାର୍କିଂ କଟକଣାକୁ କାହାର ବିରୋଧ ନାହିଁ, ହେଲେ କଟକଣା କରିବା ପୂର୍ବରୁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଦାବି ହୋଇଛି । ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି ରାସ୍ତା ଉପରେ ଗାଡି ରଖିଥିବା ଲୋକେ ।

ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ ହେଉଛି, ନିୟମ କଡ଼ାକଡ଼ି ହେଉଛି । ହେଲେ ଭିତିଭୂମି ପ୍ରତି ବିଶେଷ କିଛି ଦୃଷ୍ଟି ଦେଉନାହାନ୍ତି କର୍ତୃପକ୍ଷ । ଫଳରେ ଯେଉଁ ନିୟମ ଲୋକଙ୍କ ହିତ ପାଇଁ ହୋଇଛି, ତାହା ଲୋକଙ୍କ ଦୁର୍ଦଶାର କାରଣ ପାଲଟୁଛି । ଗୋଟିଏ ପଟେ ପାର୍କିଂ ପାଇଁ ସ୍ଥାନର ଅଭାବ, ଅନ୍ୟପଟେ ମୋଟା ଅଂକର ଜୋରିମାନା, ଏହାରି ଭିତରେ ସନ୍ତୁଳି ହେଉଛନ୍ତି ରାଜଧାନୀ ବାସିନ୍ଦା ।