କରୋନାର ବ୍ରିଟେନ୍ ଷ୍ଟ୍ରେନକୁ ନେଇ ଭୟ ବଢ଼ୁଥିବା ବେଳେ ସାମ୍ନାକୁ ଆସିଲା ପୁଣି ୨ଟି ନୂଆ ଷ୍ଟ୍ରେନ୍: ୟୁକେ ଚିହ୍ନଟ ହେଲା ଆଉ ଦୁଇଟି ପ୍ରକାରର କରୋନା ଭୂତାଣୁ, ଦକ୍ଷିଣ ଆଫ୍ରିକାରୁ ଆସିଛି ୨ ନୂଆ ଷ୍ଟ୍ରେନ୍

ଦକ୍ଷିଣ ଆଫ୍ରିକା ଯାତ୍ରା ଉପରେ କଟକଣା

185

କନକ ବ୍ୟୁରୋ: କରୋନାର ବ୍ରିଟେନ୍ ଷ୍ଟ୍ରେନ୍କୁ ନେଇ ଆଶଙ୍କା ବଢୁଥିବା ବେଳେ ଇଂଲଣ୍ଡରେ ଆଉ ଦୁଇଟି ନୂଆ ପ୍ରକାରର କରୋନା ଭୂତାଣୁ ଚିହ୍ନଟ ହୋଇଛି । କୁହାଯାଉଛି ଏହା ସବୁଠୁ ଅଧିକ ସଂକ୍ରାମକ । ଇଂଲଣ୍ଡର ସ୍ୱାସ୍ଥ୍ୟ ସଚିବ ଦେଇଥିବା ସୂଚନା ଅନୁସାରେ ଏହି ଦୁଇ ନୂଆ ଷ୍ଟ୍ରେନ୍ ଦକ୍ଷିଣ ଆଫ୍ରିକାରୁ ଆସିଛି । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଦୁଇ ଜଣଙ୍କ ନିକଟରେ ଏହି ନୂଆ ଦୁଇ ଷ୍ଟ୍ରେନ୍ ଚିହ୍ନଟ୍ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଆଫ୍ରିକା ଯାତ୍ରା ଉପରେ ୟୁକେ ସରକାର କଟକଣା ଘୋଷଣା କରିଛନ୍ତି । ଆଉ ଯେଉଁମାନେ ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି ସେମାନଙ୍କ କଂଟାକ୍ଟ ଟ୍ରାସିଙ୍ଗ୍ କରାଯାଉଥିବା ସୂଚନା ଦିଆଯାଇଛି । ବିଗତ ୧୫ ଦିନ ଭିତରେ ଯେଉଁମାନେ ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି କିମ୍ବା ଦକ୍ଷିଣ ଆଫ୍ରିକୀୟଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜ କ୍ୱାରେଟିନ୍ କରି ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଦକ୍ଷିଣ ଆଫ୍ରିକାରୁ ଆସିଥିବା ଏହି ଦୁଇ ନୁଆ ଷ୍ଟ୍ରେନ୍ ବା କରୋନାର ପ୍ରକାରଭେଦକୁ ନେଇ ଅଧିକ ପରୀକ୍ଷା ଚାଲିଛି । ୟୁକେରେ ବର୍ତମାନ କରୋନାର ଦ୍ୱିତୀୟ ସଂକ୍ରମଣ ନେଇ ଆଶଙ୍କା ବଢ଼ିଯାଇଛି । କେବଳ ଗତକାଲି ଗୋଟିଏ ଦିନରେ ୩୬ ହଜାର ୮୦୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । କରୋନା ମହାମାରୀ ଆସିବା ଦିନଠାରୁ ଏହା ଇଂଲଣ୍ଡରେ ସର୍ବାଧିକ କରୋନା ଆକ୍ରାନ୍ତ ସଂଖ୍ୟା । ବଡ଼ କଥା ହେଉଛି, କରୋନାର ବ୍ରିଟେନ୍ ଷ୍ଟ୍ରେନ୍ ବା ସାର୍ସ କୋ-ଭି-ଟୁ ନେଇ ଚର୍ଚ୍ଚା ଥମିନଥିବା ବେଳେ କରୋନାର ଭୂତାଣୁର ବିବର୍ତନ ପୁଣି ଦୁଇଟି ନୂଆ ରୁପରେ ସାମ୍ନାକୁ ଆସିଛି । ଯାହାକୁ ସବୁଠାରୁ ଅଧିକ ସଂକ୍ରମକ ବୋଲି କୁହାଯାଉଛି ।