କନକ ବ୍ୟୁରୋ: ଜଣେ ଓଡ଼ିଶାରୁ ସାଂସଦ ଆଉ ଜଣେ ଓଡ଼ିଆ ସାଂସଦ । ଯେତେବେଳେ ଦେଶର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦୁଇ ଓଡିଆ ନେତା ଦାୟିତ୍ୱ ଗ୍ରହଣ କରିଛନ୍ତି, ତେଣୁ ସ୍ୱାଭାବିକ ଭାବେ ଏହାକୁ ନେଇ ଓଡ଼ିଶାବାସୀ ବେଶ ଉତ୍ସାହିତ ଏବଂ ଆଶାବାଦୀ । ତେଣୁ ନୂଆ ରେଳମନ୍ତ୍ରୀଙ୍କଠାରୁ ପୁରୁଣା ପ୍ରକଳ୍ପ, ନୂଆ ରେଳ ଏବଂ ରେଳର ସାମଗ୍ରୀକ ବିକାଶ ଆଶା କରିବ ଓଡ଼ିଶା । ଯାହା ଅଶ୍ୱିନୀ ବୈଷ୍ଣବଙ୍କ ପାଇଁ ଆହ୍ୱାନ । ଅନୁରୂପ ଭାବରେ ସ୍ୱାସ୍ଥ୍ୟ ପରେ ଶିକ୍ଷା ହିଁ କରୋନା କାଳରେ ପ୍ରଭାବିତ ହୋଇଛି । ତେଣୁ ଏହାକୁ ଟ୍ରାକକୁ ଆଣିବା ଧର୍ମେନ୍ଦ୍ର ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ।

Advertisment

ନୂଆ ଆହ୍ୱାନ ନେଇ ନୂଆ ଦାୟିତ୍ୱ ନେଇଛନ୍ତି ପ୍ରଶାସକରୁ ଶିଳ୍ପପତି ଏବଂ ଶିଳ୍ପପତିରୁ ରେଳମନ୍ତ୍ରୀ ବନିଥିବା ଅଶ୍ୱିନୀ ବୈଷ୍ଣବ । ଆଉ ଏତିକି ବେଳେ ଅଧପନ୍ତରିଆ ହୋଇ ପଡିରହିଥିବା ରେଳ ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ କରିବା ଅଶ୍ୱିନୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ । ବିଶେଷକରି ଖୋର୍ଦ୍ଧା ରୋଡ-ବଲାଙ୍ଗିର, ପାରାଦୀପ- ହରିଦାସପୁର, ବାଂଶପାଣି-ଦୈତାରୀ, ଭଦ୍ରକ-ନିର୍ଗୁଣ୍ଡି ଆଦି ପ୍ରକଳ୍ପ କାମକୁ ଆଗେଇ ନେବା  ଏବଂ ତା ସହିତ ରାଉରକେଲା-ଝାରସୁଗୁଡା ଓ ନାରାୟଣଗଡ- ଭଦ୍ରକ ତୃତୀୟ ଲାଇନ୍ କାମକୁ ସାରିବା ଅଶ୍ୱିନୀଙ୍କ ପାଇଁ ଆହ୍ୱାନ ହୋଇପାରେ ।

ଖାଲି ସେତିକି ନୁହେଁ, ରେଳ ମନ୍ତ୍ରାଳୟ ସହ ଅଶ୍ୱିନୀ ବୈଷ୍ଣବଙ୍କ ହାତରେ ଯୋଗାଯୋଗ, ସୂଚନା ପ୍ରଯୁକ୍ତି ଓ ଇଲୋକ୍ଟ୍ରୋନିକ୍ସ ବିଭାଗ  ମଧ୍ୟ ରହିଛି । ତେଣୁ ସୋସିଆଲ ମିଡିଆ, ଟୁଇଟର ବିବାଦ, ନୂଆ ଆଇଟି ନିୟମର ରୂପାୟନ, ବର୍ତ୍ତମାନ ସମୟରେ ଅଶ୍ୱିନୀ ବୈଷ୍ଣବଙ୍କ ପାଇଁ ଆହ୍ୱାନ ହୋଇପାରେ ।

ଅନ୍ୟପଟେ ନୂଆ ଦାୟିତ୍ୱ ମିଳୁ ମିଳୁ କାମ ଆରମ୍ଭ କରିଦେଇଛନ୍ତି- ଦେଶର ନୂଆ ଶିକ୍ଷାମନ୍ତ୍ରୀ । ଆଇଆଇଟି ବମ୍ବେ, କାନପୁର, ମାଡ୍ରାସ ଓ ବାଙ୍ଗାଲୋର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସର ନିର୍ଦ୍ଦେଶକମାନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କରୋନା କାଳରେ ଦେଶର ଶିକ୍ଷା ବ୍ୟବସ୍ଥା ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ନୂଆ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଇଁ ଅନେକ ଚ୍ୟାଲେଞ୍ଜ ରହିଛି । ନୂଆ ଶିକ୍ଷା ନୀତିର ରୂପାୟନ, ସବୁ ପିଲାଙ୍କ ପାଖରେ ଅନଲାଇନରେ ପାଠ,  କରୋନା କାଳରେ ପିଲାଙ୍କ ପ୍ରବେଶିକା କରିବା, ମହାମାରୀ ଭଳି ସ୍ଥିତିକୁ ଦୃଷ୍ଟିରେ ରଖି ସଂସ୍କାର ଆଣିବା, ଧର୍ମେନ୍ଦ୍ରଙ୍କ ପାଇଁ ବଡ଼ ଆହ୍ୱାନ ହେବ । ସେହିପରି ଦକ୍ଷତା ବିକାଶ ବିଭାଗ ଧର୍ମେନ୍ଦ୍ରଙ୍କ ହାତରେ ଥିବାରୁ ପିଲାଙ୍କୁ ପ୍ରଶିକ୍ଷଣ ଏବଂ ରୋଜଗାର କ୍ଷମ କରିବା ମଧ୍ୟ ତାଙ୍କ ପାଇଁ ଗୁରୁ ଦାୟିତ୍ୱ । ଏସବୁ ଭିତରେଧର୍ମେନ୍ଦ୍ରଙ୍କ ଉପରେ ରହିଛି ମୋଦି ସରକାରଙ୍କ ପୂର୍ଣ୍ଣ ବିଶ୍ୱାସ । ସେଥିପାଇଁ ଶିକ୍ଷା ଓ ଦକ୍ଷତା ବିକାଶ ଭଳି ପ୍ରମୁଖ ମନ୍ତ୍ରାଳୟ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଆଯାଇଛି ।