କନକ ବ୍ୟୁରୋ : ନବୀନଙ୍କ ମନ୍ତ୍ରୀମଣ୍ଡଳରେ ହେବ ବଡ ପରିବର୍ତ୍ତନ । କିଛି ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ଏହା ଭିତରେ କିଛି ମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି । ରଘୁନନ୍ଦନ ଦାସ,ପ୍ରେମାନନ୍ଦ ନାୟକ, ପଦ୍ମନାଭ ବେହେରା, ପ୍ରଫୁଲ୍ଲ ମଲ୍ଲିକ ମନ୍ତ୍ରୀ ଇସ୍ତଫା ଦେଇ ସାରିଥିବା ବେଳେ ଅନ୍ୟ ମନ୍ତ୍ରୀଙ୍କୁ ମଧ୍ୟ ଇସ୍ତଫା ଦେବାକୁ କୁହାଯାଇଛି । ତେବେ ନୂଆ ମନ୍ତ୍ରୀ ଆସନ୍ତାକାଲି ସକାଳ ୧୧ଟା ୪୫ ମିନିଟ୍ ସମୟରେଲୋକସେବା ଭବନର କନଭେନସନ ହଲରେ ଶପଥ ନେବେ । ତେବେ ନୂଆମନ୍ତ୍ରୀମଣ୍ଡଳରେ କିଏ ସ୍ଥାନ ପାଇବ ଓ କିଏ କେଉଁ ବିଭାଗ ପାଇବ ତାହା ଏଯାଏଁ ସସପେନ୍ସରେ ରହିଛି ।

Advertisment

ଅନ୍ୟପଟେ ମନ୍ତ୍ରୀ ହେବାକୁ ଆଶାୟୀ ଥିବା ନେତାଙ୍କ ଶିବିର ତତ୍ପର ହୋଇ ଉଠିଛନ୍ତି । ଖାସକରି ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ମନ୍ତ୍ରୀମଣ୍ଡଳ ଗଠନ କରିବେ ବୋଲି ଚର୍ଚ୍ଚା ହେଉଛି । ଯେଉଁଥିରେ ଜିଲ୍ଲାୱାରୀ ଫୋକସ କରାଯିବ । ଅଥାର୍ତ ସରକାରରେ ଯେପରି ସବୁ ଜିଲ୍ଲାର ପ୍ରତିନିଧିତ୍ୱ ରହିବ ତାହା ଉପରେ ଗୁରୁତ୍ୱ ଦିଆଯିବ । ଏହାଛଡା ଅନେକ ନୂଆ ଚେହେରାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବାକୁ ଥିବା ବେଳେ କିଛି ପୁରୁଖାଙ୍କୁ ବାଦ୍ ଦିଆଯାଇପାରେ । ସାଙ୍ଗଠନିକ ସ୍ତରରେ ଦଳ ପାଇଁ କାମ କରୁଥିବା ନେତାଙ୍କୁ ଦଳ ପୁରସ୍କାର ସ୍ୱରୂପ ମନ୍ତ୍ରୀପଦ ଦେଇପାରେ । ଅନ୍ୟପଟେ ବିବାଦୀୟ ମନ୍ତ୍ରୀଙ୍କୁ ଦ୍ୱିତୀୟ ଥର ସୁଯୋଗ ଦେଇନପାରନ୍ତି ନବୀନ । ଏହାଛଡା ନୂଆ ମନ୍ତ୍ରୀମଣ୍ଡଳରେ ନେତାଙ୍କର କାର୍ଯ୍ୟଦକ୍ଷତା ବଡ଼ ମାପଦଣ୍ଡ ରହିପାରେ । ଯେହେତୁ ୨୦୨୪କୁ ନିର୍ବାଚନକୁ ଦୃଷ୍ଟିରେ ରଖି ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରାଯାଉଛି ଅନେକ ଯୁବ ଚେହେରାଙ୍କୁ ସୁଯୋଗ ମିଳିପାରେ । ଯାହାର ଝଲକ ଗତ ପଞ୍ଚାୟତ, ପୌର ଓ ରାଜ୍ୟସଭା ନିର୍ବାଚନରେ ଦେଖିବାକୁ ମିଳିଛି । ଦଳକୁ ତୃଣମୂଳସ୍ତରରେ ଆହୁରି ମଜବୁତ କରିବାକୁ ନବୀନ ଏହି ଫର୍ମୁଲା ଆପଣାଇପାରନ୍ତି ।