କନକ ବ୍ୟୁରୋ: ଗୁଜରାଟରେ ଭୂପେନ୍ଦ୍ର ପଟେଲ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହେବା ପରେ ଆଜି ମନ୍ତ୍ରୀ ମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି । ତେବେ ବିଭାଗ ବଣ୍ଟନବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ନିଜ ପାଖରେ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଶାସନ, ଗୃହ ଓ ପୋଲିସ, ସହର ବିକାଶ ସହିତ ଖଣି ବିଭାଗକୁ ନିଜ ପାଖରେ ରଖିଛନ୍ତି । ତେବେ ମନ୍ତ୍ରୀମଣ୍ଡଳରେ ସବୁଠୁ ଯୁବ ନେତା କୁହାଯାଉଥିବା ହର୍ଷ ସଂଘବୀଙ୍କୁ ଗୃହ ରାଜ୍ୟ ମନ୍ତ୍ରାଳୟ ବିଭାଗ ଦିଆଯାଇଛି । ସେହିପରି ନିମିଷା ବକିଲଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଦାୟିତ୍ୱ ଦିଆଯାଇଛି ।
ବିଧାନସଭା ନିର୍ବାଚନକୁ ଆଖି ଆଗରେ ଭୂପେନ୍ଦ୍ର ପଟେଲ ଏହି ବିଭାଗ ବଣ୍ଟନ କରିଛନ୍ତି । ଯେଉଁଥିରେ ପଟିଦାର ସମୁଦାୟକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସେହିପରି ପଟେଲ ସମୁଦାୟରୁ ସବୁଠୁ ଅଧିକ ୬ ଜଣ ନେତାଙ୍କୁ ମନ୍ତ୍ରୀ ପଦ ମିଳିଛି । ଗୁଜୁରାଟରେ ଏବେ ମୁଖ୍ୟମନ୍ତ୍ରୀଙ୍କ ସମେତ ମୋଟ ୨୫ ମନ୍ତ୍ରୀ ଦାୟିତ୍ୱ ତୁଲାଇବେ । ସେହିପରି ଜିତୁ ବାଘନୀଙ୍କୁ ଶିକ୍ଷା ବିଭାଗ, ଋଷିକେଶ ପଟେଲଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ରାଘବ ଜୀ ପଟେଲଙ୍କୁ କୃଷି ପଶୁପାଳନ ଓ ଗୋ ସମ୍ବର୍ଦ୍ଧନ ବିଭାଗ ମିଳିଛି । ଏହାବ୍ୟତୀତ ଆରସି ମକବାନାଙ୍କୁ ସାମାଜିକ ନ୍ୟାୟ , ବିନୋଦ ମୋରାଡିୟାଙ୍କୁ ସହର ଗୃହ ନିର୍ମାଣ ବିଭାଗ ମିଳିଛିି ।
କିଛି ଦିନ ତଳେ ଗୁଜରାଟ ରାଜନୀତିରେ ହଠାତ୍ ହଲଚଲ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ହଠାତ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାର ଗୋଟିଏ ଦିନ ପରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସୁପାରିସକ୍ରମେ ଭୂପେନ୍ଦ୍ର ପଟେଲଙ୍କୁ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବଛା ଯାଇଥିଲା। ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ପଟେଲ ସମ୍ପ୍ରଦାୟର ଭୋଟ୍ ହାତେଇବାକୁ ବିଜେପି ନୂଆ ରଣନୀତି ଆପଣାଇଥିଲା । ଆଉ ଭୂପେନ୍ଦ୍ର ପଟେଲ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/aaaa.jpg)