ଭଦ୍ରକବାସୀଙ୍କ ପାଇଁ ଖୁସି ଖବର: ସ୍ଥାପନ ହେବ ନୂତନ ମେଡିକାଲ କଲେଜ, ଘୋଷଣା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ।

1,103

କନକ ବ୍ୟୁରୋ: ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବାକୁ ରାଜ୍ୟ ସରକାରଙ୍କ ପ୍ରୟାସ । ଭଦ୍ରକରେ ସ୍ଥାପନ ହେବ ନୂତନ ମେଡ଼ିକାଲ କଲେଜ । ଏନେଇ ଘୋଷଣା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ତେବେ ମେଡିକାଲ୍ କଲେଜ ପାଇଁ ୨୫ ଏକର ଜାଗା ଚିହ୍ନଟ ସରିଛି । ଆସନ୍ତା ବର୍ଷ ଫେବୃୟାରୀ ସୁଦ୍ଧା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଗ୍ରାଉଣ୍ଡ ଫ୍ଲୋର ସହ ୬ ମହଲା ବିଶିଷ୍ଟ କୋଠା ନିର୍ମାଣ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସାଧାରଣ ଜନତାଙ୍କର ସ୍ୱାସ୍ଥ୍ୟସେବା ସମସ୍ୟା ଦୂର କରିବାକୁ ସରକାର ବଳିଷ୍ଠ ପଦକ୍ଷେପ ନେଉଛନ୍ତି । ଆଉ ସେଥିପାଇଁ ଭଦ୍ରକ ଜିଲ୍ଲାରେ ମଧ୍ୟ ମେଡ଼ିକାଲ କଲେଜ କରିବାକୁ ନିଷ୍ପତି ନେଇଛନ୍ତି ସରକାର ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ପୂର୍ବରୁ ଭଦ୍ରକ ଜିଲ୍ଲାର ସମସ୍ତ ବିଧାୟକ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ମେଡିକାଲ କଲେଜ ସ୍ଥାପନ ପାଇଁ ଦାବି ଜଣାଇଥିଲେ । କାରଣ ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଧାର ଏବଂ ହାତପହାନ୍ତାରେ ସ୍ୱାସ୍ଥ୍ୟ ଜନିତ ସମସ୍ତ ସୁବିଧା ପହଁଚାଇବା ପାଇଁ ଗୁରୁତ୍ୱ ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଭଦ୍ରକ ଜିଲ୍ଲାର ବିଧାୟକଗଣ ।

ସବୁଠାରୁ ବଡ଼ କଥା ହେଲା, ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମରେ ମେଡ଼ିକାଲକୁ ଗୁରୁତ୍ୱ ଦିଆଉଥିବାବେଳେ ପ୍ରତି ଜିଲ୍ଲାରେ କିଭଳି ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଉନ୍ନତ ଧରଣର ମିଳିପାରିବ ସେନେଇ ସରକାର ତତ୍ପରତା ଦେଖାଉଛନ୍ତି ।