ହୁ ହୁ ହୋଇ ବଢୁଥିଲା, ଏବେ କମିଲା । ଏଲପିଜି ସିଲିଣ୍ଡର ଦର ୧୦ ଟଙ୍କା କମିଲା, ଆଜିଠୁ ନୂଆ ଦର ଲାଗୁ ।

128

କନକ ବ୍ୟୁରୋ : ରୋଷେଇ ଗ୍ୟାସ ମୂଲ୍ୟ ପ୍ରାୟ ୧୨୫ ଟଙ୍କା ବଢିଥିବା ବେଳେ ବେଶ କିଛି ମାସର ବ୍ୟବଧାନରେ ପ୍ରଥମ ଥର ପାଇଁ ଦର ହ୍ରାସ ପାଇଛି । ଏଲପିଜି ଦର ସିଲିଣ୍ଡର ପିଛା ମାତ୍ର ୧୦ ଟଙ୍କା  ହ୍ରାସ ପାଇଛି । ଏହି ଦର ଆଜିଠୁ ଲାଗୁ ହେବ । ଏଣୁ ଏହି ସାମାନ୍ୟ ପରିମାଣର ହ୍ରାସ ସାଧାରଣ ଖାଉଟିଙ୍କୁ ଯେ ଆଶ୍ବସ୍ତ କରିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ହ୍ରାସ ପରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୦୯ ଟଙ୍କାକୁ ହ୍ରାସ ପାଇବ । ସେହିପରି କୋଲକତାରେ ଏହା ୮୩୫ ଟଙ୍କାକୁ ହ୍ରାସ ପାଇବ ।

ଅନ୍ତର୍ଜାତୀୟ ବଜାରରେ ଗ୍ୟାସ ଦର ବୃଦ୍ଧି ଯୋଗୁଁ ତେଲ କମ୍ପାନିମାନେ ଗତ ମାର୍ଚ୍ଚ ମାସ ପହିଲାଠାରୁ ଏଲପିଜି (୧୪.୨ କିଲୋଗ୍ରାମ) ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି କରିଥିଲେ । ଗତ ବର୍ଷ ଡିସେମ୍ବର ମାସରେ ମଧ୍ୟ ଏଲପିଜି ଦର ଦୁଇଥର ବଢିଥିଲା ।

ଏବେ ଗତ କିଛି ଦିନ ହେଲା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଉଥିବାରୁ ପେଟ୍ରୋଲ, ଡିଜେଲ ଦର କମିବା ଆରମ୍ଭ କରିଛି । ସେହିପରି ଗ୍ୟାସ ଦର ମଧ୍ୟ ଆଗକୁ କମିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।