ସଜେଇ ହେଉଛି ଶ୍ରୀକ୍ଷେତ୍ର । ମନ୍ଦିର ଚାରିପାଖକୁ ଦିଆଯାଉଛି ନୂଆ ରୂପ । ଜୋରସୋରେ ଚାଲିଛି କାମ ।

127

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଯଜ୍ଞ ମଣ୍ଡପ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଲୋକାର୍ପଣ ଉତ୍ସବ ପାଇଁ ଅତିଥି ନିମନ୍ତ୍ରଣ ବି ସରିଲାଣି । ଏବେ ଅପେକ୍ଷା ସେହି ଶୁଭ ମୁହୁର୍ତ୍ତକୁ । ଯେଉଁଦିନ ପୂର୍ଣ୍ଣାହୁତି ହେବ ଓ ଶ୍ରୀକ୍ଷେତ୍ରର ଇତିହାସରେ ଯୋଡିହେବ ଆଉ ଏକ ଫର୍ଦ୍ଦ ।

ସଜେଇ ହେଉଛି ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିରର ଚର୍ତୁପାଶ୍ୱର୍କୁ ଦିଆଯାଉଛି ନୂଆରୂପ । ମେଘନାଦ ପାଚେରୀ ପରେ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରେ ନିର୍ମାଣ ହୋଇଛି ପ୍ରଦକ୍ଷିଣ ମାର୍ଗ । ଏହି ବାଟ ଦେଇ ପ୍ରଥମ ୧୦ ମିଟରରେ ରହିଛି ଆନ୍ତଃ ପ୍ରଦକ୍ଷିଣ ମାର୍ଗ । ପରବର୍ତ୍ତୀ ୧୦ ମିଟରରେ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍କୁ ପରିକ୍ରମା ଉଦ୍ଦେଶ୍ୟରେ ଖୋଲା ରଖାଯିବ । ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଏଇ ନିର୍ଦ୍ଦିଷ୍ଟ ମାର୍ଗ ଦେଇଯିବାର ବ୍ୟବସ୍ଥା ହୋଇଛି । ଏଥିସହ ୧୦ ମିଟରରୁ ୧୪ ମିଟର ମଧ୍ୟରେ ଲ୍ୟାଣ୍ଡ ସ୍କେପ୍ ଜୋନ୍ ରହିବ । ଏହା ମଧ୍ୟରେ ଜଗନ୍ନାଥ ସହ ଜଡିତ ବିଭିନ୍ନ ବୃକ୍ଷରାଜି ରୋପଣ କରାଯାଇଛି ।

ବିଶ୍ୱାସ ରହିଛି ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ ପ୍ରଦକ୍ଷିଣ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । କିନ୍ତୁ ପୂର୍ବରୁ ଭକ୍ତମାନେ ଶ୍ରୀମନ୍ଦିର ଭିତରେ ବେଢ଼ା ପରିକ୍ରମା କରି ବାହାରକୁ ଆସିବା ପରେ ଆଉ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ ପରିକ୍ରମା କରିପାରୁନଥିଲେ । ହେଲେ, ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ ନୂଆ ରୂପ ପାଇବା ପରେ ଭକ୍ତମାନେ ଯେ କୌଣସି ଦ୍ୱାରରେ ବାହାରିଲେ ବି ପ୍ରଦକ୍ଷିଣ କରିପାରିବେ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ହେବ ଭବ୍ୟ ଆୟୋଜନ । ୧୫ରୁ ୧୭ ପର୍ଯ୍ୟନ୍ତ ବେଦପାଠ, ସଂକୀର୍ତନ ଓ ହୋମ ଯଜ୍ଞରେ ପ୍ରକମ୍ପିତ ହେବ ଶ୍ରୀମନ୍ଦିର କରିଡର । ଦେଶବିଦେଶରୁ ଆସିବେ ସାଧୁସନ୍ଥ । ଏହି ଐତିହାସିକ ମୂହୁର୍ତର ସାକ୍ଷୀ ବନିବା ପାଇଁ ଗାଁ ଗାଁ ବୁଲୁଛି ପରିକ୍ରମା ରଥ । ଯାହା ସାରାରାଜ୍ୟକୁ ଜଗନ୍ନାଥ ମୟ କରିଛି ।