ରାଜ୍ୟରେ ଲାଗୁ ହୋଇଛି ନୂଆ ଲକଡାଉନ କଟକଣା । ଆଜିଠୁ ସାରା ରାଜ୍ୟରେ ଖୋଲିଛି ଜିମ, ସ୍ପା, ସେଲୁନ, ବ୍ୟୁଟିପାର୍ଲର । 

178

କନକ ବ୍ୟୁରୋ: ଆଜିଠାରୁ ରାଜ୍ୟରେ ଲାଗୁ ହୋଇଛି ନୂଆ ଲକଡାଉନ କଟକଣା । ନୂଆ ନିର୍ଦ୍ଦେଶାବଳୀ ଅନୁସାରେ ଆଜିଠାରୁ ସାରାରାଜ୍ୟରେ ଖୋଲିଛି ଜିମ, ସ୍ପା, ସେଲୁନ, ବ୍ୟୁଟିପାର୍ଲର । ସେହିପରି ରାଜ୍ୟରେ ଆରମ୍ଭ ହୋଇଛି ବସ୍ ସେବା । ହେଲେ କେତେକ ସ୍ଥାନରେ ବସ୍ ଗଡିଥିବାବେଳେ କଟକ, ଭୁବନେଶ୍ୱର ଭଳି ମୁଖ୍ୟ ସ୍ଥାନରେ ଗଡିନି ବସ୍ ।

ଦୀର୍ଘ ଦିନ ପରେ ସାରାରାଜ୍ୟରେ ଖୋଲିଛି ଜିମ୍ । ଆଉ ଖୋଲିବା ପରେ ସକାଳୁ ସକାଳୁ ଏମିତି ଥିଲା ଜିମ୍ ସେଂଟର ଗୁଡିକର ଦୃଶ୍ୟ । କରୋନା କଟକଣାକୁ ପାଳନ କରି ବିଭିନ୍ନ ପ୍ରକାରର ବ୍ୟାୟାମ କରିଛନ୍ତି ଯୁବକଯୁବତୀ । ସାଇକ୍ଲିଂ, ୱେଟଲିଫ୍ଟିଂ, ଟ୍ରେଡ୍ ମିଲରେ ୱାକିଂ ପରି ଏକ୍ସସରସାଇଜ୍ କରୁଥିବା ଦେଖିବାକୁ ମିଳିଛି । କରୋନାକୁ ମାତ ଦେବାକୁ ଯୋଗ ଓ ବ୍ୟାୟାମ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଜିମ୍ ଖୋଲିବାକୁ ଦୀର୍ଘ ଦିନ ହେବ ଦାବି ହୋଇ ଆସୁଥିଲା । ଏପରିକି ଆନ୍ଦୋଳନକୁ ଓହ୍ଲାଇଥିଲେ ଜିମ୍ ମାଲିକ ।

କଟକଣା କୋହଳ ହେବା ପରେ କାଟାଗୋରୀ ଏ ସମେତ କାଟାଗୋରୀ ବିରେ ଥିବା ବିଭିନ୍ନ ଜିଲ୍ଲାରେ ବସ୍ ଗଡିଛି । ବାଲେଶ୍ୱର ଭଳି ଜିଲ୍ଲାରେ ବସ୍ ଗଡିଥିବାବେଳେ କଟକ, ଖୋର୍ଦ୍ଧା ଭଳି ଜିଲ୍ଳାରେ ଗଡିନି ବସ୍ । ବାଲେଶ୍ୱରରେ କିଛି ବସ ଗଡ଼ିଥିବାର ଦେଖିବାକୁ ମିଳିଛି । ବାଲେଶ୍ୱର ବସଷ୍ଟାଣ୍ଡରେ ୧୫୦ରୁ ଅଧିକ ବସ ରହିଥିବା ବେଳେ କିଛି ବସ ଚଳାଚଳ ଆରମ୍ଭ କରିଛନ୍ତି । କଟକଣାକୁ ମାନି ସରକାରଙ୍କ ନିୟମ ମୁତାବକ ସିଟ୍ କ୍ଷମତା ଅନୁସାରେ ଯାତ୍ରୀ ନେଇ ଯାତ୍ରା ଆରମ୍ଭ କରିଛନ୍ତିି ବସ୍ । ତେବେ ବସ  ସେବା ଜାରି ରହିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଦ୍ୱନ୍ଦ ଉପୁଜିଛି ।

ରାଜ୍ୟର ପ୍ରମୁଖ ବସଷ୍ଟାଣ୍ଡ କଟକ ବାଦାମବାଡିରେ ବସ ଗଡିନାହିଁ  । ସେହିପରି ରାଜଧାନୀ ଭୁବନେଶ୍ୱରରୁ ମଧ୍ୟ ବସ୍ ଗଡି ନାହିଁ । ବସ୍ ଚଳାଚଳ କରିବ କି ନାହିଁ ଆଜି ବସ୍ ମାଲିକ ସଂଘର ବୈଠକ ବସିଥିଲେ ବି କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ପରିବହନ ମନ୍ତ୍ରୀଙ୍କୁ ଭେଟିବା ପରେ ପରବର୍ତି ନିଷ୍ପତି ନିଆଯିବ ବୋଲି ଜଣାପଡିଛି ।