କରୋନା ବେଳେ ହାତ ବାନ୍ଧି ବସିଥିବା କାରିଗରଙ୍କୁ କାମ ଦେଇଛି ଆରଏମସି । ଚିତ୍ରଶିଳ୍ପୀଙ୍କୁ ରୋଜଗାର ଯୋଗାଇ ଦେଇଛି ରାଉରକେଲା ସହରର କାନ୍ଥବାଡ, ସହରକୁ ସୁନ୍ଦର କରିବା ସହ ସଚେତନ କରୁଛି ଶିଳ୍ପୀଙ୍କ କଳ୍ପନା ।

137

କନକ ବ୍ୟୁରୋ: କରୋନା କଟକଣା ମଧ୍ୟରେ ପେଷି ହୋଇଯାଇଛି ଅନେକ ଲୋକଙ୍କ ଜୀବନ ଜୀବିକା। ରୋଜଗାର ହରାଇ ଅସହାୟ ଓ  ଦୁର୍ବିସହ ଜୀବନ ବିତାଉଥିବା ସେଭଳି ବର୍ଗର ଲୋକଙ୍କ ପାଇଁ ଏବେ ସାହାରା ପାଲଟିଛି ରାଉରକେଲା ମହାନଗର ନିଗମ ପ୍ରଶାସନ।

ଲକଡାଉନ-ସଟଡାଉନ ଭିତରେ ସଜେଇ ହେଉଛି ଷ୍ଟିଲ ସିଟି । ସ୍ମାର୍ଟସିଟିର ସୌନ୍ଦର୍ଯ୍ୟକରଣ ପାଇଁ ଉଦ୍ୟମ ଆରମ୍ଭ କରିଛି ରାଉରକେଲା ମହାନଗର ନିଗମ । ଆଉ ଏଥିରେ ସହଭାଗୀ ହୋଇଛନ୍ତି କରୋନା କଟକଣା ଭିତରେ ଜୀବିକା ହରାଇଥିବା ଚିତ୍ରଶିଳ୍ପୀ । ସହରର କାନ୍ଥବାଡ ଓ ଅନ୍ୟ ପ୍ରମୁଖ ସ୍ଥାନରେ ହୋଇଥିବା  ଚିତ୍ରକଳା ଲୋକଙ୍କ ମନରେ ସଚେତନତା ସୃଷ୍ଟି କରୁଛି । ଆଉ ଏଭଳି ଦୁର୍ଦିନରେ ନିଜ ପେଶାକୁ ଉପଯୋଗ କରି ଟଙ୍କା ରୋଜଗାର କରି ପାରୁଥିବାରୁ ଉଭୟ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ଚିତ୍ରଶିଳ୍ପୀ ।

ଜାତୀୟ ସହରାଂଚଳ ଜୀବିକା ମିଶନ ମାଧ୍ୟମରେ କୁଶଳୀ, ଅର୍ଦ୍ଧକୁଶଳୀ ଶ୍ରମିକ, କଳାକାର ଓ ଚିତ୍ରଶିଳ୍ପୀଙ୍କୁ ରୋଜଗାର ଯୋଗାଇ ଦେବା ମୁଖ୍ୟ ଉଦେଶ୍ୟ ବୋଲି ପ୍ରକଳ୍ପ ନୋଡାନ ଅଫିସର କହିଛନ୍ତି ।  ଏଥିପାଇଁ  ରାଉରକେଲା ମହାନଗର ନିଗମକୁ ୫ କୋଟି ଟଙ୍କାର ଅନଦାନ ମିଳିଛି । କରୋନା କଟକଣା ଭିତରେ ଷ୍ଟିଲ ସିଟିକୁ ସୁନ୍ଦର କରିବା ସହ ସହରବାସୀଙ୍କୁ ସଚେତନ କରାଉଛି କାଂଥରେ ହୋଇଥିବ ଏହିସବୁ ଚିତ୍ରକଳା । କରୋନାର ସଟଡାଉନ-ଲକଡାଉନ୍ ଭିତରେ ଜୀବିକା ହରାଇ ଲୋକମାନେ ହନ୍ତସନ୍ତ ହେଉଥିବା ଆରଏମସିର ଏଭଳି ଉଦ୍ୟମ ଜୀବନ ଓ ଜୀବିକା ମଧ୍ୟରେ ସୃଷ୍ଟି ହୋଇଥିବା ଦୂରତା କମାଇବ ବୋଲି ଆଶା କରାଯାଉଛି ।