ଆଇପିଏଲ ଆଗାମୀ ସିଜିନରେ ଖେଳିବେ ୧୦ ଦଳ । ଅକ୍ଟୋବର ୧୭ରେ ଦୁଇ ନୂଆ ଦଳ ପାଇଁ ନିଲାମ!

279

କନକ ବ୍ୟୁରୋ: ଆଇପିଏଲର ଆଗାମୀ ସିଜିନ୍ (୨୦୨୨) ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିସିସିଆଇ । ଟୁର୍ଣ୍ଣାମେଣ୍ଟରେ ଆଉ ଦୁଇଟି ଦଳ ସାମିଲ ହେବାକୁ ଥିବାବେଳେ ଆସନ୍ତା ଅକ୍ଟୋବର ମାସ ୧୭ ତାରିଖରେ ଏହି ଦୁଇ ନୂଆ ଟିମ୍ ପାଇଁ ନିଲାମ ହେବ ବୋଲି ସୂଚନା ମିଳିଛି । ତେବେ ବିସିସିଆଇ କିନ୍ତୁ ନିଲାମ ତାରିଖ ନେଇ ଏପର୍ଯ୍ୟନ୍ତ କୌଣସି ତାରିଖ ଘୋଷଣା କରିନାହିଁ ।

କ୍ରିକ୍ ବଜର ରିପୋର୍ଟ ମୁତାବକ, ଆଇପିଏଲରେ ଦୁଇ ନୂଆ ଟିମ୍ ସାମିଲ ହେବା ନେଇ ଆସନ୍ତା ଅକ୍ଟୋବର ୫ ତାରିଖ ଭିତରେ ଟେଣ୍ଟର ଡକ୍ୟୁମେଣ୍ଟ କିଣିବା ପ୍ରକ୍ରିୟା ଶେଷ ହେବ । ଏହାପରେ ଅକ୍ଟୋବର ୧୭ ତାରିଖରେ ଦୁଇ ନୂଆ ଦଳର ନିଲାମ ହେବ । ତେବେ ଏହି ନିଲାମ ପ୍ରକ୍ରିୟା ଅନଲାଇନ୍ ଜରିଆରେ ହେବନି ବୋଲି ଜଣାପଡିଛି ।

ଆଇପିଏଲର ୨୦୨୨ ସିଜିନରେ ବିସିସିଆଇ ଦୁଇ ନୂଆ ଦଳକୁ ସାମିଲ କରିବାକୁ ଯୋଜନା କରିଛି । ଏଥିପାଇଁ ୬ଟି ସହରକୁ ମଧ୍ୟ ବଛାଯାଇଛି । ଅହମ୍ମଦାବାଦ, ଲକ୍ଷ୍ନୌ, ଇନ୍ଦୋର, କଟକ, ଗୁହାହାଟି ଓ ଧର୍ମଶାଳା ସହର ଭିତରୁ ଦୁଇଟି ସହର ଆଗାମୀ ଆଇପିଏଲରେ ସାମିଲ ହେବେ । ତେବେ ଆରପିଏସଜି ଗ୍ରୁପର ସଞ୍ଜିବ ଗୋଏଙ୍କା ଲକ୍ଷ୍ନୌ ଟିମକୁ କିଣିବାକୁ ଆଗ୍ରହୀ ଥିବା ଜଣାପଡିଛି । ସପେଟେ ଅହମ୍ମଦାବାଦ ସହରକୁ ନେଇ ଟିମ୍ କିଣିବାକୁ ମଧ୍ୟ କିଛି ବ୍ୟକ୍ତି ନିଜର ଇଚ୍ଛା ରଖିଥିବା ସୂଚନା ମିଳିଛି ।

ଅନ୍ୟପଟେ ଦୁଇ ନୂଆ ଟିମ୍ ଆଇପିଏଲରେ ସାମିଲ ହେଲେ , ସେଇ ଅନୁଯାୟୀ ମ୍ୟାଚ୍ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିବ । ଯାହା ଫଳରେ ଆଇପିଏଲ ଆୟୋଜନର ସମୟ ସୀମା ମଧ୍ୟ ବୃଦ୍ଧି ଘଟିପାରେ । ତା ସହିତ ଦୁଇ ନୂଆ ଟିମକୁ ନେଇ ଆଗକୁ ମେଗା ଅକ୍ସନ ହେବ । ଯେଉଁଥିରେ କେବଳ ଦୁଇ ଖେଳାଳିଙ୍କୁ ଛାଡି ଅନ୍ୟ ସମସ୍ତ ଖେଳାଳିଙ୍କୁ ଟିମ୍ ମାନେ ନିଲାମ ପ୍ରକ୍ରିୟାକୁ ଛାଡିବେ । ତେଣୁ ଆସନ୍ତା ଆଇପିଏଲ୍ ସିିଜିନ୍ ଦର୍ଶକମାନଙ୍କୁ ଭରପୂର ମନୋରଞ୍ଜନ ଦେବ ବୋଲି ଆଶା କରାଯାଉଛି ।