କମାଲ କଲେ ଓଡିଆ ଛାତ୍ରଛାତ୍ରୀ । ଗଛ ସୁରକ୍ଷା ପାଇଁ ଉଦ୍ଭାବନ କଲେ ଭିନ୍ନ ଧରଣର ଆପ୍, ଘରେ ବସି ଗଛ ସର୍ମ୍ପକରେ ଟିକିନିକି ତଥ୍ୟ ପାଇପାରିବେ ଚାଷୀ

396

କନକ ବ୍ୟୁରୋ : ଗଛ ସୁରକ୍ଷା ପାଇଁ ଆପ୍ । ଏଣିକି ଆପ୍ କହିବ ଗଛର ସମସ୍ତ ସମସ୍ୟା । ଗଛକୁ କିଭଳି ସୁରକ୍ଷିତ ରଖାଯାଇପାରିବ ସେ ବିଷୟରେ ଟିକିନିକ ତଥ୍ୟ ଦେବ ଆପ୍ । ଆଉ ଏଭଳି ଏକ ଆପ୍ ପ୍ରସ୍ତୁତ କରିଛନ୍ତି ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟର ୪ ଜଣ ଛାତ୍ରଛାତ୍ରୀ । ଏହି ଆପର ପରୀକ୍ଷଣ ମଧ୍ୟ କରାଯାଇଥିବା କହିଛନ୍ତି ଆପ୍ ପ୍ରସ୍ତୁତ କରିଥିବା ଛାତ୍ରଛାତ୍ରୀ ।

ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ୪ ଛାତ୍ରଛାତ୍ରୀ ଅତୁଲ ଅଗ୍ରୱାଲ, ସୁମନ ରଥ, କଶିସ ରଥ ଓ ସୁଚିତ୍ରା ଶ୍ରୀରାମକା ଗଛ ସୁରକ୍ଷା ପାଇଁ ଏକ ଭିନ୍ନ ଧରଣର ଆପ୍ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ଗଛ କେଉଁଠି ଲାଗିଛି, ଗଛକୁ କେତେ ପରିମାଣର ସାର ଦରକାର, ମାଟିର ଉର୍ବରତା ଓ ଆର୍ଦତା କେତେ, ବାୟୁମଣ୍ଡଳର ତାପମାତ୍ରା କେତେ ରହିଛି, ଗଛ କେତେ ପରିମାଣର ସାର ପାଇଛି ସେ ସର୍ମ୍ପକରେ ସମସ୍ତ ସୂଚନା ଦେବ ଏହି ଆପ୍ । ତେବେ ଗଛ ବାବଦରେ ସମସ୍ତ ସୂଚନା ଜାଣିବା ପାଇଁ ଏହାର ମୂଳରେ ଚିପ୍ ଲଗାଯାଇଥାଏ । ଆଉ ଏହି ଚିପକୁ ସେନ୍ସର ସହ ସଂଯୋଗ କରାଯାଇଛି । ଆଉ ଏହା ମାଧ୍ୟମରେ ଗଛ ବାବଦରେ ସମସ୍ତ ତଥ୍ୟ ମୋବାଇଲ ଆପକୁ ଆପଣାଛାଏଁ ଆସିଯିବ ।

ଗଛ ବାବଦର ସମସ୍ତ ତଥ୍ୟ ଜାଣିବା ପାଇଁ ଏହାର ମୂଳରେ ଚାରଟି ସେନ୍ସର ଯୁକ୍ତ ଚିପ୍ ଲଗାଯିବ । ପ୍ରଥମ ସେନ୍ସର ମାଟିର ଆର୍ଦ୍ରତା କେତେ ରହିଛି ସେ ସର୍ମ୍ପକରେ ସୂଚନା ଦେବ । ଦ୍ୱିତୀୟ ସେନ୍ସରଟି ମାଟିର ସାର ବାବଦରେ ସୂଚନା ଦେଇଥାଏ । ଗଛ କେତେ ସାର ପାଇଛି ଓ କେତେ ସାର ଆବଶ୍ୟକ କରୁଛି ସେ ବାବଦରେ ସମସ୍ତ ସୂଚନା ଦେବ ଦ୍ୱିତୀୟ ସେନ୍ସର । ତୃତୀୟ ସେନ୍ସରଟି ଜଳବାୟୁର ତାପମାତ୍ରା ମାପିଥାଏ । ଚତୁର୍ଥ ସେନ୍ସରଟି ଗଛ ବାବଦରେ ଅନ୍ୟ ସୂଚନା ଦେବାରେ ସହାୟକ ହୋଇଥାଏ ।

ଏହି ୪ଟି ସେନ୍ସର ଗଛ ସୁରକ୍ଷାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ଆପ୍ ଉଦ୍ଭାବନ କରିଥିବା ଛାତ୍ରଛାତ୍ରୀ । ଏହି ଆପଟି ଜଙ୍ଗଲ ବିଭାଗ ଓ ଚାଷୀ ମାନଙ୍କ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହୋଇପାରିବ । କାରଣ ଏହି ମୋବାଇଲ ଆପ ମାଧ୍ୟମରେ କୃଷକ ମାନେ ଘରେ ବସି ଗଛ ସର୍ମ୍ପକରେ ସମସ୍ତ ସୂଚନା ପାଇପାରିବେ । ଛାତ୍ରଛାତ୍ରୀଙ୍କ ଏହି ଉଦ୍ଭାବନ ଆଗାମୀ ଦିନରେ ଗଛ ସୁରକ୍ଷା କ୍ଷେତ୍ରରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ  ।