କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱର ହେବ ଭିକାରୀ ମୁକ୍ତ । ଅଭିଯାନ ଆରମ୍ଭ କଲା ବିଏମସି । ସହାୟ ସ୍କିମରେ ଏକାମ୍ର ନିଳୟ ଯୋଜନାରେ ଆଜି ଭୁବନେଶ୍ୱର ବିଭିନ୍ନ ଛକରୁ ଭିକାରୀମାନଙ୍କୁ ଉଠାଇ ନେଇଛି ବିଏମସି । ପିପିଇ କିଟ ପିନ୍ଧି ବିଏମସି କର୍ମଚାରୀ ଭିକାରୀମାନଙ୍କୁ ବୁଝାସୁଝା କରି ବିଭିନ୍ନ ଆଶ୍ରୟସ୍ଥଳୀକୁ ନେଇଛନ୍ତି । ସେଠାରେ ଭିକାରୀମାନଙ୍କ ରହିବା, ଖାଇବା ଏବଂ ଥଇଥାନ ଆରମ୍ଭ କରିଛି ବିଏମସି ।
ଆଜିଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଶତାଧିକ ଭିକାରୀଙ୍କୁ ଆଶ୍ରୟସ୍ଥଳୀକୁ ନିଆଯାଇଛି । ଉଦ୍ଧାର ସମୟରେ ଭିକ ମାଗୁଥିବା ଦୁଇ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଭୁବନେଶ୍ୱର ବାଣୀବିହାର ଶନି ମନ୍ଦିର, ରାମ ମନ୍ଦିର, ସିଆରପି, ରାଜମହଲ, ମାଷ୍ଟରକ୍ୟାଂଟିନ ଭଳି ବିଭିନ୍ନ ସ୍ଥାନରୁ ଭିକାରୀଙ୍କୁ ଉଦ୍ଧାର କରାଯାଇଛି । ସହରର ୮ଟି ଆଶ୍ରୟସ୍ଥଳୀରେ ସେମାନଙ୍କୁ ରଖାଯାଇଛି ।