କନକ ବ୍ୟୁରୋ: ବୁଧବାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଘୋଷଣାବେଳେ ସଭିଁଙ୍କ ନଜର ରହିଥିଲା ଆୟକର ଟିକସ ଉପରେ । ଆଉ ଅର୍ଥମନ୍ତ୍ରୀ ଘୋଷଣା କଲେ, ବାର୍ଷିକ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆଦୌ ଟିକସ ପଡିବନି । କ’ଣ ପ୍ରକୃତରେ ବାର୍ଷିକ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତି ଆଦୌ ଆୟକର ଟିକସ ଦେବେ ନାହିଁ ? ନୂଆ ଆୟକର ବ୍ୟବସ୍ଥା ନା’ ପୁରୁଣା ଆୟକର ବ୍ୟବସ୍ଥା, କେଉଁଥିରେ ଅଧିକ ଫାଇଦା ମିଳିବ ତାହାକୁ ନେଇ ସାଧାରଣରେ ଦ୍ୱନ୍ଦ ଦେଖାଦେଇଛି ।
କ’ଣ ପ୍ରକୃତରେ ଆୟକରଦାତାଙ୍କୁ ବଡ ଆଶ୍ୱସ୍ତି ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ? କାରଣ ବଜେଟ୍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ କହିଛନ୍ତି, ବାର୍ଷିକ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆଦୌ ଟିକସ ପଡିବନି । ଏହା କେବଳ ୨୦୨୦ରେ ଲାଗୁ ହୋଇଥିବା ନୂଆ ଟାକ୍ସ ରିଜିମ୍ ପାଇଁ ଘୋଷଣା ହୋଇଛି । ଏଥିସହ ୬ଟି ଟିକସ ସ୍ଲାବକୁ କମାଇ ୫ଟି ସ୍ଲାବ କରିଦିଆଯାଇଛି । ଏଥିସହ ପୁରୁଣା ଆୟକର ରେଜିମ୍ ପୂର୍ବଭଳି ଅପରିବର୍ତ୍ତିତ ର୍ଖାଯାଇଛି । ତେଣୁ ଏବେ ନଜର ପକାନ୍ତୁ ନୂଆ ଟାକ୍ସ ରିଜିମରେ ଜଣେ ଆୟକରଦାତାଙ୍କୁ କେତେ ଲାଭ ମିଳିବ...
ଗତବର୍ଷ ୫ଲକ୍ଷ ଯାଏଁ କୌଣସି ଟିକସ ନଥିଲା । ବାର୍ଷିକ ୭ ଲକ୍ଷ ଯାଏଁ ଆୟ କରୁଥିବା ବ୍ୟକ୍ତି ୫୨ ହଜାର ୫୦୦ ଟଙ୍କା ଟିକସ ଦେଉଥିଲେ, କିନ୍ତୁ ଏବେ ତାଙ୍କୁ ଆଉ କୌଣସି ଟିକସ ଦେବାକୁ ପଡିବ ନାହିଁ ଅର୍ଥାତ ତାଙ୍କର ୫୨ ହଜାର ୫୦୦ ଟଙ୍କାର ଲାଭ ମିଳିବ । ସେହିପରି ବାର୍ଷିକ ୯ଲକ୍ଷ ଟଙ୍କା ଯାଏଁ ଆୟକାରୀ ୯୨ ହଜାର ୫୦୦ ଟଙ୍କା ଟିକସ ଦେଉଥିବାବେଳେ ଏବେ ଦେବେ ୪୫ ହଜାର ଟଙ୍କା, ଅର୍ଥାତ ୪୭ ହଜାର ୫୦୦ ଟଙ୍କାର ଫାଇଦା ମିଳିବ । ବର୍ଷକୁ ୧୨ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତି ଏବେ ୯୦ ହଜାର ଟଙ୍କା ଦେବେ ଅର୍ଥାତ ୮୨ ହଜାର ୫୦୦ ଟଙ୍କାର ଲାଭ ମିଳିବ ଏବଂ ବାର୍ଷିକ ୧୫ ଲକ୍ଷ ଟଙ୍କା ଆୟକାରୀ ୨ଲକ୍ଷ ୬୨ ହଜାର ୫୦୦ ଟଙ୍କା ଟିକସ ଦେଉଥିବାବେଳ ଏବେ ଦେବେ ଦେଢ ଲକ୍ଷ ଟଙ୍କା । ଅର୍ଥାତ ଟିକସ ସ୍ଲାବରେ ପରିବର୍ତନ ଫଳରେ ତାଙ୍କୁ ୧ ଲକ୍ଷ ୧୨ ହଜାର ୫୦୦ ଟଙ୍କାର ଲାଭ ମିଳିବ ।
କେନ୍ଦ୍ର ସରକାର ନୂଆ ଟାକ୍ସ ରିଜିମ୍ ଲାଗୁ କରିବା ସମୟରେ ପୁରୁଣା ଟାକ୍ସ ରିଜିମକୁ ମଧ୍ୟ ପୂର୍ବ ଭଳି କାଏମ ରଖିଛନ୍ତି । ତେଣୁ ଜଣେ ଆୟକରଦାତା ବିଭିନ୍ନ ନିବେଶ ମାଧ୍ୟମରେ ମଧ୍ୟ ଆୟକର ରିହାତି ପାଇପାରିବେ । କିନ୍ତୁ ଏଥିପାଇଁ ତାଙ୍କୁ ପୁରୁଣା ଟାକ୍ସ ରିଜିମକୁ ଚୟନ କରିବାକୁ ପଡିବ । କିନ୍ତୁ ଏହି ବିକଳ୍ପ କେବଳ ବ୍ୟକ୍ତିଗତ ଆୟକରଦାତାଙ୍କ ପାଇଁ ଉପଲବ୍ଧ ହେବ । ଏବେ ନଜର ପକାନ୍ତୁ ବିଭିନ୍ନ ନିବେଶ କରୁଥିଲେ ଓ ନୂଆ ଡାକ୍ସ ରିଜିମକୁ ଗଲେ ଆପଣଙ୍କର ଲାଭ ହେବ ନା କ୍ଷତି?
ଜଣେ ବ୍ୟକ୍ତି ୮୦-ସିରେ ଦେଢ ଲକ୍ଷ, ୮୦-ଡିରେ ୫୦ ହଜାର ଓ ହୋମ୍ ଲୋନ ପ୍ରିମିୟମ ବାବଦକୁ ୨ ଲକ୍ଷ । ଏହିପରି ୪ ଲକ୍ଷ ଯାଏଁ ନିବେଶ ଦର୍ଶାଉଥିଲେ ବାର୍ଷିକ ୯ ଲକ୍ଷ ଆୟ ଉପରେ ମଧ୍ୟ କୌଣସି ଟିକସ ଦେଉନଥିଲେ । ହେଲେ ନୂଆ ଟାକ୍ସ ରିଜିମରେ ତାଙ୍କୁ ୪୫ ହଜାର ଟଙ୍କା ଆୟକର ଦେବାକୁ ପଡିବ । ସେହିପରି ବାର୍ଷିକ ୧୨ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତି ୪ ଲକ୍ଷ ନିବେଶ କରୁଥିଲେ ଟିକସ ଦେଉଥିଲେ ୭୨ ହଜାର ଟଙ୍କା । କିନ୍ତୁ ସେ ନୂଆ ଟାକ୍ସ ରିଜିମକୁ ଚୟନ କଲେ ତାଙ୍କର ଟିକସ ପରିମାଣ ୯୦ ହଜାରକୁ ବଢିଯିବ, ଫଳରେ ୧୭ ହଜାର ୫୦୦ ଟଙ୍କାର କ୍ଷତି ହେବ ।
ସମାନ ଢଙ୍ଗରେ ବର୍ଷକୁ ୧୫ ଲକ୍ଷ ଟଙ୍କା ଆୟକାରୀ ବିଭିନ୍ନ ନିବେଶରୁ ରିହାତି ପାଇବା ପରେ ୧ ଲକ୍ଷ ୪୨ ହଜାର ୫୦୦ ଟଙ୍କା ଟିକସ ଦେଉଥିଲେ । ନୂଆ ଟିକସ ରିଜିମରେ ତାଙ୍କୁ ଦେଢ ଲକ୍ଷ ଟଙ୍କା ଟିକସ ଦେବାକୁ ପଡିବ, କାରଣ ଏଥିରେ କୌଣସି ନିବେଶ ରିହାତି ନାହିଁ । ଅର୍ଥାତ ତାଙ୍କୁ ୭ ହଜାର ୫୦୦ ଟଙ୍କାର କ୍ଷତି ସହିବାକୁ ପଡିବ । ତେଣୁ ଏସବୁ ଟିକସ ହିସାବକୁ ଦେଖିଲେ ଲାଗୁଛି ବାର୍ଷିକ ୭ରୁ ୯ ଲକ୍ଷ ଯାଏଁ ଆୟକାରୀ ନୂଆ ଟାକ୍ସ ରିଜିମ ଅପେକ୍ଷା ପୁରୁଣା ଟାକ୍ସ ରିଜିମକୁ ଚୟନ କରିବାକୁ ଚାହିଁବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/02/5-2.jpg)