କୋଭିଡ ଚିକିତ୍ସା ପାଇଁ ନୂଆ ଆଶା । ଗବେଷଣାରୁ ମିଳିଛି ତଥ୍ୟ, ଷ୍ଟ୍ରେରଏଡ୍ ପ୍ରୟୋଗରେ ମୃତ୍ୟୁ ଆଶଙ୍କା କମିଥାଏ ୨୦ ପ୍ରତିଶତ

446

କନକ ବ୍ୟୁରୋ : କୋଭିଡ ମୁକାବିଲା ପାଇଁ ସାରା ବିଶ୍ୱରେ ଉଦ୍ୟମ ଜାରି ରହିଛି । ଟିକା ପ୍ରସ୍ତୁତି ପାଇଁ ଯେଉଁ ଧରଣର ଦୌଡ ଲାଗିଛି, ସେହିପରି ଅନ୍ୟପଟେ ଏହାର ଚିକିତ୍ସା ଶୈଳୀରେ ପରିବର୍ତନ ପାଇଁ ମଧ୍ୟ ଉଦ୍ୟମ ଜାରି ରହିଛି । ସାତଟି ଆନ୍ତର୍ଜାତୀୟ ପରୀକ୍ଷଣରୁ ଜଣାପଡିଛି ଯେ, କୋଭିଡ୍ ରୋଗୀଙ୍କୁ ଷ୍ଟେରଏଡ୍ ପରି ଔଷଧ ଦେଲେ ରୋଗୀର ମୃତ୍ୟୁ ଆଶଙ୍କା ୨୦ ପ୍ରତିଶତ କମିଯାଏ । ନିମ୍ନ ଡୋଜ୍ରେ ଦିଆଯାଇଥିବା ହାଇଡ୍ରୋକୋର୍ଟିସନ୍, ଡେକ୍ସାମେଥାସନ୍ ଏବଂ ମିଥାଇଲ୍ ପ୍ରେଡ୍ନିସୋଲୋନ୍ର ପୃଥକ୍ ପରୀକ୍ଷଣରୁ ତଥ୍ୟ ସଂଗ୍ରହ କରାଯାଇଥିଲା । ଏଥିରୁ ଜଣାପଡିଥିଲା ଯେ ଷ୍ଟେରଏଡ୍ କୋଭିଡ୍-୧୯ ରୋଗୀଙ୍କ ବଂଚିବାର ହାରରେ ଉନ୍ନତି ଆଣୁଛି ଏବଂ ସେମାନେ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସୁସ୍ଥ ହେଉଛନ୍ତି ।

ଗବେଷକଙ୍କ ଅନୁସାରେ, କର୍ଟିକୋଷ୍ଟେରଏଡ୍ ପ୍ରୟୋଗ ହୋଇଥିବା ପ୍ରାୟ ୬୮ ପ୍ରତିଶତ ରୋଗୀ ସୁସ୍ଥ ଥିବା ବେଳେ ବିନା ଷ୍ଟେରଏଡ୍ ଏହି ଅନୁପାତ ଅନୁସାରେ ୬୦ ପ୍ରତିଶତ ରୋଗୀ ସୁସ୍ଥ ଅଛନ୍ତି । ଏହାସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁତର କୋଭିଡ୍ ରୋଗୀଙ୍କୁ ଷ୍ଟେରଏଡ୍ ପ୍ରୟୋଗ କରିବାକୁ ପରାମର୍ଶ ଦିଆଯାଇଛି । ବ୍ରିଟେନ୍ର ବ୍ରିଷ୍ଟଲ ବିଶ୍ୱବିଦ୍ୟାଲର ଡାକ୍ତରୀ ଦଳ ମଧ୍ୟ କୋଭିଡ୍ ଚିକିତ୍ସାରେ ଷ୍ଟେରଏଡ୍ ପ୍ରୟୋଗକୁ ସମର୍ଥନ କରିବା ସହ ଏହା ଲୋକଙ୍କ ମୃତ୍ୟୁ ହ୍ରାସ କରିବାରେ ପ୍ରଭାବୀ ଔଷଧ ବୋଲି ମତ ଦେଇଛନ୍ତି । ଅନ୍ୟପଟେ ଆମେରିକାରେ ଡେକ୍ସାମେଥାନର ପ୍ରୟୋଗ ପରେ ବହିୁ ଲୋକଙ୍କ ଜୀବନ ବଂଚିଯାଇଛି ବୋଲି ମତ ରଖିଛି ଆମେରିକୀୟ ମେଡିକାଲ ଆସୋସିଏସନ ଜର୍ନାଲ ।