କନକ ବ୍ୟୁରୋ: ଭାରତରେ ପ୍ରତି ବର୍ଷ ପ୍ରାୟ ୧ ଲକ୍ଷ ୭୮ ହଜାର ମହିଳା ସ୍ତନ କର୍କଟରେ ଆକ୍ରାନ୍ତ ହୋଇଥାନ୍ତି । ରୋଗରେ ଆକ୍ରାନ୍ତ ହେବା ପରେ ପୂରା ପରିବାର ହତାଶା ଭିତରକୁ ଠେଲି ହୋଇଯାଏ । ତେବେ ଏହାର ନିରାକରଣ ପାଇଁ ସୃଷ୍ଟି ହୋଇଛି ସମ୍ଭାବନା । କର୍କଟ ସୃଷ୍ଟିକାରୀ ପ୍ରୋଟିନକୁ ଚିହ୍ନଟ କରିଛନ୍ତି ଦୁଇ ଓଡିଆ ବୈଜ୍ଞାନିକ । ଜୀବ ବିଜ୍ଞାନ ପ୍ରତିଷ୍ଠାନର ଭୁବନେଶ୍ୱର ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ତତ୍ୱାବଧାନରେ ବୈଜ୍ଞାନିକ ମୋନାଲିସା ପରିଜା ନୂଆ ପ୍ରୋଟିନ୍ ଜିପିଆର-୧୪୧ ଚିହ୍ନଟ କରିଛନ୍ତି । ଏହା ଚିହ୍ନଟ ହେବା ପରେ ଔଷଧ ନିର୍ମାଣ କରିବାରେ ଲାଗିପଡିଛନ୍ତି ଓଡିଆ ବୈଜ୍ଞାନିକ । ୨୦୨୩ ଅପ୍ରେଲ ସୁଦ୍ଧା ଏହା ଆବିଷ୍କାର ହୋଇଯିବ ବୋଲି ଗବେଷଣା ଟିମ ଯୋଜନା ରଖିଛି ।

Advertisment

ଏ ସମ୍ବନ୍ଧୀୟ ଏକ ରିପୋର୍ଟ ସୋସାଇଟ୍ ଫର ବାୟୋ କେମିକାଲ ରିସର୍ଚ୍ଚ ଦ୍ୱାରା ପରିଚାଳିତ ମୋଲିକ୍ୟୁଲାର ଅଙ୍କୋଲୋଜିରେ ପ୍ରକାଶ ପାଇଛି । ଏହି ପ୍ରୋଟିନର ଚିହ୍ନଟ ପରେ କର୍କଟର ଚିକିତ୍ସା ସହଜ ହେବ ବୋଲି କହିଛନ୍ତି ଗବେଷଣା ଟିମର ମୁଖ୍ୟ । ସ୍ତନ କର୍କଟକୁ ବଢ଼ାଇଥିବା ଏହି ପ୍ରୋଟିନ୍ ଜିପିଆର -୧୪୧ ଚିହ୍ନଟ ହେବା ପରେ ଏହାର ନିରାକରଣ ପାଇଁ ଔଷଧ ତିଆରି ଆରମ୍ଭ ହୋଇଛି । ଏହି ଔଷଧ ବଜାରରେ ଉପଲବ୍ଧ ହେଲେ ଅନେକ ସ୍ତନ କର୍କଟ ନିରାକରଣ ହେବ ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ । ପ୍ରୋଟିନ୍ ଜିପିଆର ୧୪୧ ଚିହ୍ନଟ ପାଇଁ ଡକ୍ଟର ସନ୍ଦୀପ ମିଶ୍ର ଓ ତାଙ୍କ ଟିମ ୪ ବର୍ଷ ଧରି ଗବେଷଣା କରିଥିଲେ ।