ଇତିହାସ ଯୋଡ଼ିଲା ଐତିହାସିକ ରଥଯାତ୍ରା । ବଡ଼ଦାଣ୍ଡରେ ଲେଖା ହେଲା ବିଜ୍ଞାନ ଓ ବିଶ୍ୱାସର ନୂଆ କାହାଣୀ । କରୋନା କଟକଣା ପାଇଁ ସାମାଜିକ ଦୂରତା ରଖିଲେ ଶ୍ରୀଜିଉ ।

566

କନକ ବ୍ୟୁରୋ: ଆଜିର ପୁରୀ ରଥଯାତ୍ରା, ବିଜ୍ଞାନ ଓ ବିଶ୍ୱାସ ଭିତରେ ଏକ ସମନ୍ୱୟର କାହାଣୀ କୁହେ । କଟକଣା ଭିତରେ କିଭଳି ଭଗବାନ ବି ସାମାଜିକ ଦୂରତା ମାନିଲେ ତାହାର ଏକ ଉଦାହରଣ ଏବଂ ବାର୍ତ୍ତା ବଡ଼ ଦାଣ୍ଡରେ ଦେଖିବାକୁ ମିଳିଲା । ଆଜି ଶ୍ରୀମନ୍ଦିର ସେବାୟତମାନେ ମୁହଁରେ ମାସ୍କ ପିନ୍ଧିଥିଲେ, ପାଖରେ ସାନିଟାଇଜର ରଖିଥିଲେ, ସାମାଜିକ ଦୂରତା ରଖିବାକୁ ଚେଷ୍ଟା କରିଥିଲେ । ଆଉ ରଥ ଟାଣିଥିଲେ । ଗଜପତି ମହାରାଜ ମାସ୍କ ପିନ୍ଧିଥିଲେ ଓ ଛେରା ପହଁରା କରିଥିଲେ । ପୁରୀରେ ଘଂଟ ବାଜୁଥିଲା, ରଥ ଟଣାଯାଉଥିଲା । ଆଉ ଏହାରି ଭିତରେ କୋଭିଡ୍ ନିୟମ ବି ପାଳନ ହେଉଥିଲା ।

ମଣିଷ ଭିତରେ ଥିବା ବିଶ୍ୱାସ ଏବଂ ବିଜ୍ଞାନର ଏକ ସମନ୍ୱୟ ଘଟିଥିଲା । ପରମ୍ପରା ପାଳନ ବେଳେ ମଣିଷ ବିଜ୍ଞାନ ସହ ସାଲିସ୍ କରିବା ଜରୁରୀ । ଏକବିଂଶ ଶତାବ୍ଦୀରେ ବିଶ୍ୱାସ ବଂଚିଛି ଏବଂ ବିଜ୍ଞାନ ବି ବଂଚିଛି । ଆଜି ଜଗନ୍ନାଥଙ୍କ ଦେଖିଲା ବେଳେକୁ, କଟକଣା ଭିତରେ ରଥଯାତ୍ରା ଦେଖିବା ବେଳକୁ ଏକ ବିଂଶଶତାବ୍ଦୀର ଏକ ପରିପକ୍ୱ ବ୍ୟବସ୍ଥା ଆମ ସାମ୍ନାକୁ ଆସିଯାଏ । ଏକ ସମୟ ଥିଲା ରଥଯାତ୍ରାକୁ ଆସୁଥିବା ଯାତ୍ରୀମାନେ ହଇଜା ଓ ପ୍ଲେଗ୍ ରୋଗରେ ମୃତ୍ୟୁବରଣ କରୁଥିଲେ । ପାଦରେ ଚାଲି ଚାଲି ଆସୁଥିବା ଭକ୍ତମାନେ ହଜାର ହଜାର ସଂଖ୍ୟାରେ ପୁରୀରେ ମୃତ୍ୟୁବରଣ କରୁଥିଲେ ହେଲେ ଆଜି ସମୟ ବଦଳି ଯାଇଛି । ମଣିଷର ଅସହାୟତା ଆଉ ସେତେ ପରିମାଣରେ ନାହିଁ । ମଣିଷ ଭିତରେ ଆତ୍ମବିଶ୍ୱାସ ବଢ଼ିଛି, କାରଣ ବିଜ୍ଞାନ ମଣିଷକୁ ପ୍ରତି ମୁହୁର୍ତରେ ସହାୟତା ଦେଇଛି ।

ସାରା ପୃଥୀବୀ ପାଇଁ ଓଡ଼ିଶା ଏକ ଇତିହାସ ତିଆରି କଲା । ଯେତେବେଳେ ମହାମାରୀ ଚାଲିଛି, କରୋନା ଚାଲିଛି । ଯେଉଁଠି ସଙ୍ଗରୋଧରେ ରହିବା ଏକ ସର୍ବନିମ୍ନ ଆବଶ୍ୟକତା । ଯେତବେଳେ ପୃଥୀବୀର ବଡ଼ ବଡ଼ ଧର୍ମାନୁଷ୍ଠାନ ବନ୍ଦ ହେଇଯାଇଛି, ସେତେବେଳେ ପୁରୀରେ ରଥଯାତ୍ରା ହୋଇଛି । ସଂକ୍ରମଣକୁ ଏଡାଇବା ପାଇଁ ପ୍ରତିଶେଧକ ନିଆଯାଇଛି । ଏଭଳି ଏକ ସମୟରେ ରଥଯାତ୍ରା କରିବା ଅର୍ଥ ମଣିଷ କୋଭିଡ ସହ ବଂଚିବା ଶିଖୁଛି । ଦେଶରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି ।

ତେବେ ଆପଣ ସବୁ ଦିନ ପାଇଁ ୧୩୦ କୋଟି ଲୋକଙ୍କୁ ତାଲା ବନ୍ଦରେ ରଖି ପାରିବେ ନାହିଁ । ଆମକୁ ତାଲା ଖୋଲିବାକୁ ହେବ । ଆଉ ଏଥିପାଇଁ ସତର୍କତା ଜରୁରୀ । ଆଜି ପୁରୀରୁ ସେହି ବାର୍ତା ଆସୁଛି । ଯେଉଁଠି ୧୦ ଲକ୍ଷ ଭକ୍ତଙ୍କ ସମାବେଶ ହୁଏ ସେଥି କମ୍ ଲୋକଙ୍କ ଭିତରେ ରଥଯାତ୍ରା ହେଉଛି । ତେଣୁ ଆମ ସମାଜିକ ଜୀବନ ସତର୍କତା ସହ ଆଗକୁ ବଢ଼ିଛି । ଆଉ ଆଜିର ରଥଯାତ୍ରା ସେହି ବାର୍ତା ଦେଉଛି ।