ଲକଡାଉନ୍ ଭିତରେ ଅନ୍ୟ ରାଜ୍ୟକୁ ଯାତାୟତ ପାଇଁ ଶ୍ରମିକ ଓ ଅନ୍ୟ ବ୍ୟକ୍ତିଙ୍କୁ କେନ୍ଦ୍ରର ସର୍ତମୂଳକ ଅନୁମତି । ରାଜ୍ୟ ସରକାରଙ୍କ ଅନୁମତିରେ କେବଳ ବସରେ କରିହେବ ଯାତ୍ରା, କରୋନା ଲକ୍ଷଣ ଥିଲେ ମିଳିବନି ଅନୁମତି ।

1,588

କନକ ବ୍ୟୁରୋ: ଲକଡାଉନ୍ ଭିତରେ ଫସିଯାଇଥିବା ଶ୍ରମିକ, ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ ଓ ଅନ୍ୟ ବ୍ୟକ୍ତିମାନଙ୍କୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତାୟତ କରିବା ପାଇଁ ସର୍ତମୂଳକ ଭାବେ ଅନୁମତି ଦେଲେ କେନ୍ଦ୍ର ସରକାର । ବୁଧବାର ଏକ ନିର୍ଦ୍ଦେଶନାମା ଜାରି କରି କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି, ସଂପୃକ୍ତ ରାଜ୍ୟ ସରକାରମାନଙ୍କ ଅନୁମତି କ୍ରମେ ଏହି ଯାତାୟତ କରିହେବ । କେବଳ ବସ୍ ମାଧ୍ୟମରେ ଏମାନେ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଯାଇପାରିବେ ।

ସବୁ ରାଜ୍ୟ ଏଥିପାଇଁ ନୋଡାଲ କର୍ତୃପକ୍ଷ ନିଯୁକ୍ତ କରିବେ ଏବଂ ଏଥିପାଇଁ ଷ୍ଟାଣ୍ଡାର୍ଡ ପ୍ରଟୋକଲ୍ ବା ନୀତି ନିର୍ଧାରଣ କରାଯାଉ । ଯେଉଁ ରାଜ୍ୟରୁ ସେମାନେ ଯିବେ ଏବଂ ଯେଉଁ ରାଜ୍ୟକୁ ଯିବେ ଉଭୟ ରାଜ୍ୟର କର୍ତୃପକ୍ଷଙ୍କ ମଧ୍ୟରେ ଯୋଗାଯୋଗ ରହିବ । ଲକ୍ଡାଉନ୍ ଭିତରେ ଯାତାୟତ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ । ଯାତାୟତ କରୁଥିବା ଲୋକଙ୍କୁ ସ୍କ୍ରିନିଂ କରାଯିବ ଏବଂ ଯାହାର ଲକ୍ଷଣ ନଥିବ ତାଙ୍କୁ ହିଁ ଯିବା ପାଇଁ ଅନୁମତି ଦିଆଯିବ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେବଳ ବସ୍ ମାଧ୍ୟମରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବାକୁ ଅନୁମତି ଦିଆଯିବ । ବସ୍ଗୁଡିକୁ ସାନିଟାଇଜ୍ କରାଯିବ ଏବଂ ବସ୍ ଭିତରେ ମଧ୍ୟ ସମାଜିକ ଦୂରତା ରକ୍ଷା କରାଯିବ । ଏହି ବ୍ୟକ୍ତିମାନେ ଗନ୍ତବ୍ୟ ସ୍ଥଳରେ ପହଂଚିବା ପରେ ସେମାନଙ୍କୁ ସଙ୍ଗରୋଧରେ ରଖିବା ପାଇଁ ଗୃହ ମନ୍ତ୍ରାଳୟ ଜୋର ଦେଇଛି । ଅବଶ୍ୟ ସ୍ଥାନୀୟ ପ୍ରଶାସନ ନିଷ୍ପତି ନେବ କେଉଁମାନେ ଘରେ କ୍ୱାରେନ୍ଟିନ୍ରେ ରହିବେ ଏବଂ କେଉଁ ମାନେ ପ୍ରଶାସନର ସଂଗରୋଧ କେନ୍ଦ୍ରରେ ରହିବେ ।