କରୋନା ଆକ୍ରାନ୍ତଙ୍କ ପାଇଁ ଜାରି ହେଲା ନୂଆ ଗାଇଡଲାଇନ୍ । ୨ରୁ ୩ ସପ୍ତାହ ଧରି କାଶ ରହିଲେ ଯକ୍ଷ୍ମା ପରୀକ୍ଷା କରିବାକୁ ପରାମର୍ଶ ।

346

କନକ ବ୍ୟୁରୋ : କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ନୂଆ ଗାଇଡଲାଇନ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ନୂଆ ଗାଇଡଲାଇନରେ କୁହାଯାଇଛି କି ଆକ୍ରାନ୍ତଙ୍କ କାଶ ସମସ୍ୟା ଯଦି ୨ରୁ ୩ ସପ୍ତାହ ଯାଏ ଲାଗି ରହୁଛି ସେମାନେ ଟିବି ବା ଯକ୍ଷ୍ମା ଟେଷ୍ଟ କରାନ୍ତୁ । କରୋନା ଆକ୍ରାନ୍ତଙ୍କୁ ଷ୍ଟେରୋଏଡ ନ ଦିଅନ୍ତୁ ଡାକ୍ତର । କାରଣ ଷ୍ଟେରୋଏଡ ବ୍ୟବହାର ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ରୋଗ ସୃଷ୍ଟି କରୁଛି ।

କରୋନାର ଅତ୍ୟଧିକ ଲକ୍ଷଣ ଅଧିକ ଦେଖାଗଲେ ଆକ୍ରାନ୍ତମାନଙ୍କୁ ସିଟି ସ୍କାନ ଓ ରକ୍ତ ନମୂନା ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । ଜ୍ୱର ହେଲେ ଓ ଶ୍ୱାସଜନିତ ସମସ୍ୟା ଦେଖାଗଲେ ନାଜାଲ ସ୍ପ୍ରେ ବି ବ୍ୟବହାର କରିପାରିବେ । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ନହେଲେ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଅକ୍ସିଜେନ ସ୍ତର ୯୩ ତଳକୁ ରହିଲେ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇପାରିବେ । ୯୦ ତଳକୁ ରହିଲେ ତୁରନ୍ତ ଭର୍ତ୍ତି କରିବାକୁ ପରାମର୍ଶ ଦିଆଯାଇଛି । ଗୁରୁତରଙ୍କୁ ରେମଡେସିଭିର ଦିଆଯିବ । ତେବେ ବିନା ଅକ୍ସିଜେନ ସହାୟତା ଓ ଘରେ ଥିବା ରୋଗୀଙ୍କୁ ଏହା ଦିଆଯାଇପାରିବନି । ଏମ୍ସ, ଆଇସିଏମଆର ଓ ଦେଶର କୋଭିଡ ୧୯ ଟାକ୍ସ ଫୋର୍ସ ପକ୍ଷରୁ ମିଳିତଭାବେ ପ୍ରାପ୍ତ ବୟସ୍କ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏହି ନୂଆ ଗାଇଡଲାଇନ ଜାରି କରିଛନ୍ତି । ୫ଦିନରୁ ଅଧିକ ଦିନ ଜ୍ୱର ରହିଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।