କନକ ବ୍ୟୁରୋ: ବେଙ୍ଗଲ ଫେରନ୍ତା ପାଇଁ ଜାରି କରାଯାଇଥିବା କ୍ୱାରେଣ୍ଟିନ ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । କୌଣସି ବ୍ୟକ୍ତି ପଶ୍ଚିମବଙ୍ଗରୁ ଓଡିଶା ଫେରୁଥିଲେ ଯଦି ତାଙ୍କ ପାଖରେ କରୋନା ଟିକା ନେଇଥିବାର ପ୍ରମାଣପତ୍ର ଥିବ ତେବେ ତାଙ୍କୁ ୧୪ ଦିନ ନୁହେଁ ବରଂ ୭ ଦିନ ପାଇଁ ସଙ୍ଗରୋଧରେ ରହିବାକୁ ପଡିବ । ଏନେଇ ଆଜି ଏକ ନୂଆ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।
ବିଜ୍ଞପ୍ତିରେ ଥିବା ସୂଚନା ମୁତାବକ, କୌଣସି ବ୍ୟକ୍ତି ବେଙ୍ଗଲରୁ ଗାଡି, ଟ୍ରେନ୍ ଯୋଗେ ଓଡିଶା ଫେରୁଥିଲେ ସେମାନଙ୍କୁ ୧୪ ଦିନ ପାଇଁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବାକୁ ପଡିବ । ନଚେତ୍ ତାଙ୍କୁ ଓଡିଶାରେ ପ୍ରବେଶ କରିବାକୁ ସୁଯୋଗ ମିଳିବ ନାହିଁ । ଅନ୍ୟପଟେ ବିମାନଯୋଗେ ମଧ୍ୟ ପଶ୍ଚିମବଙ୍ଗରୁ ଓଡିଶା ଫେରିଲେ ସମସ୍ତଙ୍କୁ ୧୪ ଦିନ ପାଇଁ ସଙ୍ଗରୋଧରେ ରହିବାକୁ ପଡିବ ବୋଲି କୁହାଯାଇଛି ।
ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ କଟକଣାରେ ସାମାନ୍ୟ ପରିବର୍ତ୍ତନ । କରୋନା ଟିକା ପ୍ରମାଣପତ୍ର ଥିଲେ ୭ ଦିନ ପାଇଁ ସଙ୍ଗରୋଧ । ପୂର୍ବରୁ ୧୪ ଦିନ ସଙ୍ଗରୋଧ ପାଇଁ ନିର୍ଦ୍ଦେଶ ଥିଲା । #WestBengal#Odishapic.twitter.com/UH7bCRgjpb
— Kanak News (@kanak_news) April 24, 2021
ତେବେ ଯଦି ବେଙ୍ଗଲ ଫେରନ୍ତା ଲୋକ କୋଭିଡ୍ ଟିକା ନେଇଥିବା ପ୍ରମାଣପତ୍ର ଦେଖାଇବେ କିମ୍ବା ୪୮ ଘଂଟା ଭିତରେ କରୋନା ଟେଷ୍ଟ କରାଇ ନେଗେଟିଭ୍ ରିପୋର୍ଟ ଦେଖାଇବେ ତେବେ ତାଙ୍କୁ ୧୪ ଦିନ ବଦଳରେ ମାତ୍ର ୭ ଦିନ ପାଇଁ ସଙ୍ଗରୋଧରେ ରହିବାକୁ ପଡିବ । ସେ ଚାହିଁଲେ ନିଜ ଘରେ ମଧ୍ୟ ହୋମ୍ କ୍ୱାରେଣ୍ଟିନରେ ରହିପାରିବେ ବୋଲି ଏସଆରସି ସୂଚନା ଦେଇଛନ୍ତି ।
ପଶ୍ଚିମବଙ୍ଗରେ କରୋନାର ତୃତୀୟ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ବେଙ୍ଗଲ ଫେରନ୍ତାଙ୍କ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ସେଠାରୁ ଓଡିଶା ଫେରିଲେ ୧୪ ଦିନ ପାଇଁ ସଙ୍ଗରୋଧରେ ରହିବାକୁ ପଡିବ ବୋଲି ରାଜ୍ୟ ସରକାର ନିୟମ ଜାରି କରିଥିଲେ । ହେଲେ ଏବେ ଏହି ନିୟମକୁ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର ।