ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ପାଇଁ ବଦଳିଲା ଗାଇଡଲାଇନ୍: ଥରକେ ୧୭ଶହରୁ ଅଧିକ ଯାତ୍ରୀ କରିପାରିବେ ଯାତ୍ରା; ୩ଟି ସ୍ଥାନରେ ଅଟକିବ ଟ୍ରେନ୍

ଅଧିକ ସଂଖ୍ୟକ ଶ୍ରମିକ ଟ୍ରେନକୁ ଅନୁମତି ଦେବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ

2,422

କନକ ବ୍ୟୁରୋ: ପ୍ରବାସୀ ଶ୍ରମିକଙ୍କୁ ଆଣୁଥିବା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଏଣିକି ଆସିପାରିବେ ୧୭ ଶହରୁ ଅଧିକ ଯାତ୍ରୀ । ଆଜି ରେଳ ମନ୍ତ୍ରାଳୟ ଶ୍ରମିକ ସ୍ପେଶାଲ ଟ୍ରେନ ଗାଇଡଲାଇନରେ କିଛି ପରିବର୍ତନ କରିଛି । ରେଳବାଇ ସ୍ୱତନ୍ତ୍ର ଟ୍ରେନରେ ୧୨ଶହରୁ ବଢାଇ ୧୭ ଶହରୁ ଅଧିକ ଯାତ୍ରୀଙ୍କ ଯାତ୍ରା ବ୍ୟବସ୍ଥା କରିବାକୁ ନିଷ୍ପତି ନେଇଛି । ଫଳରେ ଥରକରେ ଗୋଟିଏ ଟ୍ରେନରେ ୧୭ଶହରୁ ଅଧିକ ପ୍ରବାସୀ ଶ୍ରମିକ ଯାତ୍ରା କରିପାରିବେ ।

 

ଏହାଛଡା ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଗନ୍ତବ୍ୟ ସ୍ଥଳରେ ପହଂଚିବା ପୂର୍ବରୁ ୩ଟି ଷ୍ଟେସନରେ ଟ୍ରେନ ଅଟକିବ ବୋଲି ସୂଚନା ମିଳିଛି । ରେଳ ମନ୍ତ୍ରାଳୟ ଅଧିକ ଶ୍ରମିକ ଟ୍ରେନ ପ୍ରବେଶ ପାଇଁ ଅନୁମତି ଦେବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ଅପିଲ କରିଛନ୍ତି । କମ ସଂଖ୍ୟକ ଶ୍ରମିକ ଟ୍ରେନ ଚାଲୁଥିବାରୁ ପ୍ରବାସୀ ଶ୍ରମିକମାନେ ରାସ୍ତା ଓ ରେଳ ଟ୍ରାକରେ ଚାଲି ଚାଲି ଫେରୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ମେ ୧ ତାରିଖରୁ ରେଳ ମନ୍ତ୍ରାଳୟ ୪୨୮ ରେଳ ଚଲାଇଛି । ଫଳରେ ତାଲାବନ୍ଦ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରାୟ ୫ ଲକ୍ଷ ପ୍ରବାସୀ ଶ୍ରମିକ ଘରକୁ ଫେରିପାରିଛନ୍ତି ।

ସେପଟେ ଆସନ୍ତାକାଲି ଠାରୁ ଦେଶରେ ଗଡିବ ଟ୍ରେନ୍ । ଆଜି ଠାରୁ ୱେବସାଇଟରେ ଟିକେଟ ବୁକିଂ କରିପାରିବେ ଯାତ୍ରୀ । ରେଳ ମନ୍ତ୍ରାଳୟ ନିଷ୍ପତି ଅନୁସାରେ ପ୍ରାଥମିକ ପର୍ଯ୍ୟାୟରେ ୧୫ ଯୋଡା ପାସେଞ୍ଜର ଟ୍ରେନ ଚଳାଚଳ କରିବ । ଏଥିପାଇଁ ଆଜିି ଅପରାହ୍ନ ୪ଟା ଠାରୁ ଆଇଆରସିଟିସିର ୱେବସାଇଟରେ ଲୋକେ ଟିକେଟ ବୁକ କରିପାରିବେ । ଦିଲ୍ଲୀରୁ ଦିବ୍ରୁଗଡ, ଅଗରତାଲା, ହାଓଡା, ପାଟଣା, ବିଲାସପୁର, ରାଂଚି, ସିକନ୍ଦରାବାଦ , ବେଙ୍ଗାଲୁରୁ, ଚେନ୍ନାଇ, ଥିରୁଭନ୍ତପୁରମ୍, ମାଡଗାଓଁ, ମୁମ୍ବାଇ ସେଂଟ୍ରାଲ, ଅହମଦାବାଦ ଓ ଜମ୍ମୁ ତାୱିକୁ ଟ୍ରେନ ଯାତ୍ରା କରିବ । ବଡକଥା ହେଉଛି ଦିଲ୍ଲୀରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ଦିଲ୍ଲୀକୁୁ ମଧ୍ୟ କାଲିଠାରୁ ଟ୍ରେନ ଚଳାଚଳ କରିବ । ପ୍ରତି ଯାତ୍ରୀ ମାସ୍କ ପିନ୍ଧିବାକୁ ବାଧ୍ୟ ବୋଲି ମଧ୍ୟ କୁହାଯାଇଛି । ଏହା ସହ ସେମାନଙ୍କୁ ଟ୍ରେନ ଚଢିବା ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରାଯିବ ଏବଂ କେବଳ ଲକ୍ଷଣ ପ୍ରକାଶ ପାଉ ନଥିବା ଯାତ୍ରୀ ହିଁ ଯାତ୍ରା କରିପାରିବେ ।

ଟ୍ରେନ ଚଳାଚଳ ଆରମ୍ଭକୁ ନେଇ ଭୁବନେଶ୍ୱରେ ବ୍ୟପାକ ବ୍ୟବସ୍ଥା କରାଯାଇଛି । ସାମାଜିକ ଦୁରତ୍ୱକୁ ଗୁରୁତ୍ୱ ଦିଆଯାଇଛି । ପ୍ରବେଶ ଓ ପ୍ରସ୍ତାବ ଅଲଗା ବ୍ୟବସ୍ଥା ହୋଇଛି । କେବଳ ଯାତ୍ରୀଙ୍କୁ ଷ୍ଟେସନ ଭିତରକୁ ପ୍ରବେଶ କରିବାକୁ ଦିଆଯିବ । ଟ୍ରେନ ଛାଡିବା ଓ ପଂହଚିବା ନେଇ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଇଷ୍ଟକୋଷ୍ଟ ରେଳବାଇ ସୂଚନା ଦେବେ । ଟିକେଟ ପାଇ କେହି ଷ୍ଟେସନକୁ ନ ଆସି ଅନଲାଇନରେ ବୁକିଂ କରିବାକୁ ଷ୍ଟେସନ ମାଷ୍ଟର ନିବେଦନ କରିଛନ୍ତି ।