କରୋନା କଟକଣା ଭିତର ଉଚ୍ଚଶିକ୍ଷା ବିଭାଗର ପାଠପଢା ପାଇଁ ନୂଆ ଗାଇଡ୍ ଲାଇନ୍ । ଅନଲାଇନରେ ସପ୍ତାହକୁ ତିନି ଦିନ ପାଠ ପଢାଇବେ ଅଧ୍ୟାପକ : ପ୍ରତି କ୍ଲାସ ୨ରୁ ୩ ଘଂଟା ହେବା ପାଇଁ ନିଷ୍ପତି 

303

କନକ ବ୍ୟୁରୋ : କୋଭିଡ କଟକଣା ଯୋଗୁଁ ଅଗଷ୍ଟ ୩୧ ଯାଏଁ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ । ଫଳରେ ରାଜ୍ୟର ସମସ୍ତ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ ନିୟମିତ କ୍ଲାସରୁମ୍ ପାଠପଢା ହେବନି । ଏପରିକି ହଷ୍ଟେଲ ବି ଖୋଲିବ ନାହିଁ । ସରକାରଙ୍କର ଏହି ନିଷ୍ପତି ମଧ୍ୟରେ ଉଚ୍ଚ ଶିକ୍ଷା ବିଭାଗ ଏକ ବିକଳ୍ପ ବାଟ ବାହାର କରିଛି । ରାଜ୍ୟର ସମସ୍ତ ଡିଗ୍ରୀ କଲେଜରେ ଆସନ୍ତା ୧୩ ତାରିଖଠାରୁ ଅନ୍ଲାଇନ୍ ପାଠପଢା ଆରମ୍ଭ ହେବ । ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ରୂପରେଖ ଘୋଷଣା କରାଯାଇଛି । ଗାଇଡ୍ ଲାଇନ୍ ଅନୁସାରେ, ଅତିବେଶୀରେ ୩୨ ଜଣ ଲେଖାଏଁ ପିଲାଙ୍କୁ ନେଇ ହ୍ୱାଟସଆପ୍  ଓ ଇ-ମେଲରେ ଗ୍ରୁପ ଗଠନ ହେବ । ଅଧ୍ୟାପକମାନେ ନୋଟ୍ର ସଫ୍ଟ କପି, ରେଫରେନ୍ସ ବହି, ପିପି ପ୍ରେଜେଂଟେସନ ଆଦି ଏହି ଆପ୍ ବା ଇ-ମେଲ୍ ଜରିଆରେ ପିଲାଙ୍କ ପାଖକୁ ପଠାଇବେ ।

ଏହା ସହ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ୱେବ୍ସାଇଟ୍ରେ ଥିବା ଡିଜିଟାଲ ପାଠ୍ୟକ୍ରମକୁ ଛାତ୍ରଛାତ୍ରୀଙ୍କୁ ପଠାଇ ପାରିବେ । ଅଧ୍ୟାପକମାନେ ସପ୍ତାହକୁ ୩ ଦିନ ଅନ୍ଲାଇନ୍ କ୍ଲାସ କରିବେ । ପ୍ରତିକ୍ଲାସ ୨ରୁ ୩ ଘଂଟା ମଧ୍ୟରେ ହେବ ।  ଗୁଗୁଲ ମିଟ୍, ଜୁମ୍ , ସ୍କାଏପି ଓ ଅନ୍ୟ ଜିଡିଟାଲ ପ୍ଲାଟଫର୍ମକୁ ବ୍ୟବାହ କରି ଅନ୍ଲାଇନ୍ କ୍ଲାସ କରାଯାଇ ପାରିବ । କଲେଜ କ୍ୟାମ୍ପସରୁ ଏହି ଡିଜିଟାଲ କ୍ଲାସ ନିଆଯିବ । ଏହି ସମୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ମଧ୍ୟ ନିଆଯିବ । ଅନଲାଇନକ୍ଲାସ ପାଇଁ ପ୍ରତି ବିଭାଗ ନିଜ ଟାଇମ୍ ଟେବୁଲ ପ୍ରସ୍ତୁତ କରି ଅଧ୍ୟକ୍ଷଙ୍କୁ ପ୍ରଦାନ କରିବେ । ଏହାର ଆଧାରରେ କଲେଜର ଏକ ମାଷ୍ଟର ଟାଇମ୍ ଟେବୁଲ ପ୍ରସ୍ତୁତ ହେବ । ଅଧ୍ୟକ୍ଷଙ୍କ ନେତୃତ୍ୱରେ ୨ରୁ ୩ ଜଣିଆ ବରିଷ୍ଠ ଅଧ୍ୟାପକଙ୍କ ଏକ ଟିମ୍ ଅନ୍ଲାଇନ୍ କ୍ଲାସର ତଦାରଖ କରିବେ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜରେ ଅତର୍କିତ ଗସ୍ତ କରି ଅନ୍ଲାଇନ୍ କ୍ଲାସର ଯାଂଚ କରାଯିବ ।