କନକ ବ୍ୟୁରୋ: ଆସନ୍ତା ୨୦ ତାରିଖରୁ ଅଫିସର କାର୍ଯ୍ୟ ପରିଚାଳନା ଲାଗି ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ବିଭାଗର ନୂତନ ନିର୍ଦେଶନାମା ଜାରି ହୋଇଛି। ତାହା ଅନୁଯାୟୀ, ଆସନ୍ତାକାଲିଠୁ ସମସ୍ତ ‘ଏ’ ଗ୍ରେଡ୍‌ ଅଧିକାରୀ ଅଫିସ୍ ଆସିବେ। ‘ବି’, ‘ସି’ ଓ ‘ଡି’ ଗ୍ରୁପର ୩୩% କର୍ମଚାରୀ ଅଫିସ୍‌ ଆସିବେ। କେବଳ ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଳାହାଣ୍ଡି, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାରେ ୩୩% କର୍ମଚାରୀ ରୋଷ୍ଟର ଭିତ୍ତିରେ କାମ କରିବେ ବୋଲି ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

Advertisment

ଅନ୍ୟ ସବୁ ଜିଲ୍ଲାରେ ସମସ୍ତ କର୍ମଚାରୀ ଅଫିସ୍‌ ଆସିବେ। ଆରଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲ ଅଫିସ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଏଥିରେ କୁହାଯାଇଛି। ବିଭାଗର ସମସ୍ତ କର୍ମଚାରୀ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି।

ଅପରପକ୍ଷରେ ଆସନ୍ତା ୨୦ ତାରିଖରୁ କାମ କରିବେ ସମସ୍ତ ଷ୍ଟାମ୍ପ ଭେଣ୍ଡର, ଜିଲ୍ଲା ବା ସବ୍‌ରେଜିଷ୍ଟର ଅଫିସ୍‌ରୁ କାମ କରିବେ ବୋଲି ଜଣାଯାଇଛି। ଖାଲି ସେତିକି ନୁହେଁ, ବାଲି ଘାଟ, କ୍ରସର ୟୁନିଟ୍‌ ଓ ପଥର ଖଣିରେ ବି ୨୦ ତାରିଖରୁ ନିର୍ମାଣ କାମ ଚାଲିବ।