ସାଂଘାତିକ ଅଭିଯୋଗ, ମୁସଲମାନ ବୋଲି ହୋଇପାରିଲାନି ଡାଏଲିସିସ: ଚିକିତ୍ସା ପାଇଁ ଡାକ୍ତର ମନା କରିବା ପରେ ଚାଲିଗଲା ଜୀବନ । ସ୍ୱାସ୍ଥ୍ୟ ବିଭାଗ କହିଲା, ହସ୍ପିଟାଲରେ ଚିକିତ୍ସା ଆଗରୁ କୋଭିଡ ପରୀକ୍ଷା ନୁହେଁ ଜରୁରୀ, ଖିଲାପ କଲେ କଠୋର କାର୍ଯ୍ୟାନୁଷ୍ଠାନ ।

770

କନକ ବୁରୋ: କରୋନା ଟେଷ୍ଟର ସାର୍ଟିଫିକେଟ ଦେଲେ ହେବ ଚିକିତ୍ସା । ଏଭଳି ଜିଦ୍ ଧରି ବସିଥିଲେ ଏକ ଘରୋଇ ହସ୍ପିଟାଲ । ଫଳରେ ସାଲେପୁରର ରୋଗୀ ଜଣକ ମୃତ୍ୟୁ ମୁଖରେ ପଡିଥିବା ଅଭିଯୋଗ ହୋଇଛି । ଏନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି ଏବଂ କଟକ ଜିଲ୍ଲାପାଳ ଆରମ୍ଭ କରିଛନ୍ତି ତଦନ୍ତ । ସେପଟେ ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ ରାଜ୍ୟ ସରକାର ଆଣିଛନ୍ତି ନୂଆ ଗାଇଡଲାଇନ୍ ।

ବର୍ଷ ବର୍ଷ ଧରିଯେଉଁ ଡାକ୍ତରଖାନାରେ ସାଲେପୁର ଅଂଚଳର ଅବଦୁଲ୍ ହସନ୍ ଡାଏଲିସିସ୍ ହେଉଥିଲେ, ଏବେ କିନ୍ତୁ ତାଙ୍କୁ ଚିକିତ୍ସା କରିବାକୁ ସେମାନେ ମନା କରିଦେଇଥିଲେ । ଦୁଇଟି ଯାକ କିଡ୍ନୀ ନଷ୍ଟ ହୋଇଯାଇଥିବାରୁ ଡାଏଲିସିସ୍ ଜରୁରୀ ଥିଲା । ହେଲେ ସ୍ୱାସ୍ଥ୍ୟ ସେବା ମିଳି ନପାରିବାରୁ ଶେଷରେ ପ୍ରାଣ ହରାଇଥିଲେ ଅବଦୁଲ୍ ହସନ୍ । ପରିବାର ଲୋକ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସାଂଘାତିକ । ଆଉ କେମିତି ମାନବିକତା ହରାଇଛନ୍ତି ଘରୋଇ ଡାକ୍ତରଖାନାର କର୍ତୃପକ୍ଷ ଅଭିଯୋଗର ପୃଷ୍ଠା ଖୋଲିଛି ।

ଦୁଇ ଦିନ ତଳେ ଠିକ୍ ସମାନ ଘଟଣା ଭୁବନେଶ୍ୱରରେ ବି ଘଟିଥିଲା, ଯେତେବେଳେ ଜଣେ ଅବସର ପ୍ରାପ୍ତ ବୃଦ୍ଧଙ୍କୁ ହସ୍ପିଟାଲ ଅଣାଯାଇଥିଲା । ଦୁଇ ଦୁଇଟି ହସ୍ପିଟାଲରେ ଚିକିତ୍ସା ନପାଇ ଶେଷରେ ବୃଦ୍ଧ ଜଣଙ୍କ ମୃତ୍ୟୁ ହୋଇଥିଲା । ଡାକ୍ତରଖାନାର ଏଭଳି ଅମାନବୀୟ କାମକୁ ନେଇ ଓଡ଼ିଶା ହାଇକୋର୍ଟରେ ରୁଜୁ ହୋଇଛି ଏକ ଜନସ୍ୱାର୍ଥ ମାମଲା । ଆଉ ଏହି ମାମଲାକୁ ଗ୍ରହଣ କରି, କଟକ ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି ମାମଲାରେ ରାଜ୍ୟ ସରକାର ଏବଂ ସଂପୃକ୍ତ ହସ୍ପିଟାଲକୁ ମଧ୍ୟ ପକ୍ଷ ଭୁକ୍ତ କରାଯାଇଛି ।

ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିବାରୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏକ କଠୋର ନିର୍ଦ୍ଦେଶ ଜାରି କରିଛନ୍ତି ।
– ସରକାରୀ ବା ଘରୋଇ ହସ୍ପିଟାଲ କୌଣସି ରୋଗୀଙ୍କୁ କରୋନା ରିପୋର୍ଟ ପାଇଁ ବାଧ୍ୟ କରିପାରିବେ ନାହିଁ
– ନିର୍ଦ୍ଦେଶର ଖିଲାପ କଲେ ହସ୍ପିଟାଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ
– ହସ୍ପିଟାଲରେ ପଞ୍ଜିକରଣକୁ ବି ବାତିଲ କରାଯିବ
– ସନ୍ଦିଗ୍ଧ ରୋଗୀଙ୍କ ପାଇଁ ସମସ୍ତ ହସ୍ପିଟାଲ ସ୍ୱତନ୍ତ୍ର ଆଇସୋଲେସନ୍ ୱାର୍ଡ ପ୍ରସ୍ତୁତ ରଖାଯିବ