ବିବାହ ଉତ୍ସବ ଉପରେ କଡା କଟକଣା : ୫୦ରୁ ଜଣେ ବି ଅଧିକ ଲୋକଙ୍କୁ ମିଳିବନି ଅନୁମତି; ବାହାଘରର ୨୪ ଘଣ୍ଟା ପୂର୍ବରୁ ଦେବାକୁ ପଡିବ ଅତିଥିଙ୍କ ତାଲିକା

283

କନକ ବ୍ୟୁରୋ : ବିବାହ ଉତ୍ସବ ପାଇଁ ଥିବା କଟକଣାକୁ ଆହୁରି କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର । କୌଣସି ପରିସ୍ଥିତିରେ ୫୦ ଜଣରୁ ଅଧିକ ବାହାଘରରେ ଯୋଗ ଦେଇପାରିବେ ନାହିଁ । ୫୦ ଜଣିଆ କଟକଣାକୁ ପର୍ଯ୍ୟାୟ ପର୍ଯ୍ୟାୟରେ ୫୦ ଜଣ ଲେଖାଁଏ ଯୋଗ ଦେଉଥିବାରୁ ଏହା ଉପରେ ଶକ୍ତ ନିୟମ ଲଗାଇଛନ୍ତି ସରକାର । ସ୍ୱତନ୍ତ୍ର ରିଲିଫ୍ କମିସନର କହିଛନ୍ତି, ପୁରୋହିତ, ଅତିଥି, କାଟରିଙ୍ଗ କର୍ମଚାରୀ, ଅତିଥି ଓ ଆୟୋଜକ ପରିବାରକୁ ମିଶାଇ ମୋଟ ୫୦ ଜଣ ଯୋଗ ଦେଇପାରିବେ । ଆଉ ସେମାନଙ୍କ ତାଲିକା ୨୪ ଘଂଟା ପୂର୍ବରୁ ସ୍ଥାନୀୟ ପ୍ରଶାସନକୁ ଜଣାଇବେ । ସମସ୍ତଙ୍କ ଅବଗତି ନିମେନ୍ତ ଏହାକୁ ପ୍ରଦର୍ଶିତ କରିବାକୁ ହେବ । ତାଲିକାଭୁକ୍ତ ହୋଇଥିବା ଲୋକ କେବଳ ଉତ୍ସବରେ ସାମିଲ ହୋଇପାରିବେ । ଶୋଭାଯାତ୍ରା ବା ବାରାତ୍ କୁ ବାରଣ କରାଯାଇଛି ।

ଯଦି ଶୋଭାଯାତ୍ରା କରାଯିବ, ତେବେ ଗାଡି, ବ୍ୟାଣ୍ଡ ବାଜା, ଲାଇଟ୍, ମାଇକ୍ ଆଦିକୁ ଜବତ କରାଯିବ ବୋଲି ଚେତାବନି ଦିଆଯାଇଛି । ବିବାହ ଉତ୍ସବରେ ଯେଉଁମାନେ ଯୋଗ ଦେବେ ସେମାନେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବେ । ସରକାରଙ୍କ ନିୟମର କୌଣସି ପ୍ରକାର ଉଲଂଘନ ହେଲେ ଦାୟୀ ରହିବେ ଉଭୟ ଆୟୋଜକ ଓ ମଣ୍ଡପ ମାଲିକ । ନିୟମ ଖିଲାପକାରୀ ବିରୋଧରେ ଫୌଜଦାରୀ ମାମଲା ଦାୟର ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ତିମ ସଂସ୍କାର ପାଇଁ ମଧ୍ୟ ନିୟମକୁ କଡ଼ା କରିଛନ୍ତି ସରକାର । ବ୍ରତଘର ଭଳି ସାମାଜିକ ଓ ଧାର୍ମିକ ଉତ୍ସବକୁ ଘର ଲୋକଙ୍କ ଭିତରେ ପାଳନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି ।

ସେହିପରି ଯାନିଯାତ୍ରା, ଅପେରା, ଗାଁ ଗହଳି ଠାରୁ ଆରମ୍ଭ କରି ସହରରେ ହେଉଥିବା ଭୋଜିଭାତକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ହୋଟେଲ, ରେଷ୍ଟ୍ରୁରାଂଟରେ ବସି କେହି ଖାଇପାରିବେ ନାହିଁ । ଉଠା ଦୋକନ ସାମନାରେ ମଧ୍ୟ କେହି ଖାଇ ପାରିବେ ନାହିଁ । ହେଲେ ଖାଦ୍ୟ ପାର୍ସଲ ନେଇ ଘରେ ଖାଇପାରିବେ ବୋଲି କହିଛନ୍ତି ଏସଆରସି । ଏହି ନୂଆ ନିୟମ ଆସନ୍ତା ୨୧ ତାରିଖରୁ ଲାଗୁ ହେବ । ଏବଂ ମେ’ ୧୫ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ।