ଆସନ୍ତା ୫ ତାରିଖରୁ ଖୋଲିବ ଜିମ୍ ଓ ଯୋଗ କେନ୍ଦ୍ର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କଲା ନୂଆ ଗାଇଡଲାଇନ୍, ବିଶୋଧନ ଓ ସାମାଜିକ ଦୂରତାକୁ ଗୁରୁତ୍ୱ । ୬୫ ବର୍ଷରୁ ବୟସ୍କ ଓ ୧୦ ବର୍ଷରୁ କମଙ୍କ ପାଇଁ ବାରଣ ।

212

କନକ ବ୍ୟୁରୋ: ଯୋଗ ପ୍ରତିଷ୍ଠାନ ଓ ଜିମ୍ ପାଇଁ ନୂଆ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର । ଅନଲକ ୩.୦ରେ ଆସନ୍ତା ୫ତାରିଖରୁ କେତେକ କଟକଣା ଭିତରେ ଯୋଗକେନ୍ଦ୍ର ଓ ବ୍ୟାୟାମଶାଳା ଖୋଲିବାକୁ ଅନୁମତି ଦିଆଯାଇଛି । କୋଭିଡ ୧୯ର ସଂକ୍ରମଣ ରୋକିବା ଦୃଷ୍ଟିରୁ ସଦସ୍ୟ, କର୍ମଚାରୀ ଏବଂ ଭ୍ରମଣକାରୀ ସିଧାସଳଖ କେହି କାହା ସଂସ୍ପର୍ଶରେ ଆସିବେ ନାହିଁ । ସାମାଜିକ ଦୂରତା ଏବଂ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ଭିତରେ ଯୋଗ କେନ୍ଦ୍ର ଓ ଜିମ୍ ଚାଲିପାରିବ । ପରସ୍ପର ଭିତରେ ଅତି କମରେ ୬ଫୁଟ ଦୂରତା ବଜାୟ ରହିବ । ମାସ୍କ ବ୍ୟବହାର ବାଧ୍ୟତାମୂଳକ ରହିଛି । ଏବଂ ବ୍ୟାୟାମଶାଳାର ସମସ୍ତ ସାମଗ୍ରୀ ବିଶୋଧନ ହେବା ସୁନିଶ୍ଚିତ କରାଯିବ ।

୬୫ ବର୍ଷରୁ ଅଧିକ ବୟସ୍କ ଓ ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ସାମିଲ ହେବାକୁ ବାରଣ କରାଯାଇଛି । ସମସ୍ତ ଜିମ୍ ସାମଗ୍ରୀ ନିକଟରେ ହାଣ୍ଡ ସାନିଟାଇଜର ରହିବା ବାଧ୍ୟତାମୂଳକ । ଜିମ୍ ବ୍ୟବହାର କରିବା ପୂର୍ବରୁ ସମସ୍ତ ବ୍ୟକ୍ତି ହାତ ସାନିଟାଇଜ୍ କରିବା ସୁନିଶ୍ଚିତ କରିବେ ସଂସ୍ଥା ପରିଚାଳକ । ଯୋଗ କେନ୍ଦ୍ରରେ ସର୍ବସାଧାରଣ ବ୍ୟବହାର ହେଉଥିବା ମ୍ୟାଟ୍ ବ୍ୟବହାର ହେବ ନାହିଁ । ସଦସ୍ୟମାନେ ନିଜ ନିଜ ମ୍ୟାଟ୍ ଆଣିବେ । ନିୟମିତ ବ୍ୟବଧାନରେ ଜିମାନସିଅମ୍ ଓ ଯୋଗ କେନ୍ଦ୍ରକୁ ବିଶୋଦନ କରାଯିବ । ଏସବୁ କେନ୍ଦ୍ର ବନ୍ଦ କରିବା ଆଗରୁ ସଂପୂର୍ଣ୍ଣ ବିଶୋଧନ କରାଯିବ ।