ଶୀତକାଳୀନ ଅଧିବେଶନ ପୂର୍ବରୁ ରାଜ୍ୟସଭା ସାଂସଦଙ୍କ ପାଇଁ ନିୟମାବାଳି ଜାରି । ଗୃହରେ ଉଠାଇବାକୁ ଥିବା ପ୍ରସଙ୍ଗ ଆଗୁଆ କରିପାରିବେନି ସାର୍ବଜନୀନ

51

କନକ ବ୍ୟୁରୋ : ଆସନ୍ତା ସପ୍ତାହରୁ ସଂସଦର ଶୀତକାଳୀନ ଅଧିବେଶନ । ରାଜ୍ୟସଭାରେ ଉଠାଯାଇଥିବା ପ୍ରସଙ୍ଗ ଉପରେ କୌଣସି ପ୍ରଚାର ହେବା ଉଚିତ ନୁହେଁ ବୋଲି ରାଜ୍ୟସଭା ସାଂସଦମାନଙ୍କୁ ନିର୍ଦ୍ଦେଶ ରହିଛି । ଗୃହର ଅଧ୍ୟକ୍ଷ ନୋଟିସ୍ ଅନୁମୋଦନ ନକରିବା ପର୍ଯ୍ୟନ୍ତ ଏବଂ ଅନ୍ୟ ସାଂସଦମାନଙ୍କୁ ଏହା ଜଣାଇବା ପର୍ଯ୍ୟନ୍ତ ବିଜ୍ଞପ୍ତିଗୁଡିକ ସାର୍ବଜନୀନ କରାଯିବା ଉଚିତ୍ ନୁହେଁ ବୋଲି କୁହାଯାଇଛି । ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ସାଂସଦମାନଙ୍କୁ ଦିଆଯାଇଥିବା ନିର୍ଦ୍ଦେଶରେ ସଂସଦର ପରମ୍ପରା ଏବଂ ପ୍ରକ୍ରିୟା ଉଲ୍ଲେଖ କରାଯାଇଛି । ନିର୍ଦ୍ଦେଶରେ, ଏପ୍ରିଲ୍ ୨୦୨୨ ରେ ପ୍ରକାଶିତ ରାଜ୍ୟସଭା ସଦସ୍ୟଙ୍କ ପାଇଁ ହ୍ୟାଣ୍ଡବୁକ୍ ରେ ଉଲ୍ଲେଖ କରାଯାଇଥିବା ସଂସଦର ପରମ୍ପରା ଏବଂ ପ୍ରକ୍ରିୟାଗୁଡ଼ିକୁ ଉଲ୍ଲେଖ କରାଯାଇଛି ।

ସାଂସଦମାନେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବେ ବୋଲି ଜନସାଧାରଣଙ୍କୁ କହିପାରିବେ ନାହିଁ ।ଧନ୍ୟବାଦ, ଜୟ ହିନ୍ଦ, ବନ୍ଦେ ମାତରମ ଭଳି ନାରାବାଜି ଗୃହରେ ହେବ ନାହିଁ । ଅଧ୍ୟକ୍ଷଙ୍କ ନିଷ୍ପତ୍ତିକୁ ନେଇ ଗୃହ ଭିତରେ କିମ୍ବା ବାହାରେ ଆଲୋଚନା କରିପାରିବେ ନାହିଁ । ଗୃହରେ ପ୍ଲାକାର୍ଡ ଆଣିବା ଉପରେ ନିଷେଧାଦେଶ ରହିଛି । ଅଧ୍ୟକ୍ଷ କହୁଥିବା ସମୟରେ କୌଣସି ସଦସ୍ୟ ଗୃହ ବାହାରକୁ ଯିବା ଅନୁଚିତ । ଦୁଇଜଣ ସଦସ୍ୟ ଏକାଠି ଛିଡା ହୋଇପାରିବେ ନାହିଁ । ସଦସ୍ୟମାନେ ସିଧାସଳଖ ଚେୟାରମ୍ୟାନଙ୍କ ନିକଟକୁ ଆସିବା ଉଚିତ୍ ନୁହେଁ । ଗୃହରେ ସଦସ୍ୟଙ୍କ ଉପସ୍ଥିତି ପଞ୍ଜିକରଣ କରିବା ଆବଶ୍ୟକ । ବିନା ଅନୁମତିରେ ଷାଠିଏ ଦିନ ଅନୁପସ୍ଥିତ ରହିଲେ ସାଂସଦଙ୍କ ଆସନ ଖାଲି ଘୋଷଣା ହେବ! ଗୃହ ପ୍ରକ୍ରିୟାର ଭିଡିଓଗ୍ରାଫି ନିଷେଧ । ଜଣେ ନୂଆ ସଦସ୍ୟଙ୍କ ପ୍ରଥମ ଭାଷଣ ୧୫ ମିନିଟରୁ ଅଧିକ ହେବନି