ଆଜି ଇସ୍ତଫା ଦେବେ ନୀତିଶ କୁମାର ! ବିଜେପି ସହ ମିଶି ପୁରୁଣା ଫର୍ମୁଲାରେ ଗଢିବେ ନୂଆ ସରକାର ।

ନୀତିଶ ହେବେ ମୁଖ୍ୟମନ୍ତ୍ରୀ, ବିଜେପିର ୨ ଉପ-ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି

261

କନକ ବ୍ୟୁରୋ: ବିହାରରେ ପୁଣିଥରେ ହେବାକୁ ଯାଉଛି ସତ୍ତା ପରିବର୍ତ୍ତନ । ମହାମେଣ୍ଟ ସହ ସମ୍ପର୍କ ଛିନ୍ନ କରି ପୁଣିଥରେ ଏନଡିଏ ମେଣ୍ଟରେ ସାମିଲ ହେବାକୁ ଯାଉଛନ୍ତି ନୀତିଶ କୁମାର । ତେବେ ମେଣ୍ଟ ସରକାର ବଦଳୁଥିଲେ ବି, ମୁଖ୍ୟମନ୍ତ୍ରୀ କିନ୍ତୁ ସମାନ ରହିବେ ବୋଲି ଜଣାପଡିଛି । ମହାମେଣ୍ଟ ସରକାର ଭଳି ଏନଡିଏ ଏବଂ ଜେଡିୟୁ ସରକାରରେ ନୀତିଶ କୁମାର ହିଁ ମୁଖ୍ୟମନ୍ତ୍ରୀ ରହିବେ ବୋଲି ସ୍ପଷ୍ଟ ହେଇଯାଇଛି । ଆଉ ପୁଣିଥରେ ପୁରୁଣା ଫର୍ମୁଲା ସହ ବିହାରରେ ଏନଡିଏ ସରକାର ଗଢାହେବ ବୋଲି ସୂଚନା ମିଳୁଛି ।

ପୁରୁଣା ଫର୍ମୁଲା ମୁତାବକ, ନୀତିଶ କୁମାର ଏନଡିଏ ଏବଂ ଜେଡିୟୁର ମିଳିତ ସରକାରରେ ମୁଖ୍ୟମନ୍ତ୍ରୀ ରହିବେ । ହେଲେ ବିଜେପିର ଦୁଇ ନେତାଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିବ । ସେହିପରି ବିଧାନସଭା ବାଚସ୍ପତି ପଦ ମଧ୍ୟ ବିଜେପି ନିଜ ପାଖରେ ରଖିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆଜି କିମ୍ବା କାଲି ସୁଦ୍ଧା ନୀତିଶ ନିଜର ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ଦେଇପାରନ୍ତି । ଆଉ ଖୁବଶୀଘ୍ର ନୂଆ ସରକାର ପାଇଁ ଦାବି ମଧ୍ୟ ଉପସ୍ଥାପନ କରିପାରନ୍ତି । ଏହାପୂର୍ବରୁ ଆଜି ଦ୍ୱିପହରରେ ଆରଜେଡି ବିଧାୟକ ଦଳ ଏବଂ ୪ଟାବେଳେ ବିଜେପି ନିଜ ବୈଠକ ଡାକିଛି । ଏହାବାଦ୍ ରବିବାର ସକାଳ ୧୦ଟାରେ ମଧ୍ୟ ଜେଡିୟୁର ବୈଠକ ବସିବାକୁ ଅଛି । ତେଣୁ ଏହାରି ଭିତରେ ବିହାର ରାଜନୀତି କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା ।

କୁହାଯାଉଛି ନୀତିଶ କୁମାର ଜେଡିୟୁ ବିଧାୟକଙ୍କ ସହ କିଛି କଂଗ୍ରେସ ବିଧାୟକଙ୍କୁ ମଧ୍ୟ ନିଜ ସପକ୍ଷରେ ଆଣିପାରନ୍ତି । ଏପରି ହେଲେ ନୀତିଶଙ୍କୁ ସରକାର ଗଢିବା ସହଜ ହେଇଯିବ । ଅନ୍ୟପଟେ ବିହାର ରାଜନୀତିର ପ୍ରଭାବ ଦିଲ୍ଲୀରେ ମଧ୍ୟ ଦେଖିବାକୁ ମିଳିଛି । ଗୋଟିଏ ପଟେ ବିହାରରେ ରାଜନୈତିକ ହଲଚଲ ଜାରି ରହିଥିବାବେଳେ, ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାକୁ ତାଙ୍କ ବାସଭବନରେ ପହଞ୍ଚି ଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ଚିରାଗ ପାଶୱାନ୍ । ଅନ୍ୟପଟେ ବିଜେପି ନେତା ରାଧା ମୋହନ ସିଂହ ବିହାର ରାଜ୍ୟପାଳଙ୍କୁ ମଧ୍ୟ ଭେଟିସାରିଛନ୍ତି । ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟିଛନ୍ତି ବିଜେପି ନେତା । ତେଣୁ ଖୁବଶୀଘ୍ର ବିହାରରେ ବିଜେପି ଓ ଜେଡିୟୁ ସରକାର ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଛି ।