ଖୋଲୁଛି ଅନୁପଙ୍କ ଅପରାଧର ପେଡ଼ି…ସତ ଓଗାଳୁଛି ଡ୍ରାଇଭର । ମାଆ-ଝିଅଙ୍କ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିଲା ବୋଲେରୋ ସହ ଇନୋଭା ଗାଡି । ସାଏଙ୍କ ଷଡଯନ୍ତ୍ରରେ ସାମିଲ ଅଛନ୍ତି ଏକାଧିକ ବ୍ୟକ୍ତି

ଏପଟେ ଅନୁପ ସାଏଙ୍କ ପୁତୁରାଙ୍କୁ ହାଜିର ହେବା ପାଇଁ କଲା ନୋଟିସ୍

620

କନକ ବ୍ୟୁରୋ: ୨୦୧୬ ହତ୍ୟାକାଣ୍ଡ ମାମଲାରେ ଅଧିକ ଛାନଭିନ ପାଇଁ ଓଡିଶାରେ ଛତିଶଗଡ ପୋଲିସ । ଆଜି ଛତିଶଗଡ ପୋଲିସର ଟିମ୍ ଅନୁପ ସାଏଙ୍କ ନିର୍ବାଚନମଣ୍ଡଳୀ ବ୍ରଜରାଜନଗରରେ ପହଁଚି ଯାଂଚ୍ କରିଛି । ବ୍ରଜରାଜନଗରର ଦୁଇଟି ବ୍ୟାଙ୍କରେ ଅନୁପ ସାଏଙ୍କ ଆକାଉଂଟ୍ ଥିବା ବେଳେ ସେହି ବ୍ୟାଙ୍କରେ ଖୋଳତାଡ କରିଛି ଛତିଶଗଡ ପୋଲିସ । ସେପଟେ ଅନୁପା ସାଏଙ୍କ ପୁତୁରାଙ୍କୁ ଆସନ୍ତାକାଲି ହାଜର ହେବାକୁ ନୋଟିସ କରାଯାଇଛି । ମୃତ କଳ୍ପନାଙ୍କ ଜଣେ ସମ୍ପର୍କୀୟଙ୍କୁ ମଧ୍ୟ ଛତିଶଗଡର ଚକ୍ରଧରପୁର ଥାନାରେ ହାଜର ହେବାକୁ ପୋଲିସ ନୋଟିସ କରିଛି । ଏସବୁ ଭିତରେ ଇନୋଭା ଗାଡିର ରହସ୍ୟ ସାମ୍ନାକୁ ଆସିବା ପରେ ହତ୍ୟାକାଣ୍ଡରେ ଅନୁପ ସାଏ ଓ ଡ୍ରାଇଭର ବର୍ମନ ଟପ୍ପୋଙ୍କ ସମେତ ଆଉ କିଛି ବ୍ୟକ୍ତିଙ୍କର ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି ।

ଅପରାଧର ପେଡ଼ି ଖୋଲିବା ସହ ଅନୁପ ସାଏଙ୍କ ଷଡ଼ଯନ୍ତ୍ରର ଗୋଟିଏ ପରେ ଗୋଟିଏ ଗୁମର ଏବେ ସାମ୍ନାକୁ ଆସିଛି । କଳ୍ପନା ଦାସ ଏବଂ ତାଙ୍କ ଝିଅଙ୍କ ହତ୍ୟାକାଣ୍ଡରେ କେବଳ ଅନୁପ ସାଏ ଏବଂ ଡ୍ରାଇଭର ବର୍ମନ ଟପ୍ପୋ ସାମିଲ ନଥିଲେ । ବରଂ ହତ୍ୟାକାଣ୍ଡରେ ସଂପୃକ୍ତ ଅଛନ୍ତି ଏକାଧିକ ବ୍ୟକ୍ତି । ଏମିତି କି ହତ୍ୟାକାଣ୍ଡରେ କେବଳ ଗୋଟିଏ ବୋଲେରୋ ନୁହେଁ ବ୍ୟବହାର ହୋଇଥିଲା ଆଉ ଏକ ଇନୋଭା । ତେବେ ଲୁହା ରଡ଼ରେ ପିଟି ପିଟି ମା’-ଝିଅକୁ ହତ୍ୟା କରିବା ପରେ ଅତି ନିର୍ମମ ଭାବରେ ଏମାନଙ୍କ ଉପରେ ବୋଲେରୋ ଚଢ଼ାଇ ଦିଆଯାଇଥିଲା । ଠିକ୍ ଏତିକି ବେଳେ ଘଟଣାସ୍ଥଳରେ ଥିଲା ଆଉ ଏକ ଇନୋଭା । ଯାହା ପ୍ରମାଣ କରୁଛି, ଡ୍ରାଇଭର ବର୍ମର୍ନ ଟପ୍ପୋ ଏବଂ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ବ୍ୟତୀତ ଆଉ କିଏ ମଧ୍ୟ ସେଠି ଉପସ୍ଥିତ ଥିଲେ । ଅନୁପ ସାଏ, କେବଳ ଡ୍ରାଇଭରଙ୍କ ନାଁ ନେଇଥିବା ବେଳେ ଡ୍ରାଇଭର ବର୍ତ୍ତମାନ ଟପ୍ପୋ ଆଉ ଏକ ଇନୋଭା କଥା କହିଛନ୍ତି ।

ତେବେ ବଡ଼ କଥା ହେଉଛି, ଯେତେବେଳେ ଛତିଶଗଡ଼ ପୁଲିସ୍ ମା’-ଝିଅଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା, ଘଟଣା ସ୍ଥଳରୁ ଠାବ ହୋଇଥିଲା ୨ଟି ଗାଡ଼ିର ଟାୟର ଚିହ୍ନ । ଆଉ ଡ୍ରାଇଭର ବର୍ମନ ଟପ୍ପୋ ପୁଲିସ୍ ଆଗରେ ରଖିବା ବୟାନ ସହ ଏହା ଏକ ପ୍ରକାର ମେଳ ଖାଉଛି । ଡ୍ରାଇଭର୍ ରଖିଥିବା ବୟାନ ଏବଂ ପୂର୍ବତନ ବିଧାୟକ ଦେଉଥିବା ତଥ୍ୟର ଗୋଟି ଗୋଟି ବିନ୍ଦୁକୁ ଯୋଡ଼ିବାକୁ ଉଦ୍ୟମ କରୁଛି ଛତିଶଗଡ଼ ପୁଲିସ୍ । ଆଉ ଏହାରି ଭିତରେ ପୁଲିସକୁ ଭ୍ରମିତ କରିବାକୁ ବି ପଛାଉ ନାହାଁନ୍ତି ଅନୁପ ସାଏ । ଏଭଳି ସ୍ଥିତିରେ ଘଟଣାସ୍ଥଳକୁ ଅନୁପ ସାଏ ଏବଂ ବର୍ମନ ଟାପ୍ପୋକୁ ଘଟଣାସ୍ଥଳକୁ ନେଇ ପୁଣି ଥରେ କ୍ରାଇମ୍ ସିନର ରିକ୍ରିଏସନ୍ କରିପାରେ ଛତିଶଗଡ଼ ପୁଲିସ୍ ।

 

ଆଶ୍ଚର୍ଯ୍ୟକର କଥା ହେଉଛି ହତ୍ୟାରେ ବ୍ୟବହାର ହୋଇଥିବା ବୋଲେରୋ ଗାଡ଼ିକୁ ନେଇ । ହତ୍ୟା ପୂର୍ବରୁ ୨୦୦୯ରୁ ୨୦୧୫ ଯାଏଁ ଏହି ଗାଡ଼ି ଅନୁପ ସାଏଙ୍କ ନାଁରେ ଥିଲା । ହେଲେ, ହତ୍ୟା ଯୋଜନା ହେବା ପୂର୍ବରୁ ଗାଡ଼ିକୁ ବିକ୍ରି କରିଦେଇଥିଲେ ଅନୁପ୍ ସାଏ । ଏବେ ଲୋଇସିଂହାର ସୁନିଲ ସାହୁଙ୍କ ନାଁରେ ରହିଛି ଏହି ବୋଲେରୋ । କିନ୍ତୁ ବଡ଼ କଥା ହେଉଛି-ନିଜ ମାଲିକାନାରେ ନଥିବା ଗାଡ଼ିକୁ ଆଣି ୨୦୧୬ ମସିହାରେ ହତ୍ୟାକାଣ୍ଡରେ ବ୍ୟବହାର କରିଛନ୍ତି ବର୍ମନ ଟପ୍ପୋ ଓ ଅନୁପ ସାଏ । ତେବେ ହତ୍ୟାକାଣ୍ଡର ପୁରା ପ୍ଲଟ୍ ପ୍ରମାଣିତ କରୁଛି ଯେ, ହତ୍ୟା ପୂର୍ବରୁ ହୋଇଥିଲା ଷଡଯନ୍ତ୍ର । ଆଉ ହତ୍ୟାକାଣ୍ଡକୁ ନିର୍ଣ୍ଣାୟକ ମୋଡ଼ ଦେବା ପାଇଁ ଭରପୁର ପ୍ରୟାସ କରିିଥିଲେ ଅନୁପ ସାଏ ।